ପୁଣି ଆନ୍ଦୋଳନ କରିବେ ବ୍ୟାଙ୍କ କର୍ମଚାରୀ!
ନୂଆଦିଲ୍ଲୀ(ଓଟି): ପୁଣି ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ସରକାରୀ ବ୍ୟାଙ୍କ କର୍ମଚାରୀ। ବାରମ୍ବାର ଧର୍ମଘଟ କରାଯାଉଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ଆସନ୍ତା ୧୧ରୁ ୩ଦିନିଆ ହରତାଳ କରାଯିବ ବୋଲି ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରୀ ୩୧ରୁ ଦୁଇଦିନିଆ ଆନ୍ଦୋଳନ କରିଥିଲେ ବ୍ୟାଙ୍କ କର୍ମଚାରୀ, କିନ୍ତୁ ଦାବି ପୂରଣ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଆଗକୁ ଆନ୍ଦୋଳନ ହେଲେ ପ୍ରାୟ ୬ ଦିନ ଧରି ସାଧାରଣ ଜନତାଙ୍କୁ ବ୍ୟାଙ୍କ ଓ ଏଟିଏମ୍ ସେବା ଠିକ୍ରେ ମିଳିନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ଆନ୍ଦୋଳନ ସହ ଘରୋଇ ବ୍ୟାଙ୍କ ଆଇସିସିଆଇ, ଏଚଡିଏଫସି ଆଦିର କୌଣସି ସମ୍ପର୍କ ନଥିବା ଜଣାପଡ଼ିଛି।
ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଦାବି ଅନୁସାରେ ପ୍ରତି ୫ ବର୍ଷରେ ବ୍ୟାଙ୍କ କର୍ମଚାରୀଙ୍କ ଦରମା ରିଭାଇଜ ହେବାକୁ ଥିବାବେଳେ ୨୦୧୨ରେ ଶେଷଥର ରିଭାଇଜ ହୋଇଥିଲା। ୨୦୧୭ରେ ଦରମା ରିଭାଇଜ ହେବାର ଥିଲା କିନ୍ତୁ ଅଦ୍ୟାବଧି ହୋଇନାହିଁ। ସେହିପରି ଦ୍ୱିତୀୟ ସପ୍ତାହରେ ୫ ଦିନିଆ କାର୍ଯ୍ୟଦିବସକୁ ସଂଘ ବିରୋଧ କରିଛି। ଦେଶରେ ପବ୍ଲିକ ହଲିଡେ ବା ଛୁଟି ଅଧିକ ରହିଛି। ତେଣୁ ମାସର ଦ୍ୱିତୀୟ ଶନିବାର ଛୁଟି ହେବା ଦ୍ୱାରା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସଂଘ କହିଛି।
ବ୍ୟାଙ୍କ୍ ଏମ୍ପଲୟଜ ଫେଡ଼େରେଶନ ଅଫ୍ ଇଣ୍ଡିଆ (ବିଇଏଫଆଇ) ଏବଂ ଅଲ୍ ଇଣ୍ଡିଆ ବ୍ୟାଙ୍କ୍ ଏମ୍ପଲୟଜ ଆସୋସିଏସନ (ଏଆଇବିଇଏ) ସୂଚନା ଅନୁସାରେ ଆସନ୍ତା ୧୧ରୁ ୧୩ କ୍ରମାଗତ ୩ ଦିନ ପାଇଁ ବ୍ୟାଙ୍କ କର୍ମଚାରୀ ସଂଘ ହରତାଳ କରିପାରନ୍ତି। ଏହାପର ଦିନ ଶୁକ୍ରବାର ବ୍ୟାଙ୍କ ଖୋଲା ରହିବ। ତେବେ ମାସର ଦ୍ୱିତୀୟ ସପ୍ତାହ ଶନିବାର ଛୁଟି ଏବଂ ରବିବାର ଛୁଟିଦିନକୁ ମିଶାଇ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ମୋଟ ୫ ଦିନ ବ୍ୟାଙ୍କ ବନ୍ଦ ରହିବା ଫଳରେ କ୍ରମାଗତ ୬ଦିନ ଗ୍ରାହକଙ୍କୁ ଠିକ୍ରେ ସେବା ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।