ପୁରୀ, ଭୁବନେଶ୍ଵର ପରେ ଏବେ କଟକ ପାଇଁ ଚିନ୍ତା: ବଦଳିବ ମହାନଦୀ ପଠାର ଚେହେରା

ଭୁବନେଶ୍ଵର, (ଓଟି):  ପ୍ରଥମେ ପୁରୀକୁ ବିଶ୍ଵସ୍ତରୀୟ ଐତିହ୍ୟ ସହର, ପରେ ଭୁବନେଶ୍ଵର ଏକାମ୍ର କ୍ଷେତ୍ରର ଚେହେରା ପରିବର୍ତ୍ତନ ପରେ ଏବେ କଟକ ବାଲିଯାତ୍ରାର ଚେହେରା ପରିବର୍ତ୍ତନ ପାଇଁ ନକ୍ସା ପ୍ରସ୍ତୁତ କରିଛନ୍ତି ଓଡ଼ିଶା ସରକାର। ବାଲିଯାତ୍ରା ରିଭର ଫ୍ରଣ୍ଟ ଇମ୍ପ୍ରୁଭ୍‌ମେଣ୍ଟ ପ୍ରେଜେକ୍ଟ ବା ବରଫି ବୋଲି ଏହି ପ୍ରକଳ୍ପର ନାଁ ଦିଆଯାଇଛି। ଏହି ଯୋଜନା ଅନୁସାରେ କଟକର ଚେହେରା ବଦଳି ପାରିବ ବୋଲି ଆଶା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ସମୁଦାୟ ୪ଶହ ଏକର ଜମିରେ ଏହି ଯୋଜନା ପ୍ରସ୍ତୁତ ହେବ। ଏହାର ୨୦/୨୫ ପ୍ରତିଶତ ଅଞ୍ଚଳରେ ନିର୍ମାଣ ରହିବ। ବାକି ଅଞ୍ଚଳ ଖାଲି ରଖାଯିବ। ସିଡିଏ (ମର୍କତନଗର) ଅଞ୍ଚଳ ଭଳି ଏଠାରେ କୌଣସି ଘରୋଇ ଆବାସିକ ଅଞ୍ଚଳ ସୃଷ୍ଟି କରାଯିବ ନାହିଁ। କିନ୍ତୁ ସଂପୂର୍ଣ୍ଣ ଅଞ୍ଚଳ ବସ୍ତିମୁକ୍ତ ରହିବ। ବର୍ତ୍ତମାନ ସେଠାରେ ରହିଥିବା ବସ୍ତିକୁ ଉଚ୍ଛେଦ କରାଯିବ। ଏସସିବି ଦ୍ବିତୀୟ କ୍ୟାମ୍ପସ କହିଲେ ତାହାର ଖେଳ ପଡ଼ିଆ, ଲାଇବ୍ରେରି ଇତ୍ୟାଦି ନିର୍ମାଣକୁ ପ୍ରାଧାନ୍ୟ ଦିଆଯିବ। ୧୦୦ ଫୁଟ୍‌ର ଚୌଡା ରାସ୍ତା, ଚାରି ଲେନ ରାସ୍ତା ସହରର ଟ୍ରାଫିକ ଜାମ୍ ସମସ୍ୟାକୁ ସୁଧାରିବ। ଏଠାରେ ପଞ୍ଚ ତାରକା ରିସୋର୍ଟ, ପିକନିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହିତ, ପାର୍କ ଏବଂ ୱାଟର ସ୍ପୋର୍ଟ, ଅନ୍ତର୍ଜାତୀୟ ସ୍ପୋର୍ଟସ କଂପ୍ଲେକ୍ସ ବ୍ୟବସ୍ଥା ରହିବ। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଯୋଜନାର ସମୀକ୍ଷା କରାଯାଇଛି। ମନ୍ତ୍ରୀ ଓ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଏ ସଂପର୍କରେ ସମୀକ୍ଷା ଓ ଆଲେଚନା କରିଛନ୍ତି। ଆଇଓସିଏଲ୍ ପକ୍ଷରୁ ମିଳିଥିବା ୨୯୮ କୋଟି ଟଙ୍କାରେ ବର୍ତ୍ତମାନ ଏହି କାର୍ଯ୍ୟ ଚାଲିଛି। କିନ୍ତୁ ପ୍ରସ୍ତୁତ ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଧିବଦ୍ଧ ରିପୋର୍ଟ ଉପସ୍ଥାପନ କରାଯିବ। ଏହାକୁ ମଂଜୁରି ମିଳିବା ପରେ ଆବଶ୍ୟକ ବଜେଟ ପ୍ରସ୍ତୁତ କରାଯାଇ ଯୋଜନା ଆଗକୁ ବଢିବ। ଏଥିପାଇଁ ଦୁଇ ବର୍ଷ ସମୟ ଲାଗି ଯିବ ବୋଲି ଆକଳନ କରାଯାଉଛି।

