ଓଡ଼ିଶାର ହିମନ୍ତ ବନିବା ପଥରେ ବୈଜୟନ୍ତ

ସମାନତା ଅନେକ, କେବଳ ସଫଳତାକୁ ଅପେକ୍ଷା। ଓଡ଼ିଶା ଓ ଆସାମ ମଧ୍ୟରେ ଭୌଗୋଳିକ ଦୂରତ୍ୱ ରହିଛି। ତେବେ ଭାବଗତ, ସାଂସ୍କୃତିକ ଓ ଧାର୍ମିକ ଭାବଧାରାରେ ଓଡ଼ିଶା ଓ ଆସାମ ମଧ୍ୟରେ ସମ୍ପର୍କ ଖୁବ ଘନିଷ୍ଠ। ଭାଷାଗତ ସମାନତା ମଧ୍ୟ ଅନେକ ପରିମାଣରେ ଅଛି। ରାଜନୈତିକ ଧାରାର ସମାନତା ମଧ୍ୟ କିଛିଟା ରହିଛି କହିଲେ ଭୁଲ ହେବ ନାହିଁ।

ଆସାମ ରାଜନୀତିରେ ଆଞ୍ଚଳିକ ଦଳ ଅସାମ ଗଣପରିଷଦର ବଡ଼ ଦବଦବା ଥିଲା ଓ ଏହାର ବହୁତ ପ୍ରଭାବ ଦିଲ୍ଲୀ ରାଜନୀତି ଉପରେ ମଧ୍ୟ ରହିଥିଲା। ଓଡ଼ିଶାରେ ମଧ୍ୟ ବିଜୁ ଜନତା ଦଳର ଶକ୍ତି ଓ ପ୍ରଭାବ ଅତୀତର ଏଜିପି ସହ ତୁଳନା କରାଯାଇପାରେ। ତେବେ ଏଥରର ନିର୍ବାଚନ ଆସାମ ଓ ଓଡ଼ିଶାର ଦୁଇ ରାଜନୈତିକ ବ୍ୟକ୍ତିଙ୍କ ସମାନତାକୁ ଚର୍ଚ୍ଚାକୁ ଆଣିଥିଲା ବେଳେ ମେ’୨୩ ଫଳାଫଳ ଘୋଷଣା ଦିନ ଏହା ସାକାର ହେବାର ସମ୍ଭାବନା ସୃଷ୍ଟି କରିଛି।

ଆସାମର ହିମନ୍ତ ବିଶ୍ୱଶର୍ମା ଏବଂ ଓଡ଼ିଶାର ବୈଜୟନ୍ତ ପଣ୍ଡା। ବର୍ତ୍ତମାନ ଦୁହେଁ ଭାରତୀୟ ଜନତା ପାର୍ଟିର ଟାଣୁଆ ସଦସ୍ୟ। ହେଲେ ଏ ଦୁହିଁଙ୍କ ରାଜନୈତିକ ଜୀବନଧାରା ବିଜେପିରୁ ଆରମ୍ଭ ହୋଇନାହିଁ। ହିମନ୍ତ ଆସାମରେ ସ୍ୱପ୍ନ ଭଳି ଏକଦା ମନେ ହେଉଥିବା ବିଜେପିର ଶାସନ ସ୍ୱପ୍ନକୁ ସାକାର କରାଇଛନ୍ତି। ବୈଜୟନ୍ତଙ୍କ ବିଜେପି ପ୍ରବେଶ ପରେ ଯେଉଁ ଘଟଣାକ୍ରମ ମାନ ଘଟିଛି ସେଥିରେ ହିମନ୍ତଙ୍କ ଭୂମିକାରେ ବୈଜୟନ୍ତ ଥିବାର ମନେ ହୁଏ।

ଅଲ ଆସାମ ଷ୍ଟୁଡେଣ୍ଟ ୟୁନିୟନରୁ ରାଜନୈତିକ ଜୀବନ ଆରମ୍ଭ କରି ହିମନ୍ତ ବିଶ୍ୱଶର୍ମା ଏଜିପି ହୋଇ ଆସିଥିଲେ କଂଗ୍ରେସକୁ। ହିତେଶ୍ୱର ସାଇକିଆ ଯୁବ ହିମନ୍ତଙ୍କ ରାଜନୈତିକ ଦାଓପେଞ୍ଚକୁ ଚିହ୍ନି ତାଙ୍କୁ ଦଳରେ ପ୍ରବେଶ କରାଇଥିଲେ।

୨୦୦୧ରେ ହିମନ୍ତ ଏକଦା ତାଙ୍କ ଗୁରୁ ଥିବା ଭୃଗୁ ଖୁଖନଙ୍କୁ ଜାଲୁକବାରି ବିଧାନସଭା ଆସନରେ ପରାଜିତ କରି ଆସାମ ବିଧାନସଭାକ ପ୍ରବେଶ କରିଥିଲେ। ଏହାପରେ ହିମନ୍ତଙ୍କ ବଡ଼ ବିକାଶ ଘଟିଥିଲା ନେତା ଭାବରେ।

