ବିଜେପିରେ ବଳଭଦ୍ର ମାଝି
ମଙ୍ଗଳବାର ଦିନ ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଆଜି ନୂଆଦିଲ୍ଲୀରେ ବିଧିବଦ୍ଧ ଭାବେ ସେ ବିଜେପିରେ ମିଶିଛନ୍ତି। ବିଜେପିରେ ଯୋଗଦେବା ପରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ସେ ବିଜେପିକୁ ଆସିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ଜନସାଧାରଣଙ୍କ ସେବା କରିବା ପାଇଁ ତାଙ୍କୁ ଅଧିକ ସୁଯୋଗ ମିଳିବ।
ବିଜେପିରେ ଯୋଗ ଦେବା ପରେ ସେ କହିଥିଲେ, ନବରଙ୍ଗପୁର ଜିଲ୍ଲା ପାଇଁ କିଛି କରିବା ଲକ୍ଷ୍ୟରେ ରାଜନୀତିକୁ ଆସିଥିଲି। ବିଜେଡିରେ ଜିଲ୍ଲା ଓ ରାଜ୍ୟସ୍ତରରେ ମୋତେ ବହୁତ ଅଣଦେଖା ଗରାଗଲା। ଟିକେଟ୍ ନେଇ ଜଣେ ସାଂସଦ ଭାବେ ମୋତେ ପଚାରିଲେ ନାହିଁ। ସେଠି ମୋର ଆବଶ୍ୟକତା ନଥିବା ମୁଁ ଅନୁଭବ କଲି। ଏଭଳି ସ୍ଥିତିରେ ମୁଁ ସେ ଦଳରେ ରହିବାକୁ ଚାହିଁଲିନି।
ନବୀନ ପଟ୍ଟନାୟକଙ୍କୁ ଦେଇଥିବା ଇସ୍ତଫାପତ୍ରରେ ବଳଭଦ୍ର ମାଝି ଲେଖିଥିଲେ, ମୁଁ ୭ ବର୍ଷର ସରକାରୀ ଚାକିରି ଛାଡ଼ି ବିଜେଡିକୁ ଆସିଥିଲି। ଏ ମଧ୍ୟରେ ଆମ ଭିତରେ ଦୂରତା ବଢ଼ୁଥିବା ଅନୁଭବ କରୁଛି। କିଛି ଲୋକ ଆପଣଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗତଥର ଅପେକ୍ଷା ଏଥର ମୁଁ ପ୍ରତାରିତ ହେଲା ଭଳି ଅନୁଭବ କରୁଛି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :