ବୋଲଗଡ-ବେଗୁନିଆ : ନିର୍ଣ୍ଣାୟକ ଭୂମିକାରେ ଡାର୍କହର୍ସ ପ୍ରଦୀପ ସାହୁ
୨୦୧୯ ବିଧାନସଭା ନିର୍ବାଚନର ସବୁଠୁ ମଜାଦାର ଲଢେଇ ଦେଖିବାକୁ ମିଳୁଛି ବୋଲଗଡ-ବେଗୁନିଆ ନିର୍ବାଚନ ମଣ୍ଡଳୀରେ। ଏହି ଆସନଟି ହେଉଛି ପୂର୍ବମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ। ଦୀର୍ଘଦିନ ଧରି ଏହା କଂଗ୍ରେସର ଗଡ଼ ହୋଇରହିଥିଲା। ୨୦୦୦ରେ ବିଜେପିରୁ ପ୍ରଶାନ୍ତ ନନ୍ଦ ବିଜୟ ଲାଭ କରିଥିଲା ବେଳେ ୨୦୦୪ରେ ଜାନକୀ ବଲ୍ଲଭ ଏହି ଆସନରୁ ଜିତିଥିଲେ।

୨୦୦୯ରେ ବିଜେଡି ସମର୍ଥନରେ ଏନସିପି ପ୍ରାର୍ଥୀ ପ୍ରଶାନ୍ତ ନନ୍ଦଏହି ଆସନକୁ ହାତେଇଥିଲା ବେଳେ ୨୦୧୪ରେ ବିଜେଡି ନେଇଥିଲାଏହି ଆସନକୁ। ଜିତିଥିଲେ ଗଣେଶ ଜଗଦେବ।
ହେଲେ ୨୦୧୯ର ସ୍ଥିତି ବଡ଼ ରୋଚକ ପରିସ୍ଥିତି ସୃଷ୍ଟି କରିଛି। ପୂର୍ବଥରର ବିଜୟୀ ପ୍ରାର୍ଥୀଙ୍କୁ ଏଥର ବିଜେଡି ସୁପ୍ରିମୋ ଏହି ଆସନରୁ ଟିକଟ ନଦେଇ ତାଙ୍କୁ ପଠାଇଛନ୍ତି ଚିଲିକାକୁ। ବିଧାୟକଙ୍କ ନା ରେ ଗୁଣ୍ଡାଗର୍ଦ୍ଦି ଓ ଦବଙ୍ଗଗିରିର ଅନେକ ଅଭିଯୋଗ ଆସିଥିଲା। ହେଲେ ଏହି କ୍ଷେତ୍ରରେ ବିଜେଡ ନେତୃତ୍ୱ ଏକ ବଡ଼ କୌଶଳାତ୍ମକ ତ୍ରୁଟି କରିଦେଇଛନ୍ତି। ଏଠାରେ ପ୍ରାର୍ଥୀ ଅଦଳ ବଦଳ ହିଁ ଏବେ ଦଳକୁ ମହଙ୍ଗା ପଡିପାରେ।
ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଏଠାରୁ ପ୍ରାର୍ଥୀ କରିବା ପରେ ବିଜେଡିର ସବୁ ଗଣିତ ଏଇଠୁ ବିଗିଡି ଯାଇଛି। ସ୍ଥାନୀୟ ବିଧାୟକ ଗଣେଶଙ୍କୁ ପ୍ରାର୍ଥୀ ଏହି କାରଣରୁ କରାଯାଇନଥିଲା ଯେ, ଅଞ୍ଚଳରେ ତାଙ୍କର ଗୁଣ୍ଡାଗର୍ଦ୍ଦିକୁ ନେଇ ଲୋକଙ୍କ ଭିତରେ ବଡ଼ ଅସନ୍ତୋଷ ସୃଷ୍ଟି ହୋଇଥିଲା।
ବେଗୁନିଆରେ ଖରାପ ଥିବା ଗଣେଶ ଚିଲିକାରେ କିପରି ଭଲ ହୋଇଗଲେ ତାହା ବିତର୍କର ବିଷୟ। ହେଲେ ଏହା ସତ ଯେ, ଟିକଟ ବଦଳିବା କାରଣରୁ ଗଣେଶ ବିଦ୍ରୋହ କରିନାହାଁନ୍ତି। ତେବେ ସେ ମଧ୍ୟ ଚାହୁଁନାହାଁନ୍ତି ଯେ, ନିଜେ ଗଢିଥିବା ସଙ୍ଗଠନକୁ ରାଜେନ୍ଦ୍ର ସାହୁଙ୍କ ହାତକୁ ଟେକିଦେବା ପାଇଁ। ତାଙ୍କର ଲକ୍ଷ୍ୟ ହେଉଛି ୨୦୨୪କୁ। ସେ ପୁଣି ଥରେ ବୋଲଗଡ଼- ବେଗୁନିଆ ଫେରିବାର ଲକ୍ଷ୍ୟରେ ଅଛନ୍ତି। ରାଜେନ୍ଦ୍ର ସାହୁ ଗଣେଶଙ୍କ ସଂଗଠନର ଫାଇଦା ନେଇ ନିର୍ବାଚନ ଜିତିବାର ବଡ଼ ଲକ୍ଷ୍ୟ ରଖିଥିଲା ବେଳେ ଗଣେଶ ତାଙ୍କ ପୂର୍ବ ସଂଗଠନର