କରେନା ଲକ୍‌ଡାଉନ୍‌ରେ ବନ୍ଧନ ବ୍ୟାଙ୍କ ପକ୍ଷରୁ କ୍ଷୁଦ୍ର ଋଣ ସେବା ପୁନର୍ବାର ଆରମ୍ଭ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ବନ୍ଧନ ବ୍ୟାଙ୍କ ପକ୍ଷରୁ କ୍ଷୁଦ୍ର ଋଣ ସେବାକୁ ପୁନର୍ବାର ଆରମ୍ଭ କରାଯାଇଛି । କ୍ଷୁଦ୍ର ବ୍ୟବସାୟରେ ଜଡ଼ିତ ଥିବା ବ୍ୟାଙ୍କର ଗ୍ରାହକଙ୍କ ଅନୁରୋଧ ଏବଂ ସେମାନଙ୍କ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏହି ସେବା ଆରମ୍ଭ କରିଛି । ଏହି ସେବା ଏବେ ବ୍ୟାଙ୍କ ତରଫରୁ ସୀମିତ ଭାବେ କମ୍ କର୍ମଚାରୀଙ୍କ ଜରିଆରେ ଦିଆଯାଉଛି । ସ୍ଥିତିରେ ସୁୂଧାର ହେବା ସହିତ ଏହି ସେବା ବ୍ୟାପକ ହେବ ।

ଏବାବଦରେ ସୂଚନା ଦେଇ ବ୍ୟାଙ୍କ୍‌ର ଏମ୍‌ଡି ଓ ସିଇଓ ଚନ୍ଦ୍ର ଶେଖର ଘୋଷ କହିଛନ୍ତି ଯେ, “ଲକ୍‌ଡାଉନ୍ ସମୟରେ ଆମର କ୍ଷୁଦ୍ର ବ୍ୟବସାୟୀ ଗ୍ରାହକମାନେ ଯେଉଁ ପ୍ରଭାବ ସାମ୍ନା କରିଛନ୍ତି ସେଥିରୁ ଉଦ୍ଧାର ପାଇବା ଲାଗି ଆର୍ଥିକ ସହଯୋଗ ଲୋଡ଼ିଛନ୍ତି । ଜୀବନ ବଂଚାଇବା ଲାଗି ଲକ୍‌ଡାଉନ୍ ଜରୁରୀ ଥିବା ବେଳେ ପୁର୍ନବାର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଆର୍ଥିକ ସହାୟତା ମଧ୍ୟ ଜରୁରୀ । ଏଣୁ ପରିସ୍ଥିତିକୁ ସମୀକ୍ଷା କରି ଆମେ ପୁଣିଥରେ ଏହି କ୍ଷୁଦ୍ର ଋଣ ସେବା ଆରମ୍ଭ କରିଛୁ। ପରିସ୍ଥିତିକୁ ନଜରରେ ରଖି ଆମର ସେବା ପରିମାଣ ଆଗକୁ ବଢ଼ାଇବୁ।

ଲକ୍‌ଡାଉନ୍ ସମୟରେ ଜାରି ହୋଇଥିବା ଦିଶାନିର୍ଦେଶକୁ ପାଳନ କରି ବନ୍ଧନ ବ୍ୟାଙ୍କ ଏହାର ଶାଖ ଖୋଲୁଛି । ମାତ୍ର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସେବା ବନ୍ଦ ଥିଲା । ଏପ୍ରିଲ୍ ୨୦ ପରଠାରୁ ଚିହ୍ନଟ ହୋଇଥିବା ଗ୍ରିନ୍ ଜୋନ୍‌ଗୁଡ଼ିକରେ ଏହି ସେବା ଆରମ୍ଭ କରାଯାଇଛି । ଚାଷୀମାନେ ମଧ୍ୟ ଫସଲ ଅମଳ କରିବା ଲାଗି ଆର୍ଥିକ ସହାୟତା ନିମନ୍ତେ ବ୍ୟାଙ୍କ ପାଖକୁ ଆସୁଥିବା ବେଳେ ପରବର୍ତୀ ଫସଲ ଲଗାଇବା ପାଇଁ ମଧ୍ୟ ସହାୟତା ଲୋଡ଼ୁଛନ୍ତି । ବ୍ୟାଙ୍କ ସେମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି । ଗ୍ରୋାସରି ଦୋକାନି, ଖାଦ୍ୟ ସାମଗ୍ରୀ ବିକ୍ରେତା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରେତାମାନେ ହେଉଛନ୍ତି ବନ୍ଧନ ବ୍ୟାଙ୍କର ନିୟମିତ ଋଣ ଗ୍ରାହକ । ସେମାନଙ୍କ ଆବଶ୍ୟକତାକୁ ନଜରରେ ରଖି ବ୍ୟାଙ୍କ ଏହାର ଋଣ ସେବା ଆରମ୍ଭ କରିଛି । ଏହି ଆର୍ଥିକ ସହାୟତା ଜରିଆରେ ସେମାନେ ନିଜର ଜୀବିକାକୁ ପୁନର୍ବାର ଆରମ୍ଭ କରିପାରିବେ ଏବଂ ବଢ଼ାଇପାରିବେ ।

ବନ୍ଧନ ବ୍ୟାଙ୍କର ସାରା ଦେଶରେ ୪୫୦୦ ଆଉଟଲେଟ୍ ରହିଛି । ପ୍ରାୟ ତିନି ବର୍ଗ କିଲୋମିଟର ଭିତରେ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଶାଖା ରହିଛି । ଅଧିକାଂଶ ଅଂଚଳରେ ଗ୍ରାହକମାନେ ଶାଖାକୁ ଆସନ୍ତୁ ବୋଲି ବ୍ୟାଙ୍କ ଚାହୁଥିବା ବେଳେ କିଛି ଗ୍ରାହକଙ୍କ ପାଖରେ ବ୍ୟାଙ୍କର କର୍ମଚାରୀ ପହଞ୍ଚୁଛନ୍ତି । କାରବାର କରିବା ବେଳେ ମୁହଁ ମାସ୍କ ଓ ହାତରେ ଗ୍ଲୋଭସ୍ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ବ୍ୟାଙ୍କ ତରଫରୁ ଗ୍ରାହକମାନଙ୍କୁ କୁହାଯାଉଛି । ବନ୍ଧନ ବ୍ୟାଙ୍କ ତରଫରୁ ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ, ଉତରପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଓ ହରିଆନାରେ ଚିହ୍ନଟ କରାଯାଇଥିବା ଗ୍ରିନ୍ ଜୋନ୍‌ରେ କ୍ଷୁଦ୍ର ବ୍ୟବସାୟ ଋଣ ସେବା ଆରମ୍ଭ କରାଯାଇଛି । ଚଳିତ ମାସ ୨୦ ଠାରୁ ଏହି ସେବା ପୁନର୍ବାର ଉପଲବ୍ଧ ହୋଇଛି। ସରକାର ଏବଂ ସ୍ଥାନୀୟ କର୍ତୁପକ୍ଷଙ୍କ ନିର୍ଦେଶ ଅନୁସାରେ ଅନ୍ୟ ସ୍ଥାନଗୁଡ଼ିକରେ ଏହି ସେବା ଶୀଘ୍ର ଆରମ୍ଭ କରାଯିବ ।

 

Leave a Reply

Your email address will not be published. Required fields are marked *