ବାଲେଶ୍ୱର ସଦର ଆସନ: ବିଜେପି-ବିଜେଡିର ରଣନୀତି ପ୍ରସ୍ତୁତ,ପଛରେ କଂଗ୍ରେସ

ଚଳିତ ଓଡିଶା ବିଧାନସଭା ନିର୍ବାଚନକୁ ନେଇ ସମଗ୍ର ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ କ୍ଷେତ୍ର ପାଇଁ ରଣନୀତି ପ୍ରସ୍ତୁତି ଚାଲିଥିବା ବେଳେ ବାଲେଶ୍ୱରରେ ରାଜନୀତି ଅଙ୍କକଷା ଜୋରଦାର ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ଆସନ ପାଇଁ ବିଜେପି ଓ ବିଜେଡି ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ବି କଂଗ୍ରେସର ପ୍ରାର୍ଥିତ୍ୱ ଅନିଶ୍ଚିତତାରେ ରହିଛା ଅଦ୍ୟାବଧି କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ।

ତେବେ ବିଜେପି ଓ ବିଜେଡି ର ପ୍ରାର୍ଥିତ୍ୱ ୨୦୧୪ ମସିହାର ସ୍ଥିତି ପୁନରାବୃତ୍ତି ହେବ ବୋଲି ଆଶା କରାଯାଉଛି । ୨୦୧୪ ମସିହା ନିର୍ବାଚନରେ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ୭୨ ପ୍ରତିଶତ ଅର୍ଥାତ ୧ ଲକ୍ଷ ୪୫ ହଜାର ୨୧୫ ଜଣ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ । ସେଥିରୁ ବିଧାୟକ ଜୀବନ ପ୍ରଦୀପ ଦାଶ ୩୨.୮୨ ପ୍ରତିଶତ ଅର୍ଥାତ ୪୭ ହଜାର ୬୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଜିଲ୍ଲା ସଭାପତି ମଦନ ମୋହନ ୨୬.୦୭ ପ୍ରତିଶତ ଅର୍ଥାତ ୩୭ ହଜାର ୮୨୪ ଖଣ୍ଡ ଭୋଟ ପାଇଥିଲେ ।

୨୦୧୪ ମସିହାରେ ମାତ୍ର ୯ ହଜାର ଭୋଟରେ ପରାଜୟ ବରଣ କରିଥିବା ବିଜେପିର ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ ପୁଣି ଥରେ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ବିଗତ ପାଞ୍ଚବର୍ଷ ଧରି ସାଂଗଠନିକ କାର୍ଯ୍ୟ ସହ ଜନ ସମ୍ପର୍କ ବୃଦ୍ଧିରେ ସେ ସଫଳ ହୋଇଥିବା ଶ୍ରୀ ଦତ୍ତ କହିଛନ୍ତି। ଏଥି ସହିତ ସଦର ନିର୍ବାଚନମଣ୍ଡଳୀରେ ଶାସକ ଦଳ ପକ୍ଷରୁ ଚାଲିଥିବା ବେଆଇନ‌୍‍ କାର୍ଯ୍ୟଧାରା, ପାତରଅନ୍ତର ନୀତି ଏବଂ ମୋଦି ସରକାରଙ୍କ ବିକାଶର ଧାରା ତାଙ୍କୁ ଏଥର ନିଶ୍ଚିତ ସଫଳ କରାଇବ ବୋଲି ସେ ଆଶା ବାନ୍ଧିଛନ୍ତି ।

୧୯୯୫ ମସିହାରେ ବିଜେପି ପ୍ରାର୍ଥୀ ଭାବେ ଜୀବନ ପ୍ରଦୀପ ଦାଶ ମାତ୍ର ୧୦.୫୪ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୦୦ ମସିହାରେ କିନ୍ତୁ ବିଜେପି ଓ ବିଜେଡି ମେଣ୍ଟ ପ୍ରାର୍ଥୀ ଭାବେ ସେ ୪୦.୯୪ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ। ତେବେ ୨୦୦୪ ମସିହାରେ ଶ୍ରୀ ଦାଶ ମେଣ୍ଟରୁ ପ୍ରାର୍ଥୀ ହୋଇ ୪୬.୯୮ ଭୋଟ ପାଇଥିବା ସତ୍ତ୍ୱେ ମାତ୍ର ୫୮୫ ଖଣ୍ଡ ଭୋଟରେ ଅରୁଣ ଦେଙ୍କ ନିକଟରୁ ହାରି ଯାଇଥିଲୋ

୨୦୦୯ ମସିହା ନିର୍ବାଚନରେ ସେ ବିଜେପିରୁ ଟିକଟ ନ ପାଇବାରୁ ଦଳ ପରିତ୍ୟାଗ କରି ବିଜେଡିରେ ଯୋଗଦେବା ସହିତ ବିଧାୟକ ପ୍ରାର୍ଥୀ ହୋଇଥିଲେ। ଏହାପରେ ସେ କ୍ରମାଗତ ଭାବେ ୨୦୦୯ ମସିହାରେ ୪୫.୪୨ ପ୍ରତିଶତ ଏବଂ ୨୦୧୪ ମସିହାରେ ୩୨.୮୨ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ । ବିଧାୟକ ଶ୍ରୀ ଦାଶ ରାଜ୍ୟରେ ବିଜୁ ଜନତା ଦଳର ୧୯ ବର୍ଷର ସୁଶାସନ, ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟକୁ ଆଧାର କରି ପୁଣିଥରେ ଏହି ଆସନ ଦଖଲ କରିବାର ଆଶା ରଖିଛନ୍ତି।

ଅନ୍ୟପକ୍ଷରେ ନାମାଙ୍କନ ପାଇଁ ଆଉ ମାତ୍ର ତିନି ଦିନ ବାକିଥିବା ବେଳେ କଂଗ୍ରେସ ଦଳରୁ କିଏ ପ୍ରାର୍ଥୀ ହେବା ତାହା ଏ ଯାଏ ଘୋଷଣା କରାଯାଇନାହିଁ। ତେବେ ୨୦୧୪ ମସିହାରେ ୨୪ ହଜାର ୭୨୦ ଖଣ୍ଡ ଭୋଟ ପାଇ ଚର୍ଚ୍ଚାରେ ଥିବା ସ୍ୱାଧୀନ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ ଏବ ଯୁବନେତା ବିକ୍ରମ ପଣ୍ଡାଙ୍କ ନାମ ସର୍ବାଗ୍ରେ ଆଲୋଚନା କରାଯାଉଥିବା ଜଣାପଡିଛି । କଂଗ୍ରେସ ଦଳର ପ୍ରାର୍ଥୀ ଘୋଷଣା ପରେ ହିଁ ସଦର ବିଧାନସଭା ଆସନ ପାଇଁ ଲଢେଇର ପ୍ରକୃତ ରୂପରେଖ ସ୍ପଷ୍ଟ ହୋଇପାରିବ ବୋଲି ରାଜନୈତିକ ସମୀକ୍ଷକମାନେ ସୂଚନା ଦେଇଛନ୍ତି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ବିଜେପିରେ ମୋହନ-ଅର୍ଜୁନ

ସର୍ଭେ : ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ

ସୁନ୍ଦରଗଡ଼ ନିର୍ବାଚନରେ ୩ ନୂଆ ମୁହଁ

Leave a Reply

Your email address will not be published. Required fields are marked *