କୋଭିଡ୍ ମୁଖପାତ୍ର ସୁବ୍ରତୋ ବାଗ୍ଚୀଙ୍କ ପରାମର୍ଶ, ପୋକଡ଼ା ବାଇଗଣ ଖାଅ
ଭୁବନେଶ୍ଵର, (ଓଟି): ଯେଉଁ ୪ଜଣ କରୋନା ପଜିଟିଭ୍ଙ୍କୁ ଗୁରୁବାର ରାତିରେ ଚିହ୍ନଟ କରାଯାଇଛି ସେମାନେ କେଉଁଠାର, କେଉଁ ଅଞ୍ଚଳ ଏବେ ପ୍ରଭାବିତ ହୋଇଛି ସେ ବାବଦରେ ସୂଚନା ଦବୋ ବଦଳରେ ଆଉ ଏକ ଅବାନ୍ତର ପରାମର୍ଶ ଦେଇଛନ୍ତି କୋଭିଡ୍ ମୁଖପାତ୍ର ସୁବ୍ରତୋ ବାଗ୍ଚୀ। ଲୋକଙ୍କ ସାମାଜିକ ଦୂରତ୍ଵ ରକ୍ଷା ପାଇଁ ପରାମର୍ଶ ଦେବାକୁ ଯାଇ ସେ ଏପରି କହିଛନ୍ତି। ସେ କହିଛନ୍ତି ଯେ, ବଜାରରେ ପରିବା ବାଛନ୍ତୁ ନାହିଁ। ବିକାଳୀକୁ କହନ୍ତୁ ସେ ବାଛିବ। ଆପଣ ଘରକୁ ଆଣି ପରିବାରେ ପୋକ ପାଇଲେ ଶାନ୍ତି ହୋଇ ରହନ୍ତୁ । ଭାବନ୍ତୁ ଯେ, ଆପଣ ପୋକ ପଛେ ପାଇଛନ୍ତି କରୋନା ଭାଇରସ୍ ପାଇ ନାହାନ୍ତି।
ଆପଣଙ୍କୁ ହସ୍ ଲାଗୁଥାଇପାରେ କିନ୍ତୁ ଏହା ଶ୍ରୀ ବାଗ୍ଚୀଙ୍କ ପରାମର୍ଶ। କୌଣସି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନୁଚିତ ମନେ କରୁଥିବା ସରକାରଙ୍କ ଏହି ମୁଖପାତ୍ର ସରକାରଙ୍କ ପକ୍ଷରୁ ଭିଡିଓ ବାର୍ତ୍ତା ଦେବା ଅବସରରେ ଜଣେ ଦର୍ଶକଙ୍କ କଥା ଉଲ୍ଲେଖ କରିଛନ୍ତି। ତେବେ ସେ ଦର୍ଶକ କିଏ ତାହାକୁ କହି ନାହାନ୍ତି। ସେ ଦେଇଥିବା ପରାମର୍ଶକୁ ବାଗ୍ଚୀ ଉଦ୍ଧାର କରିଛନ୍ତି। ସେ କହିଛନ୍ତି ‘କିଛି ବ୍ୟକ୍ତି ପରିବା କିଣିବା ବେଳେ ଭଲ ପରିବା ଘରକୁ ଆଣିବା ଲାଗି ବାରମ୍ବାର ବାଛନ୍ତି। ଏହାଦ୍ଵାରା ଭୁତାଣୁ ଘରକୁ ଆସିବା ଆଶଙ୍କା ରହିଛି। ଏହା ନକରି ସେ ବ୍ୟକ୍ତି ଦୋକାନୀ ଦେଉଥିବା ପରିବା ଆଣିବା ଉଚିତ ହେବ ବୋଲି କହିଛନ୍ତି’।
ଏଭଳି ପରାମର୍ଶ ତାଙ୍କର ବ୍ୟକ୍ତିଗତ ହୋଇଥାଇପାରେ କୌଣସି ଦର୍ଶକଙ୍କ ନୁହେଁ। କିନ୍ତୁ ସରକାରଙ୍କ ପକ୍ଷରୁ ଏହି କଥାକୁ ଗୁରୁତ୍ଵ ଦେବା କୌଣସି ଆବଶ୍ୟକ ନାହିଁ। ଯଦି ଏପରି ଅଣ ବୈଜ୍ଞାନିକ ପରାମର୍ଶକୁ ସୁଯୋଗ ଦିଆଯିବ ତେବେ ତୁଳସୀ ଖାଇଲେ ରୋଗ ପଅତିରୋଧକ ଶକ୍ତି ବଢ଼ିବ ବୋଲି କିଏ କହିବା କାହିଁକି ଗୁଜବ ହେବ?