କର୍ମୀମାନଙ୍କୁ କି ମନ୍ତ୍ର ଦେଉଛନ୍ତି ତାହା ବଡ଼କଥା। ଯଦିଓ ସେ ରାଜେନ୍ଦ୍ରଙ୍କୁ ଖୋଲାଖୋଲି ବିରୋଧ କରିନାହାଁନ୍ତି ତେବେ ଅନେକ ବିଜେଡି କର୍ମୀ ଏବେ ଧିରେଧିରେ ରାଜେନ୍ଦ୍ରଙ୍କ ଠାରୁ ଦୂରେଇ ରହୁଥିବା ଦେଖିବାକୁ ମିଳେ। ତେବେ ଦେଖିବାକୁ ମିଳୁଛି ଯେ, ନିର୍ବାଚନ ଯେତିକି ପାଖଉଛି, କିଛି ନିର୍ଦ୍ଦିଷ୍ଟ ବିଜେଡି କର୍ମୀ ତାଙ୍କ ଠାରୁ ଦୂରେଇବାରେ ଲାଗିଛନ୍ତି।
ବିଜେଡି ଭିତରର ଏହି ଲୁଚାଛପା ଖେଳ ଭିତରେ ଡାର୍କହର୍ସ ଭାବେ ଉଭା ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ। ତାଙ୍କର ବଡ଼ ଆଡଭାଣ୍ଟେଜ ହେଉଛି ସେ ସ୍ଥାନୀୟ ଲୋକ। ନିଜକୁ ମାଟିର ପୁଅ ବୋଲି ଉପସ୍ଥାପିତ କରି ପ୍ରଚାର କରୁଥିଲା ବେଳେ ବିଜେଡି ଭିତିରି ଲଢେଇର ଫାଇଦା ଆଶା ରଖିଛନ୍ତି। ୨୦୦୯ରେ ପ୍ରଦୀପ କଂଗ୍ରେସରୁ ଠିଆ ହୋଇଥିଲା ବେଳେ ୨୦୧୪ରେ ସେ ମାଠିଆ ଚିହ୍ନରେ ଠିଆ ହୋଇ ୩୦ହଜାର ଭୋଟ ପାଇଥିଲେ। ଏବେ ସେ କଂଗ୍ରେସ ଟିକଟରେ। ଏଠାରେ କଂଗ୍ରେସର ଏକ ଭୋଟ ଆଧାର ଅଛି। ତେଣୁ କଂଗ୍ରେସ ଭୋଟ ସହ ନିଜ ଲୋକପ୍ରିୟତା ଏବଂ ଗଣେଶଙ୍କ ୨୦୨୪ ପାଇଁ ଉଦ୍ୟମ ପ୍ରଦୀପଙ୍କୁ ବଡ଼ ଫାଇଦା ଦେଇପାରେ। ତାଙ୍କର ନିଜସ୍ୱ ପତିଆରା ମଧ୍ୟ ଥିବାରୁ ସେ ଡାର୍କହର୍ସ ହୋଇ ଏହି ନିର୍ବାଚନରୁ ଫାଇଦା ନେଇପାରନ୍ତି।
ଏହି ବିଜେଡି-କଂଗ୍ରେସ ଲଢେଇ ଭିତରେ ସରପ୍ରାଇଜ କ୍ୟାଣ୍ଡିଡେଟହେଉଛନ୍ତି ବିଜେପିର ରିଷଭ ନନ୍ଦ। ତାଙ୍କ ବାପା ହେଉଛନ୍ତି ପ୍ରଶାନ୍ତ ନନ୍ଦ। ପ୍ରଶାନ୍ତ ୨୦୦୦ ଏବଂ ୨୦୦୯ରେ ନିର୍ବାଚନ ଜିତିଥିଲେ। ୨୦୦୯ରେ ସେ ବିଜେଡି ସମର୍ଥନରେ ଏନସିପିରୁ ପ୍ରାର୍ଥୀ ହୋଇଥିଲେ। ତେଣୁ ତାଙ୍କର ବିଜେଡିର ସମର୍ଥନ ଅଛି। ବିଜେପି ଲିଡ ମଧ୍ୟ ଅଛି। ଯାହା ରିଷଭଙ୍କ ପାଇଁ ବଡ଼ ବିଷୟ। ଏବେ ଏକ ରିବର୍ତ୍ତନର ଧାରା ଦେଖିବାକୁ ମିଳୁଥିଲା ବେଳେ ରିଷଭ ନିଜର ଦକ୍ଷତା, ବିଜେପିର ଲୋକପ୍ରିୟତା, ବାପାଙ୍କର ପ୍ରଭାବ ଆଉ ବିଶେଷ କରି ପ୍ରଦୀପ ଓ ରାଜେନ୍ଦ୍ରଙ୍କ ଲଢେଇରୁ ଫାଇଦା ଟାଣିବାର ଆଶାରେ ଅଛନ୍ତି। ବର୍ତ୍ତମାନ ଯେଉଁ ପରିସ୍ଥିତି ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଛି ସେଥିରୁ ଏକ ଧାରଣା ସୃଷ୍ଟି ହେଉଛି ଯେ, ଏଥର ଲଢେଇ ପ୍ରଦୀପ ଓ ରିଷଭଙ୍କ ମଧ୍ୟରେ ହେବାକୁ ଯାଉଛି।