ବୈଶାଖ ମାସରେ କରନ୍ତୁ ଏହି ସବୁ ବ୍ରତ ଓ ଉପବାସ, ସବୁ ସମସ୍ୟାରୁ ମିଳିବ ମୁକ୍ତି
ଆରମ୍ଭ ହୋଇସାରିଛି ପୁଣ୍ୟ ବୈଶାଖ ମାସ । କାର୍ତ୍ତିକ ମାସ ଭଳି ଏହି ମାସରେ ମଧ୍ୟ ପ୍ରାତଃସ୍ନାନ ଓ ଦାନ ପୁଣ୍ୟର ଅଶେଷ ମହିମା ରହିଛି । ୨୦ ଏପ୍ରିଲରୁ ମେ’ ମାସ ୧୮ ପର୍ଯ୍ୟନ୍ତ ସମୟକୁ ବୈଶାଖ ମାସ କିମ୍ବା ବୈଶାଖ ବ୍ରତ ଭାବେ ପାଳନ କରାଯାଏ । ଏହି ମାସର ପ୍ରତ୍ୟେକ ଦିନ ଆପଣ ବିଧିବଦ୍ଧ ଭାବେ ପୂଜା ଆରାଧନା କରିବାକୁ ସକ୍ଷମ ନଥିଲେ କେବଳ କେତେକ ନିର୍ଦ୍ଦିଷ୍ଟ ଦିନ ଆପଣ ପୂଜା ଉପବାସ ଓ ବ୍ରତ କଲେ ଅଶେଷ ପୁଣ୍ୟଫଳ ମିଳିବା ସହିତ ଜୀବନର ପ୍ରତ୍ୟେକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ତେବେ ଆସନ୍ତୁ ଜାଣିବା –
୧- ବୈଶାଖମାସ କୃଷ୍ଣପକ୍ଷ ଏକାଦଶୀ ତିଥିକୁ ବରୁଥିନୀ ଏକାଦଶୀ କୁହାଯାଏ । ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜା ଆରାଧନା କରି ଉପବାସ କଲେ ଅଶେଷ ପୁଣ୍ୟଫଳ ଲାଭ ହୋଇଥାଏ । ଏହା ଏପ୍ରିଲ୍ ୩୦ ତାରିଖ ମଙ୍ଗଳବାର ଦିନ ପଡ଼ିବ ।
୨- ବୈଶାଖ ଅମାବାସ୍ୟା ମେ’ ମାସ ୪ ତାରିଖରେ ହେବ । ଏହିଦିନ ଶନିବାର ଥିବାରୁ ଏହା ବିଶେଷ ଫଳପ୍ରଦ ବୋଲି କୁଯାହାଉଛି । ସକାଳୁ ଉଠି ସ୍ନାନ ସାରି ଗରୀବଙ୍କୁ ଅନ୍ନବସ୍ତ୍ର ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ପରିବାରରେ ଆର୍ଥିକ ଉନ୍ନତି ହେବା ସହ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।
୩- ବୈଶାଖ ମାସର ସବୁଠାରୁ ମୁଖ୍ୟ ପର୍ବ ହେଉଛି ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଲପକ୍ଷ ତୃତୀୟା ଦିନ ଭଗବାନ ବିଷ୍ଣୁ ନର-ନାରାୟଣ ଅବତାର ନେଇଥିଲେ ବୋଲି ଶାସ୍ତ୍ର ପୁରାଣରେ ଲେଖାଅଛି । ଏହି ଦିନ ପର୍ଶୁରାମଙ୍କର ଜୟନ୍ତି ମଧ୍ୟ ପାଳିତ ହୋଇଥାଏ । ତେଣୁ ଏହି ଦିନ ଯେ କୌଣସି କାମ ଆରମ୍ଭ କରିବା ଶୁଭ ହୋଇଥାଏ । ମେ’ମାସ ୭ ତାରିଖରେ ପଡ଼ିବ ଅକ୍ଷୟ ତୃତୀୟା ।
୪- ବୈଶାଖ ମାସ ଶୁକ୍ଳପକ୍ଷ ନବମୀ ସୀତା ନବମୀ ଭାବେ ପାଳିତ ହୋଇଥାଏ । ଏହି ଦିନ ମା’ ସୀତା ଜନ୍ମ ନେଇଥିଲେ । ତେଣୁ ଏହା ଅତନ୍ତ ପବିତ୍ରଦିନ ବୋଲି ମାନ୍ୟତା ରହିଛି । ମେ’ ମାସ ୧୩ ତାରିଖରେ ସୀତା ନବମୀ ଦିନ ସକାଳୁ ସ୍ନାନ ସାରି ରାମସୀତା ମନ୍ଦିର ଯାଆନ୍ତୁ । ସେଠାରେ ପୂଜାର୍ଚ୍ଚନା ସାରି ଦୁଃଖିରଙ୍କିଙ୍କୁ ଭୋଜନ କରାଇବା ଦ୍ୱାରା ପାପ କ୍ଷୟ ହୋଇଥାଏ ।
୫- ବୈଶାଖ ମାସର ଶୁକ୍ଲପକ୍ଷ ଏକାଦଶୀକୁ ମୋହିନୀ ଏକାଦଶୀ ଭାବେ ପାଳନ କରାଯାଏ । ମେ’ ମାସ ୧୫ ତାରିଖ ଦିନ ଆପଣ ବିଶେଷ ଭାବେ ବିଷ୍ଣୁଙ୍କର ପୂଜାଚର୍ଚ୍ଚନା କରି ଉପବାସ ରଖନ୍ତୁ ଏବଂ ଏହିଦିନ ଗରୀବଙ୍କୁ ବିଭିନ୍ନ ପ୍ରକାର ଫଳ ଓ ପଣା ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ମନସ୍କାମନା ପୁରଣ ହୋଇଥାଏ ।
୬- ବୈଶାଖ ମାସର ଶେଷ ଦିନ ମେ’ ମାସ ୧୮ ତାରଖକୁ ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା କୁହାଯାଏ । ଏହିଦିନ ବ୍ରତ ବିଧିର ଶେଷ ଦିନ ହୋଇଥିବାରୁ ବ୍ରତାଧାରୀମାନେ ବିଷ୍ଣୁଙ୍କର ବିଶେଷ ପୂଜାର୍ଚ୍ଚନା କରିଥାନ୍ତି । ବୈଶାଖ ପୁରାଣ ସମାପ୍ତ ହେବା ପରେ ବ୍ରାହ୍ମଣମାନଙ୍କୁ ଦାନ ଦେବାର ପରମ୍ପରା ରହିଛି ।