ସୁବ୍ରତୋଙ୍କ ଏହି ଯୁକ୍ତିରେ କି ବୈଜ୍ଞାନିକ କାରଣ ରହିଛି ତାହା ଅସ୍ପଷ୍ଟ ଓ ସେ ବି ଏହାକୁ କହି ନାହାନ୍ତି। ହେଲେ ପ୍ରଶ୍ନ ଉଠୁଛି ଯେ, ଯଦି ପରିବା ଦ୍ଵାରା ଭୁତାଣୁ ଆସିବା ଆଶଙ୍କା ରହିଛି ତେବେ ସେହି ଦୋକାନୀ ଦେଇଥିବା ପରିବା ଦ୍ଵାରା ତାହା ଘରକୁ ଆସିବ ନାହିଁକି?
ସ୍ଥାନୀୟ ସଂକ୍ରମଣକୁ ରୋକିବା ଲାଗି ସରକାର ଆକ୍ଟିଭ୍ ସର୍ଭିଲାନ୍ସ ବ୍ୟବସ୍ଥା କରୁଛନ୍ତି। ଏଠାରେ ଯଦି ପରିବା ଦୋକାନରେ କରୋନା ଭୟ ହେବ ତେବେ ଲୋକେ ଖାଇବେ କ’ଣ। ଏପରି ବାରମ୍ବାର ଆତଙ୍କିତ କରି ସରକାରଙ୍କ ଏହି ମୁଖପାତ୍ର କି ପ୍ରକାର ଆନନ୍ଦ ପାଉଛନ୍ତି?
ଗତକାଲି ମଧ୍ୟ ଶ୍ରୀ ବାଗ୍ଚୀ ମିଡିଆ ସରକାରଙ୍କ କୋଭିଡ୍ ନିୟନ୍ତ୍ରଣ ପଦକ୍ଷେପ ବାବଦରେ ପ୍ରଶ୍ନ କରିଥିବାରୁ ସମାଲୋଚନା କରିଥିଲେ। କୋଭିଡ୍ ଯୁଦ୍ଧ କ୍ରିକେଟ୍ ମ୍ୟାଚ୍ ନୁହେଁ ବୋଲି ସାମ୍ବାଦିକଙ୍କୁ ବୁଝାଇଥିଲେ। ଆଜି ଏପରି ଏକ ଅବାନ୍ତର, ଉଦ୍ଭଟ ଚିନ୍ତାଧାରାକୁ ବ୍ୟକ୍ତ କରି ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି।
ଆଜି ଶ୍ରୀ ବାଗ୍ଚୀ ଲୋକଙ୍କୁ ମାସ୍କ ପିନ୍ଧିବା ଲାଗି କାହିଁକି ବାଧ୍ୟ କରି ଆଇନ ପ୍ରଣୟନ ହେଲା ଏବଂ ଜୋରିମାନା ବ୍ୟବସ୍ଥା ହେଲା ତାହା କହିବା ଲାଗି ବିବିସିର ଏକ ରିପୋର୍ଟକୁ ଉଦ୍ଧାର କରିଛନ୍ତି। ସେ କହିଛନ୍ତି, ଏହି ରିପୋଟର୍ର୍ରେ ଜଣେ ସାଧାରଣ ବ୍ୟବକ୍ତି ଘଣ୍ଟାକୁ ୨୩ଥର ମୁହଁକୁ ହାତ ନେଇଥାଏ। ଯଦି ଶୋଇବା ସମୟକୁ କାଢ଼ଇ ଦିଆଯିବ ତେବେ ୧୬ ଘଣ୍ଟାରେ ଜଣେ ବ୍ୟକ୍ତି ହାରାହାରି ୩୬୮ ଥର ହାତ ନେଇଥାଏ। ଏହି ସମୟରେ ଭୁତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି। ଏଣୁ ଯଦି ମାସ୍କ ପିନ୍ଧିବ ତେବେ ତାହା ରୋକି ହେବ। ହାତ ତା’ର ନାକରେ ବାଜିବ ନାହିଁ। ତାହା ସଂକ୍ରମଣକୁ ବଢ଼ାଇବ ନାହିଁ।
