୧୨ ଘଣ୍ଟା ଠପ୍ ହୋଇଗଲା ପଶ୍ଚିମ ଓଡ଼ିଶା
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ ତେଜିବାରେ ଲାଗିଛି । ପଶ୍ଚିମ ଓଡ଼ିଶାର ଓକିଲ ସଂଘ ସମୂହର ଘୋଷଣା ଅନୁଯାୟୀ ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏଥିପ୍ରତି ସମ୍ବଲପୁର, ବଲାଙ୍ଗିର, ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ଦେବଗଡ଼, ବୌଦ୍ଧ, ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତଃସ୍ଫୁର୍ତ୍ତ ଜନସମର୍ଥନ ମିଳିଥିବାବେଳେ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି ।
ସୂଚନା ଅନୁସାରେ ସୋନପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡରେ ବନ୍ଦ ପ୍ରତି ବିପୁଳ ଜନସମର୍ଥନ ମିଳିଥିବାବେଳେ ଉପଖଣ୍ଡରେ ଆଂଶିକ ପ୍ରଭାବ ପଡ଼ିଥିବା ଲକ୍ଷ୍ୟ ରଖାଯାଇଛି । କଳାହାଣ୍ଡି ଜିଲ୍ଲାରେ ବନ୍ଦ ଯୋଗୁଁ କୋର୍ଟ ଓ ସରକାରୀ ଅଫିସଗୁଡିକ ପ୍ରଭାବିତ ହୋଇଛି । ପଶ୍ଚିମ ଓଡ଼ିଶାଦେଇ ଯାଇଥିବା ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥଗୁଡିକରେ ଶହ ଶହ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଥିବାବେଳେ ଯାତ୍ରୀବାହୀ ବସ୍ ଆଦୌ ଚଳାଚଳ କରି ନଥିଲା । ସେହିପରି ଟ୍ରେନ ଚଳାଚଳ ବିଶେଷ ପ୍ରଭାବିତ ହୋଇଥିଲା । ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ କରାଯାଇଥିବାବେଳେ ଇସ୍ପାତ ଏକ୍ସପ୍ରେସ ହୀରାକୁଦ, ସୁରାଟ-ପୁରୀ, ବରଗଡ଼ ଏବଂ ସମଲେଶ୍ୱରୀ ଏକ୍ସପ୍ରେସ ଝାରସୁଗୁଡା ଷ୍ଟେସନରେ ଦୀର୍ଘ ସମୟ ଅଟକି ରହିଥିଲା ।
ସମ୍ବଲପୁର-ବନସବାଡି ଏକ୍ସପ୍ରେସ ୧ ଘଣ୍ଟା ଓ ସମ୍ବଲପୁର- ଜମୁତାୱି ଏକ୍ସପ୍ରେସ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଯାତ୍ରା କରିଥିଲା । ପୁରୀ-ବିକାନିର ଏକ୍ସପ୍ରେସ ଅନୁଗୁଳ ଷ୍ଟେସନରେ ଅଟକି ରହିବା ଫଳରେ ସମ୍ବଲପୁରରେ ଦେଢ଼ଘଣ୍ଟା ବିଳମ୍ବରେ ପହଞ୍ଚି ଯାତ୍ରା କରିଥିଲା । ଭୁବନେଶ୍ୱର-ବଲାଙ୍ଗିର ଏକ୍ସପ୍ରେସ ସମ୍ବଲପୁରରେ ୩ ଘଣ୍ଟା ବିଳମ୍ବରେ ପହଞ୍ଚିଥିବାବେଳେ ତାହା ଆଉ ବଲାଙ୍ଗିରକୁ ନ ଯାଇ ସିଧା ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା । ତେବେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିକୁ ନେଇ ବନ୍ଦ ପ୍ରତି ଲୋକେ ସମର୍ଥନ କରିଛନ୍ତି ବୋଲି ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି)ର ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି ।
କୋହଲା ପାଗ ସତ୍ତ୍ୱେ ସକାଳ ୬ଟା ପୂର୍ବରୁ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ, ବିଭିନ୍ନ ନାଗରିକ ସଂଗଠନର କର୍ମକର୍ତ୍ତା ଏବଂ ଓକିଲମାନେ ସମ୍ବଲପୁର ରେଳଷ୍ଟେସନରେ ପହଞ୍ଚି ପିକେଟିଂ କରିଥିଲେ । ସେହିପରି ଅଇଁଠାପାଲି ଓ ଧନୁପାଲି ଛକରେ ପିକେଟିଂ ଯୋଗୁଁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା । ଦିନ ତମାମ ଧନୁପାଲି ଛକରେ ଲୋକେ ଧାରଣା ଦେଇଥିଲେ । ଏଣେ ସରକାରୀ ବସ ଚଳାଚଳ ବନ୍ଦ ରହିଥିବାବେଳେ ଘରୋଇ ବସମାଲିକ ସଂଘ ବନ୍ଦକୁ ସମର୍ଥନ ଜଣାଇ ବସ ଚଳାଇ ନଥିଲେ । ପୂର୍ବାହ୍ନ ୧୦ଟା ପୂର୍ବରୁ ଆନ୍ଦୋଳନକାରୀମାନେ ଦଳ ଦଳ ହୋଇ ପିକେଟିଂ କରି ବିଚାର ବିଭାଗୀୟ ଅଦାଲତ ସମେତ ଉତ୍ତରାଞ୍ଚଳ ରାଜସ୍ୱ କମିଶନର(ଆରଡିସି) ଅଫିସ, କଲେକ୍ଟୋରେଟ ତଥା ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ ଦପ୍ତର, ବ୍ୟାଙ୍କ, ବୀମା, ପୋଷ୍ଟ ଅଫିସ ଇତ୍ୟାଦିକୁ ବନ୍ଦ କରି ଦେଇଥିଲେ । ସମ୍ବଲପୁର ସହରରେ ବନ୍ଦ ପ୍ରତି ଜନସାଧାରଣଙ୍କ ସ୍ୱତଃସ୍ଫୁର୍ତ୍ତ ସମର୍ଥନ ପରିଲକ୍ଷିତ ହୋଇଥିଲା । ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ସହରର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ କ୍ଷେତରାଜପୁରରେ କୌଣସି କାରବାର ହୋଇ ନଥିଲା । ସହରରେ ଠେଲା ଚା’ ଓ ପାନ ଦୋକାନ ସୁଦ୍ଧା ଖୋଲା ନଥିବାବେଳେ କାଁ ଭାଁ ଦୁଇଚକିଆ ଯାନ ଚଳାଚଳ କରୁଥିଲା । ସେହିପରି ଉପଖଣ୍ଡ ସଦର ମହକୁମା, କୁଚିଣ୍ଡା, ରେଢାଖୋଲ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରତି ସମର୍ଥନ ମିଳିଥିଲା ।