ବିଜେଡିରୁ ସାଂସଦ ବଳଭଦ୍ରଙ୍କ ଇସ୍ତଫା, କହିଲେ ଦୂରତା ବଢ଼ାଉଛନ୍ତି ମଧ୍ୟସ୍ଥି
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳୀୟ ସଭାପତିଙ୍କ ରାଜନୀତିକ ସଚିବଙ୍କୁ ସେ ଏଥିନେଇ ଆବଶ୍ୟକ ଇସ୍ତଫାପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏଭିତରେ ତାଙ୍କୁ ଦଳରେ କୋଣଠେସା କରାଯାଇଛି। ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଅନେକ ସମୟରେ ଅବହେଳା କରାଯାଉଛି। ନବରଙ୍ଗପୁରରେ ହେଉଥିବା କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଆସିବା ଲାଗି ଉପଯୁକ୍ତ ସମୟ ଦିଆଯାଉ ନାହିଁ। ଏହା ତାଙ୍କୁ ବାଧିଛି। ଏଣୁ ସେ ଦଳରେ ରହିବାକୁ ଚାହୁଁ ନାହାନ୍ତି।
ସେ ଏହି ଦୂରତା ପାଇଁ କିଛି ମଧ୍ୟସ୍ଥିଙ୍କୁ ଦାୟୀ କରିଛନ୍ତି। ଯେଉଁମାନେ ତାଙ୍କ ବାବଦରେ ଭୁଲ୍ ତଥ୍ୟ ସଭାପତିଙ୍କୁ ଦେଉଥିବା କହିଛନ୍ତି ଶ୍ରୀ ମାଝି।
୨୦୧୪ ମସିହାରେ ସାଂସଦ ହୋଇଥିବା ଶ୍ରୀ ମାଝି ନିର୍ବାଚନ ଦୃଷ୍ଟିକୋଣରୁ ବିଜେଡି ପାଇଁ ଅନେକ ଦିନ ହେଲା ଅଲୋଡ଼ା ହୋଇପଡ଼ିଥିଲେ। କଂଗ୍ରେସକୁ ପାଣି ପିଆଇବା ଲାଗି ବିଜେଡି ଯେଉଁ ରଣନୀତି ପ୍ରସ୍ତୁତ କରିଛି ସେଥିରେ ବଳଭଦ୍ରଙ୍କ କୌଣସି ଭୂମିକା ନାହିଁ। କାରଣ ଗତ ମାସରେ ବିଜେଡି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ଲୋକପ୍ରିୟ ନେତା ଖଗପତି ପ୍ରଧାନୀଙ୍କ ପୁତୁରାକୁ ବିଜେଡିରେ ସାମିଲ୍ କରିଛନ୍ତି। ଏହାଙ୍କ ଉପରେ ଭରସା ରଖି ଦଳ ନିର୍ବାଚନ ପାର ହେବାକୁ ଆଶା କରିଛି।
ଅର୍ଥାତ୍ ତାଙ୍କୁ ଏଥର ଟିକେଟ୍ ମିଳିବା ସମ୍ଭାବନା ନାହିଁ। ଏହି ପରିସ୍ଥିତିରେ ନିଜର ଭାବମୂତ୍ତିର୍ର୍ ରକ୍ଷା ପାଇଁ ଶ୍ରୀ ମାଝି ଇସ୍ତଫା ଦେଇଥିବା ଆଲୋଚନା ହେଉଛି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :