ଟମାଟୋ ପରେ ଏବେ ପାନ ପାଇଁ ହଇରାଣ ପାକିସ୍ତାନ
ଜୈସ-ଇ-ମୁହମ୍ମଦ ଆତଙ୍କବାଦୀଙ୍କ ଦ୍ୱାରା ପୁଲୱାମା ଆକ୍ରମଣ ପରେ ପାକିସ୍ତାନବାସୀଙ୍କର ଦୈନନ୍ଦିନ ଜୀବନ ଉପରେ କୁପ୍ରଭାବ ଦ୍ରୁତ ଗତିରେ ପଡ଼ିବାରେ ଲାଗିଛି। ଟମାଟୋ ପରେ ଏବେ ପାନ ପାଳି। ପାକିସ୍ତାନକୁ ଚାରଆଡୁ ଘେରିସାରିଲାଣି ଭାରତ। ପ୍ରଥମେ ଟମାଟୋ ବନ୍ଦ କରିବା ପରେ ଏବେ ପାନ ଆଉ କପଡା ବନ୍ଦ କରିଛି ଭାରତ। ଫଳରେ ପାନ ବ୍ୟବସାୟ ଉପରେ କୁପ୍ରଭାବ ପଡ଼ିଛି।

ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲା ସହ ଅନ୍ୟ କିଛି ଜିଲ୍ଲାରୁ ଦେଶର ବିଭିନ୍ନ ଅଞ୍ଚଳକୁ ପାନ ସପ୍ଲାଇ ହୋଇଥାଏ। ଏହା ବ୍ୟତୀତ ପାକିସ୍ତାନ ଏବଂ ଶ୍ରୀଲଙ୍କା ଆଦି ଦେଶକୁ ମଧ୍ୟ ରପ୍ତାନୀ ହୋଇଥାଏ। ପ୍ରତି ସପ୍ତାହରେ ୪୫ ରୁ ୫୦ ବଣ୍ଡଲ ପାନ ପାକିସ୍ତାନକୁ ପଠାଯାଇଥାଏ। ହେଲେ ଏବେ ପାକିସ୍ତାନକୁ ଆଉ ପଠାହେବନି ପାନ। ପାକିସ୍ତାନକୁ ପାନ ନଦେବା ପାଇଁ ସଂକଳ୍ପ କରିଛନ୍ତି ମଧ୍ୟପ୍ରଦେଶର ଛତ୍ରପୁର ପାନ ଚାଷୀ।
ପାନ ଚାଷୀଙ୍କ କହିବା ଅନୁଯାୟୀ, ପୁଲୱାମା ଆକ୍ରମଣରେ ଆମେ ମର୍ମାହତ। ଆତଙ୍କବାଦୀ ଆମ ଯବାନଙ୍କ ରକ୍ତରେ ହୋଲି ଖେଳିଛନ୍ତି। ତେଣୁ ଆମେ ପାକିସ୍ତାନକୁ ପାନ ବିକ୍ରି କରିବୁ ନାହିଁ। ତେଣିକି ଆମକୁ କ୍ଷତି ସହିବାକୁ ପଡୁ ନାଁ କାହିଁକି। ପାନର ଗୋଟିଏ ବଣ୍ଡଲର ମୂଲ୍ୟ ହେଉଛି ୩୦ହଜାର ଟଙ୍କା। ପାନ ଚାଷୀଙ୍କୁ ୧୩ ରୁ ୧୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ କ୍ଷତି ସହିବାକୁ ପଡିପାରେ। କିନ୍ତୁ ପାନ ଚାଷୀ ଏଥିପାଇଁ ଚିନ୍ତା ନାହିଁ କହିଛନ୍ତି ଯଦି ସରକାର ପାଣି ନଦେବା ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ତେବେ ଆମେ କଣ ଆମ ଦେଶ ପାଇଁ ଏତିକି କରିପାରିବୁ ନାହିଁ।
କିଛି ଦିନ ତଳେ ଖବର ଆସିଥିଲା ଯେ ପାକିସ୍ତାନରେ ଏବେ ଟମାଟୋ କିଲେ ୧୮୦ ଟଙ୍କା। ଦାମ୍ ଏତେ ବେଶୀ ତା ସହ ମିଳୁନାହିଁ ମଧ୍ୟ। ତେଣୁ ବିନା ଟମାଟୋରେ କିଭଳି ତରକାରୀ କରାଯିବ ତାକୁ ନେଇ ପାକ୍ ଗଣମାଧ୍ୟମରେ ଆଲୋଚନା କରାଯାଉଛି।