ଅନ୍ୟପଟେ ‘ବରଫି’ ଯୋଜନା ବାସ୍ତବ ରୂପ ନେଲେ କଟକ କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟ ମାନଚିତ୍ରରେ ସ୍ଥାନ‌ ପାଇବ ବୋଲି କହିଛନ୍ତି ଜିଲ୍ଲାପାଳ। ଶ୍ରୀ ଚୟନୀ କହିଛନ୍ତି ଯେ ୨୦୧୩ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ମହାନଦୀ ଖନନ କରି ତାହାର ଉପକୂଳ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ପାଇଁ। ଏଥିପାଇଁ ଆଇଓସିଏଲ୍ ୨୯୮ କୋଟି ଟଙ୍କା ଦେଇଛି। ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ମହାନଦୀ କୂଳରେ ୪ଶହ ଏକର ଅଞ୍ଚଳ ମିଳିବାକୁ ଯାଉଛି। ଏହି ପୁନଃ ସୃଷ୍ଟି ହୋଇଥିବା ଅଞ୍ଚଳକୁ କିଭଳି ଅତ୍ୟାଧୁନିକ ଢଙ୍ଗରେ ବ୍ୟବହାର କରାଯାଇ ପାରିବ, ସେଥିପାଇଁ ପ୍ରଶାସନ ଉଦ୍ୟମ କରୁଛି। ଏକ ପ୍ରଦୂଷଣ ମୁକ୍ତ ବିକଶିତ ଅଞ୍ଚଳ ଏବଂ କଟକବାସୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି। ଖୁବଶୀଘ୍ର ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରି ଡିପିଆର (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ସରକାରୀସ୍ତରରେ ମଂଜୁରି ମିଳିବା ପରେ କାମ ଆଗକୁ ବଢିବ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଏକ ବିସ୍ତୃତ ଅଞ୍ଚଳ ପ୍ରସ୍ତୁତି ସହ ଚୌଡା ରାସ୍ତା ନିର୍ମାଣରେ କୌଣସି ପ୍ରତିବନ୍ଧକ ନାହିଁ। ଆସନ୍ତା ବର୍ଷ ବାଲିଯାତ୍ରା ପୂର୍ବରୁ ରାଜ୍ୟବାସୀ ସେଠାରେ ଏକ ଭିନ୍ନ ଢଙ୍ଗର ଆୟୋଜନ‌ ଦେଖିବେ। ସିସୋର ପଠା ଗଡାରୁ କ୍ୟାଣ୍ଟନମେଣ୍ଟ ଥାନା ପର୍ଯ୍ୟନ୍ତ ଅଞ୍ଚଳରେ ବାଲିଯାତ୍ରା ଆୟୋଜନ ହେବ। ଅନ୍ୟ ପ୍ରକଳ୍ପର ସ୍ପଷ୍ଟ ରୂପରେଖ ଆସନ୍ତା ୨ ବର୍ଷ ଭିତରେ ସାମନାକୁ ଆସି ଯିବ ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *