ଆସୁଛି ନୂଆ ଷ୍ଟକ୍, ପୁରୁଣାରେ ରିହାତି

ନୂଆଦିଲ୍ଲୀ(ଓଟି): ଆସୁଛି ଗ୍ରୀଷ୍ମ ଋତୁ। ଗ୍ରୀଷ୍ମରେ ଏୟାରକଣ୍ଡିସନର୍, ଫ୍ରିଜ୍ ଏବଂ ୱାସିଙ୍ଗମେସିନ୍ ଆଦିର ବହୁଳ ଚାହିଦା ଥିବାବେଳେ ପୁରୁଣା ଷ୍ଟକ୍ ସାରିବାକୁ ସବୁ କମ୍ପାନୀ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏହାକୁ ନେଇ ଭାରତରେ କାରବାର କରୁଥିବା ନାମୀଦାମୀ ଇଲେକ୍ଟ୍ରୋନିକ୍ କମ୍ପାନୀମାନଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀ ଉପରେ ରିହାତି ଘୋଷଣା କରାଯାଇଛି। ବିଶେଷକରି ଆଗାମୀ ଫେବ୍ରୁଆରୀରୁ ବିଭିନ୍ନ କମ୍ପାନୀର ନୂଆ ଉତ୍ପାଦ ସହ ଷ୍ଟକ୍ ବଜାରକୁ ଆସିବାକୁ ଥିବା ବେଳେ ସେମାନେ ପୁରୁଣା ଷ୍ଟକ୍ ଶେଷ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି ଜାତୀୟସ୍ତରରେ କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି। ସାମସଙ୍ଗ ପକ୍ଷରୁ ଏହାର ଇନଭର୍ଟର ଏସି ଉପରେ ବିପୁଳ ରିହାତି ଘୋଷଣା କରାଯାଇଥିବା ବେଳେ ୱାସିଙ୍ଗ ମେସିନ୍ ଏବଂ ରେଫ୍ରିଜେରେଟର୍ ଉପରେ ମଧ୍ୟ ରିହାତି ଘୋଷଣା କରାଯାଇଛି । ସେହିପରି ଅନେକ କମ୍ପାନୀଙ୍କ ପକ୍ଷରୁ ସେମାନଙ୍କ ଉତ୍ପାଦ ଉପରେ କ୍ୟାଶ୍ ବ୍ୟାକ୍ ଅଫର୍ ମଧ୍ୟ ଘୋଷଣା କରାଯାଇଛି ବୋଲି କୁହାଯାଇଛି। ଏଲଜି, ହିଟାଚି ଏବହ ହ୍ୱିର୍ଲପୁଲ ପକ୍ଷରୁ ଏୟାରକଣ୍ଡିସନର୍ ଉପରେ ୪ ରୁ ୫ ପ୍ରତିଶତ ରିହାତି ଘୋଷଣା କରାଯାଇଛି। ସେହପରି ଆଇଏଫବି ପକ୍ଷରୁ ମଧ୍ୟ ଏହାର ବିଭିନ୍ନ ରେଞ୍ଜର ୱାସିଙ୍ଗ ମେସିନ୍ ଉପରେ ୪ ପ୍ରତିଶତ ରିହାତି ଘୋଷଣା କରାଯାଇଛି। କେବଳ ପୁରୁଣା ଷ୍ଟକ୍ ଶେଷ କରିବା ବିଷୟ ନୁହେଁ, ଗ୍ରୀଷ୍ମ ଋତୁ ପାଇଁ ବିଭିନ୍ନ କମ୍ପାନୀ ସେମାନଙ୍କ ପ୍ରଚଳିତ ଉତ୍ପାଦରେ ପରିବର୍ତ୍ତନ ଆଣି ନୂତନ ତଥା ଅତ୍ୟାଧୁନିକ ଶ୍ରେଣୀର ଉତ୍ପାଦ ବଜାରକୁ ଛାଡିବାକୁ ପ୍ରସ୍ତୁତ ହେଉଥିବା ବେଳେ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀ ସେମାନଙ୍କ ଉତ୍ପାଦ ଉପରେ ଏଭଳି ରିହାତି ଘୋଷଣା କରିବା ଆରମ୍ଭ କରିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

Leave a Reply

Your email address will not be published. Required fields are marked *