ବାସୁଦେବପୁର ନିର୍ବାଚନମଣ୍ଡଳୀ : ୩ ଦଳରେ କିଛି ନୂଆ କିଛି ପୁରୁଣା
ଭଦ୍ରକ ଜିଲ୍ଲାର ନିର୍ବାଚନ ଚତୁର୍ଥ ପର୍ଯ୍ୟାୟରେ ହେବ। ସେଥିପାଇଁ ସବୁ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣାରେ ବିଳମ୍ୱ କରୁଛନ୍ତି। ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି। ଶାସକ ବିଜେଡି ବର୍ତ୍ତମାନର ବିଧାୟକ ତଥା ରାଜ୍ୟର ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁତ୍ର ବିଷ୍ଣୁବ୍ରତ ରାଉତରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପୂର୍ବତନ ନଗରପାଳ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସରୁ ବାରମ୍ୱାର ପ୍ରାର୍ଥୀ ହୋଇ ପରାଜିତ ହୋଇ ଆସୁଥିବା ତଥା ଏଥର ବିଜେପି ଶିବିରରେ ଯୋଗ ଦେଇଥିବା ବର୍ଷୀୟାନ ନେତା ମାଧବାନନ୍ଦ ମଲ୍ଲିକଙ୍କୁ ବିଜେପି ପ୍ରାର୍ଥୀ କରିଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ନାତି ତଥା ମନ୍ତ୍ରୀ ବିଜୟଶ୍ରୀଙ୍କ ସୁପୁତ୍ର ଭାବେ ବଂଶବାଦକୁ ପାଥେୟ କରି ବିଜେଡି ଟିକଟରେ ଏଥର ପ୍ରଥମ ନିର୍ବାଚନ ଲଢିବେ ବିଷ୍ଣୁବ୍ରତ। ବାପାଙ୍କ ଦବ୍ ଦବା ମୁଖ୍ୟ ଅସ୍ତ୍ର ହୋଇଥିବା ବେଳେ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କ ସ୍ୱାମୀ ତଥା ବର୍ତ୍ତମାନର ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଘର ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ। ପୂର୍ବରୁ ବିଜେଡିର ବିଜୟରେ ଶ୍ରୀ ମଣ୍ଡଳ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବାରୁ ଚଳିତ ନିର୍ବାଚନରେ ମଧ୍ୟ ଶ୍ରୀ ମଣ୍ଡଳ ବିଷ୍ଣୁବ୍ରତଙ୍କୁ ବିଜୟୀ କରାଇବାରେ ସହାୟକ ହେବା ଅନୁମାନ କରାଯାଏ।
ଅତୀତରେ ବିଜେଡି ସହ ଲଢେଇରେ ଦ୍ୱିତୀୟ ସ୍ଥାନରେ ରହି ଆସିଥିବା କଂଗ୍ରେସ ଏଥର ନୂଆ ପ୍ରାର୍ଥୀଙ୍କୁ ଦେଇଛି। ଏଠାରେ କଂଗ୍ରେସ ହୋଇଛି୨ ଫାଳ। ଗୋଟିଏ ଗୋଷ୍ଠୀ ପୂର୍ବତନ ବିଧାୟକ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କ ଗୋଷ୍ଠୀର ଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ଅଶୋକ ଦାସଙ୍କ ସମର୍ଥକ। ବାସୁଦେବପୁର ନିର୍ବାଚନମଣ୍ଡଳୀ ବାସୁଦେବପୁର ବ୍ଳକର ୩୬ ପଞ୍ଚାୟତ, ତିହିଡି ବ୍ଳକର ୯ ପଞ୍ଚାୟତ ଏବଂ ବାସୁଦେବପୁର ପୌରପାଳିକାର ୨୩ଟି ୱାର୍ଡକୁ ନେଇ ଗଠିତ। ଚଳିତ ନିର୍ବାଚନ ପାଇଁ ୨ ଲକ୍ଷ ୪୬ ହଜାର ୩୨୦ ଭୋଟର ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୧ଲକ୍ଷ ୨୯ ହଜାର ୪୫୬ ଏବଂ ମହିଳା ଭୋଟର ହେଉଛନ୍ତି ୧ଲକ୍ଷ ୧୬ ହଜାର ୮୩୫।
ଗତ ନିର୍ବାଚନରେ ବିଜୟଶ୍ରୀ ରାଉତରାୟ ବିଜେଡିରୁ ୭୭ ଲକ୍ଷ ୭୮୧ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମାଧବାନନ୍ଦ ମଲ୍ଲିକ ୭୧ ହଜାର ୨୭୫ ଭୋଟ ପାଇ ପରାଜିତ ହୋଇଥିଲେ। ଏହି ଆକଳନକୁ ତର୍ଜମା କଲେ ଜଣାଯାଏ ଯେ ବାସୁଦେବପୁରରେ କଂଗ୍ରେସ ମଧ୍ୟ ଭଲ ଟକ୍କର ଦେଇଥିଲା। ବିଜେପି ଏଠାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ଭୋଟ ମଧ୍ୟ ସେଭଳି ଆଖିଦୃଶିଆ ନ ଥିଲା। ୨୦୧୪ର ବିଜେପି ପ୍ରାର୍ଥୀ ଦୀନବନ୍ଧୁ ପତି ମାତ୍ର ୧୫ ହଜାର ୩୩୯ ଖଣ୍ଡ ଭୋ ପାଇଥିଲେ। ମାଧବାନନ୍ଦ ବିଜେପିକୁ ଆସିବା ପରେ ଦୀନବନ୍ଧୁ ଏବଂ ତାଙ୍କ ସମର୍ଥକ ଏହାକୁ ଗ୍ରହଣ କରିପାରି ନାହାନ୍ତି। ତେବେ ଆଗକୁ ଏହି ନିର୍ବାଚନମଣ୍ଡଳୀରେ କିଏ ବିଜୟୀ ହେବ ଏବଂ କିଏ ହେବ ଚିତପଟାଙ୍ଗ ତାହାକୁ ନେଇ ଚାଲିଛି ଅଙ୍କ କଷା।