ବୀରବଲଙ୍କ କାଉ ଓ ରାଜ୍ୟ ସରକାରଙ୍କ ଭିକାରୀ ଗଣନା

ହାଲକୁ ଦେଶରେ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଛି। ଓଡ଼ିଶାରେ ବାଘ ସଂଖ୍ୟା ଯେଉଁ ୨୮ କି ସେଇ ୨୮। ଏଠି ସିଂହମାନଙ୍କର ଉପିାତ ଏତେ ଅଧିକ ଯେ ବାଘମାନଙ୍କ ବଂଶ ବଢ଼ିପାରୁନି। ସରକାରଙ୍କ ଅବହେଳା କାରଣରୁ ସୁରକ୍ଷା ନପାଇ ହାତୀବଂଶଙ୍କ ଉପରେ ତ ବିପଦ ବଢ଼ିବଢ଼ି ଚାଲିଛି। ସରକାର କୁମ୍ଭୀର, ଚଢ଼େଇ ଗଣନା କରଛନ୍ତି। କିନ୍ତୁ ଏବେ ଭିକାରୀ ଗଣନା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କଟକରେ ବେଶି ଭିକାରୀ ଆଉ ଦେବଗଡ଼ରେ ସବୁଠାରୁ କମ‍୍‌ ଭିକାରୀ ଅଛନ୍ତି ବୋଲି ସରକାର ବିଧାନସଭାରେ ପ୍ରକାଶ କରିଛନ୍ତି।

ସରକାରଙ୍କ ଭିକାରୀ ଗଣନା ବୀରବଲଙ୍କ କାଉ ଗଣନା କଥା ମନେପକାଇ ଦେଇଛି। ବାଦଶାହା ଆକବର କାଉ ଗଣିବା ପାଇଁ ଦାୟିତ୍ୱ ଦେଇଥିଲେ ବୀରବଲଙ୍କୁ। ବୀରବଲ ଜଣେ ପାକଳ ବୁଦ୍ଧିଆ ଲୋକ। ଘରେ ବସିବସି ଖାଲି ଝରକା ଆଡ଼କୁ ଅନେଇ କାଉଙ୍କ ତାଲିକା ପ୍ରସ୍ତୁତ କରିଦେଲେ। ଆକବର ପଚାରିଲେ ଯଦି ଏହି ସଂଖ୍ୟାଠାରୁ କାଉଙ୍କ ସଂଖ୍ୟା ଅଧିକ ହୁଏ, ତେବେ କି ଦଣ୍ଡ ପାଇବେ ବୀରବଲ? ଚଟାପଟ ଉତ୍ତର ଦେଇଥିଲେ ସେ। କହିଲେ ଯଦି ଅଧିକ ହବ, ତେବେ କାଉଙ୍କ ବନ୍ଧୁମାନେ ଏଠାକୁ ଆସିଥିବେ। ଯଦି କମି ଯିବେ, ତେବେ ଏଠିକା କାଉ ବାହାରେ ରହୁଥିବା ତାଙ୍କ ବନ୍ଧୁଙ୍କ ଘରକୁ ଯାଇଥିବେ। କିଏ ଆଉ କାଉ ଗଣିବା ନା ବୀରବଲଙ୍କୁ ମିଛୁଆ ବୋଲି ପ୍ରମାଣିତ କରିବ?

ଠିକ ସେମିତି ସରକାରଙ୍କ ଭିକାରୀ ଗଣନା। ଆମ ଦେଖାକୁ ସବୁଠୁ ବେଶି ଭିକାରୀ ପୁରୀରେ। ବଡ଼ ଦାଣ୍ଡରୁ ଆରମ୍ଭ କରି ଲୋକନାଥ ମନ୍ଦିର, ପୁଣି ଅଲାରନାଥଙ୍କଠାରୁ ଆରମ୍ଭ କରି ସମୁଦ୍ରକୂଳ ଯାଏ ମାଳମାଳ ଭିକାରୀ। କିନ୍ତୁ ଭିକାରୀ ତାଲିକାରେ ପୁରୀର ସ୍ଥାନ ବହୁ ତଳେ। ଏମିତିବି ହେଇଥାଇପାରେ ସରକାର ଫୋନି ପରେ ଭିକାରୀ ଗଣନା କରିଛନ୍ତି। ବାତ୍ୟା ଯୋଗୁଁ ଭୂତ ଭଳିଆ ଦିଶୁଥିଲା ପୁରୀ। ତେଣୁ ଭିକାରୀମାନେ ସେମାନଙ୍କ ବନ୍ଧୁଙ୍କ ଘରକୁ ପଳାଇ ଯାଇଥାଇପାରନ୍ତି। କଟକରେ ବାଦାମବାଡ଼ି ଓ ବଡ଼ ଡାକ୍ତରଖାନା ପାଖରେ ଭିକାରୀଙ୍କ ସଂଖ୍ୟା ଅଧିକ। କିନ୍ତୁ ପୁରୀ ତୁଳନାରେ ଏହା କିଛି ନୁହେଁ ବୋଲି ଅନେକ କହିଲେଣି। ପୁରୀକୁ ବାହାରୁ ଯେତେ ଲୋକ ଆସୁଚନ୍ତି ଜଗନ୍ନାଥ କି ଲୋକନାଥଙ୍କ ନାଁ ରେ ପଇସା ମାଗିଲେ ମିଳିଯାଉଛି। ଏହାପରେ ଯଦି ସରକାର କହିବେ ଯେ ଭିକାରୀଙ୍କ ସଂଖ୍ୟା ଏତିକି, କେଉଁ ପାଜି କି ପାମର ନିଜେ ଗଣାଗଣି କରି ସରକାରଙ୍କୁ ମିଛୁଆ ବୋଲି କହିବାକୁ ବାହାରିବେ କି? ଏହାକୁ କହନ୍ତି ନୂଆ ଯୁଗର ବୀରବଲଙ୍କ ଭିକାରୀ ଗଣନା।

Leave a Reply

Your email address will not be published.