ତରୁଣ ଗୋଗୋଇ ହିମନ୍ତଙ୍କ ଉପରେ ବଡ଼ ଭରସା କରି ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀମାନ ଦେଇଥିଲେ। ତେବେ ୨୦୧୫ ଆସିଲା ବେଳକୁ ରାଜନୀତିର ବଡ଼ ମାହିର ବନିସାରିଥିବା ହିମନ୍ତଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲା କଂଗ୍ରେସ।

ଆସାମ କଂଗ୍ରେସର ଟାଣୁଆ ନେତା ତଥା ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ହିମନ୍ତଙ୍କୁ ଆଡେ଼ଇ ନିଜ ବିଦେଶ ଫେରନ୍ତା ପୁଅ ଗୌରବଙ୍କୁ ରାଜନୀତିରେ ଉଠାଇବା ପାଇଁ ଚେଷ୍ଟା କରିଥିଲେ। ଅପମାନିତ ମନେ କରିଥିବା ହିମନ୍ତ ଏହାର ଏକରକମ ବଦଲା ନେବା ପାଇଁ ନିଜ ସମୟର ଅପେକ୍ଷାରେ ଥିଲେ। ଆଉ ଭାରତୀୟ ଜନତା ପାର୍ଟି ହିମନ୍ତ ବିଶ୍ୱଶର୍ମାଙ୍କୁ ନିଜ ଦଳରେ ସାମିଲ କରି ନେଇଥିଲା।

ଆସାମରେ କଂଗ୍ରେସର ବଡ଼ ପତନ ଓ ସେଠାରେ ବିଜେପିର ଶାସନ ପ୍ରତିଷ୍ଠା ହେବାରେ ହିମନ୍ତଙ୍କ ଭୂମିକା ସବାଗ୍ରେ ଥିଲା। କେବଳ ଆସାମ ନୁହେଁ ପୂରା ଉତ୍ତର ପୂର୍ବରେ ହିମନ୍ତ ବିଜେପିର ଚେହେରା ହୋଇ ଦଳକୁ ବଡ଼ ସଫଳତା ଆଣିଦେବାର କାମ କରି ଚାଲିଛନ୍ତି। ତରୁଣ ଗୋଗୋଇଙ୍କ ଦ୍ୱାରା ହିମନ୍ତଙ୍କୁ ଅଣଦେଖା କରିବା ସବୁଠାରୁ ବଡ଼ ରାଜନୈତିକ ଭୁଲ ଥିଲା ବୋଲି କେବଳ ସାଧାରଣ ଲୋକେ କି ନେତା ନୁହଁନ୍ତି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମଧ୍ୟ ସ୍ୱୀକାର କରନ୍ତି।

ହିମନ୍ତଙ୍କ ପଥରେ ବୈଜୟନ୍ତଙ୍କ

ବୈଜୟନ୍ତଙ୍କ ରାଜନୈତିକ ଧାରା ନିକଟ ଅତୀତରେ ହିମନ୍ତଙ୍କ ପଥରେ ଯାଇଛି। ଏକଦା ବୈଜୟନ୍ତ ବିଜୁ ଜନତା ଦଳର ଅତ୍ୟନ୍ତ ଟାଣୁଆ ନେତା ଥିଲେ। ୨୦୦୦ରୁ ଦଳ ଛାଡ଼ିବା ପର୍ଯ୍ୟନ୍ତ ସେ ଦିଲ୍ଲୀରେ ବିଜେଡିର ଚେହେରା ଥିଲେ। ରାଜ୍ୟସଭା ଓ ଲୋକସଭାରେ ସେ ଦଳର ପ୍ରତିନିଧିତ୍ୱ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ପ୍ରଥମରୁ ଥିଲେ ଅତି ଘନିଷ୍ଠ। ଜଣେ ସାଂସଦ ଭାବେ ନିଜ ଦାୟିତ୍ୱ ନିଷ୍ଠାର ସହ ବୈଜୟନ୍ତ ନିଭାଇଛନ୍ତି।

କୌଣସି ପ୍ରସଙ୍ଗରେ କହିବାର ହେଉ କିମ୍ୱା ଜନସ୍ୱାର୍ଥ ପାଇଁ ପ୍ରାଇଭେଟ ବିଲ ଆଗତ ହେଉ ସବୁଥିରେ ଆଗୁଆ ରହିଥିଲେ ବୈଜୟନ୍ତ। ସିଧାସଳଖ କେବେ ବି ନିଜ ଲେଖା କିମ୍ୱା କଥାରେ ବିଜେଡି ସୁପ୍ରିମୋଙ୍କୁ ଟାର୍ଗେଟ କରିନଥିଲେ। କେବଳ ମୁଖ୍ୟମନ୍ତ୍ରୀଙ୍କ କିଛି ପାଖ ଲୋକ କୁହାଯାଉଥିବା ବ୍ୟକ୍ତିଙ୍କୁ ସେ କରିଥିଲେ ଟାର୍ଗେଟ।

