ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପୂର୍ବତନ କେନ୍ଦ୍ର ଖଣି ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍ । ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ସ୍ପେଶାଲ ସିବିଆଇ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ସ୍ପେଶାଲ ସିବିଆଇ କୋର୍ଟ ।
ସୂଚନାଯୋଗ୍ୟ ଯେ, ୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିୟମିତତା ମାମଲାରେ ଦିଲ୍ଲୀପଙ୍କ ସମେତ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅକ୍ଟୋବର ୬ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଅକ୍ଟୋବର ୧୪ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ସିବିଆଇ ଓ ଅଭିଯୁକ୍ତମାନଙ୍କର ଓକିଲମାନଙ୍କ ପକ୍ଷରୁ ଦଣ୍ଡବିଧାନକୁ ନେଇ ଯୁକ୍ତି ଉପସ୍ଥାପନ କରାଯାଇଥିଲା।
ସିବିଆଇ ଓକିଲ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଯୁକ୍ତି ବାଢ଼ିଥିଲେ ଏବଂ ପ୍ରତିପକ୍ଷଙ୍କ ଆଇନଜୀବୀମାନେ ଅଭିଯୁକ୍ତଙ୍କ ବୟସ ତଥା ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା କାରଣରୁ ସେମାନଙ୍କ ବିରୋଧରେ କୋହଳ ଦଣ୍ଡ ଘୋଷଣା କରିବାକୁ ନିବେଦନ କରିଥିଲେ । ସିବିଆଇ ସ୍ବତନ୍ତ୍ର କୋର୍ଟର ବିଚାରପତି ଭରତ ପରାସର ଉଭୟ ପକ୍ଷକୁ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିବା ସହିତ ସମସ୍ତ ଦୋଷୀଙ୍କୁ କୋର୍ଟରେ ଉପସ୍ଥିତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।