ବିବିସି କେଉଁ ଅର୍ଥରେ ସେ ସର୍ବେକ୍ଷଣ କରି ରିପୋଟ ରଖିଛନ୍ତି ତାହା ଦୂରର କଥା କିନ୍ତୁ ମାସ୍କ ପିନ୍ଧିଲେ ମୁହଁକୁ ହାତ ଯିବ ନାହିଁକି? ଯଦି ଯିବ ତାହା ତ ମାସ୍କରେ ବାଜିବ। ଆଉ ତାହା ପୁଣି ମାସ୍କର ବାହାର ପଟେ। ଏହା ହେଲେ ଯଦି ମାସ୍କର ବାହରପଟେ ଭୁତାଣୁ ଲାଗି ଥିବେ ତେବ ତାହା ହାତକୁ ଆସିବ ନାହିଁକି? ହାତକୁ ଆସିଲେ ତାହା ପରେ ସଂକ୍ରମଣର ବାହକ ହେବ ନାହିଁକି? ଏଣୁ ଏପରି ଯୁକ୍ତି କେତେ ସଙ୍ଗତ ତାହା ବିଚାର ଯୋଗ୍ୟ।
ବାଗ୍ଚୀଙ୍କ ଏହି ଭିଡିଓ ବାର୍ତା ପ୍ରଦାନ ବେଳେ ଡିଏମ୍ଇଟିର ନିର୍ଦେଶକ, ଆଞ୍ଚଳିକ ଭେଷଜ ଗବେଷଣା ପରିଷଦର ମୁଖ୍ୟଙ୍କ ଭଳି ପ୍ରଫେସନାଲ୍ ଓ ସୂଚନା ପ୍ରସାରଣ ବିଭାଗର ଶାସନ ସଚିବ ଉପସ୍ଥିତ ରହିଥିଲେ ମଧ୍ୟ ଏପରି ପରାମର୍ଶ ଦେଇ ନାହାନ୍ତି। ଯଦିଓ ଏହା ଏକ ଜନସ୍ଵାସ୍ଥ୍ୟ ବିଷୟ ଶ୍ରୀ ବାଗ୍ଚୀ କେବେ ଜନସ୍ଵାସ୍ଥ୍ୟ ବିଭାଗ ସହ ଜଡ଼ିତ ଥିଲେ ତାହା କେଉଁଠି ଉଲ୍ଲେଖ ଥିବା ଇଣ୍ଟରନେଟ୍ରେ ମିଳୁନାହିଁ। ଏଣୁ ପ୍ରଶ୍ନ ଉଠୁଛି ଯଦି ସରକାର ଜନସ୍ଵାସ୍ଥ୍ୟ ବିଷୟରେ ପରାମର୍ଶ ଦେବାକୁ ଆବଶ୍ୟକ ମନେ କରୁଛନ୍ତି ତାଙ୍କ ପାଖରେ କ’ଣ ପ୍ରଫେସନାଲ୍ ନାହାନ୍ତି?
ଏହାପୂର୍ବରୁ କ୍ଵାରେଣ୍ଟାଇନ୍କୁ ଅଣସର ଏବଂ ଲକ୍ଡାଉନ୍ ସମୟକୁ ଶ୍ରୀଜଗନ୍ନାଥଙ୍କ ପାତାଳୀ ହେବା ଘଟଣଶ ସହ ତୁଳନା କରି ସୁବ୍ରତୋ ଗଣମାଧ୍ୟମରେ ସମାଲୋଚିତ ହୋଇଥିଲେ।
( ଓଡ଼ିଶାଟାଇମ ତୁଳସୀ ପତ୍ର ଖାଇବା ଭଳି ଅଣ ବୈଜ୍ଞାନିକ, ଅଣ ପ୍ରମାଣିତ ପରାମର୍ଶକୁ ସ୍ଵିକୃତୀ ଦେଉ ନାହିଁ। )।
ଅଧିକ ଖବର ପାଇଁ କ୍ଳିକ୍ କରନ୍ତୁ