ହେଲେ ତାଙ୍କୁ ସେ ଦଳରେ ଥିବା ଅବସ୍ଥାରେ ଏକାଧିକ ପ୍ରକାରର ଅପମାନିତ କରିବା ପାଇଁ ଚେଷ୍ଟା ହୋଇଥିଲା। ତାଙ୍କ ଉପରକୁ ହୋଇଥିବା ଅଣ୍ଡା ମାଡ଼ ଘଟଣାକୁ ଉଦାହରଣ ନିଆଯାଇପାରେ। ସେହି ଅପମାନିତ ଅବସ୍ଥା ଭିତରେ ଥିବା ଯେତେବେଳେ ତାଙ୍କ ପିତା ବଂଶୀଧର ପଣ୍ଡାଙ୍କ ପରଲୋକରେ କୌଣସି ବଡ଼ ବିଜେଡି ନେତା ଶ୍ରଦ୍ଧାଞ୍ଜଳି ଦେବା ପାଇଁ ନ ଆସିବା ପରେ ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେଇଥିଲେ।

ନିର୍ବାଚନର ପୂର୍ବରୁ ବୈଜୟନ୍ତ ବିଜେପିରେ ଯୋଗ ଦେଇ ଏହାର ରାଷ୍ଟ୍ରୀୟ ଉପସଭାପତି ପାଇଛନ୍ତି। ତାଙ୍କର ବିଜେପିରେ ପ୍ରବେଶ ଓଡ଼ିଶାରେ ଦଳକୁ ନିଶ୍ଚିତ ଭାବରେ ଶକ୍ତିଶାଳୀ କରିଛି। ଦାମ ରାଉତଙ୍କ ବିଜେପିରେ ଯୋଗଦାନ ହେଉ କିମ୍ୱା ବିଜୟ ମହାପାତ୍ରଙ୍କ ଘର ବାହୁଡ଼ା ଏଥିରେ ବୈଜୟନ୍ତଙ୍କ ଭୂମିକା ବେଶ ରହିଛି। ବିଜେଡିର ଉପକୂଳବର୍ତ୍ତି ଗଡ଼ ଅଞ୍ଚଳରେ ବଡ଼ ପ୍ରଭାବ ପକାଇବାର ଶକ୍ତି ତାଙ୍କ ପାଖରେ ଥିବାର ରାଜନୈତିକ ବିଶ୍ଲେଷକମାନେ କୁହନ୍ତି।

ଅପମାନିତ ହିମନ୍ତ ବଡ଼ ରାଜନୈତିକ ଉକ୍ତି ଆସାମ ବିଧାନସଭା ନିର୍ବାଚନରେ ଦେଇଥିଲେ। ସେଭଳି ସ୍ଥିତି ଓଡ଼ିଶା ବିଧାନସଭା ନିର୍ବାଚନରେ ଏଥର ବୈଜୟନ୍ତଙ୍କ ଲାଗି ସୃଷ୍ଟି ହୋଇଛି। କେବଳ ରାଜନୀତି ନୁହେଁ କ୍ରୀଡ଼ା ସହ ସମ୍ପର୍କ ମଧ୍ୟ ହିମନ୍ତ ଓ ବୈଜୟନ୍ତଙ୍କ ମଧ୍ୟର ଆଉ ଏକ ସମାନତା।

ସୋମବାର ଏନଡିଟିଭିରେ ପ୍ରସାରିତ ସାକ୍ଷାତକାରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଭାବରେ ବୈଜୟନ୍ତଙ୍କୁ ଟାର୍ଗେଟ କରିଥିଲେ। ତାଙ୍କର ମୁଖ୍ୟମନ୍ତ୍ରୀ ବନିବାର ସ୍ୱପ୍ନ କଥା କହିଥିଲେ ନବୀନ। ତେବେ ସେହି ସାକ୍ଷାତକାରରେ ବୈଜୟନ୍ତଙ୍କ ବିରୋଧରେ ଜୋରରେ କହି ତାଙ୍କର ରାଜନୈତିକ ଉଚ୍ଚତା ନବୀନ ବଢ଼ାଇ ଦେଇଛନ୍ତି ବୋଲି ଧାରଣା ଜନ୍ମିଲାଣି।

କେବେ ବି ମିଡ଼ିଆରେ ବୈଜୟନ୍ତ ନବୀନଙ୍କୁ ଟାର୍ଗେଟ କରିନଥିଲେ କିମ୍ୱା ମୁଖ୍ୟମନ୍ତ୍ରୀ ପଦର କଥା କହିନଥିଲେ। ହିମନ୍ତ ମଧ୍ୟ ସମଭାବରେ ତରୁଣ ଗୋଗୋଇଙ୍କୁ ବିଦା କରିବାର କଥା କହିନଥିଲେ ପ୍ରକାଶ୍ୟରେ।

ହେଲେ ଗୋଗୋଇ ହିମନ୍ତଙ୍କ ବଢ଼ୁଥିବା ଲୋକପ୍ରିୟତାକୁ ଡରି ତାଙ୍କୁ ଆଡେଇବା ଆରମ୍ଭ କରିଥିଲେ। ହିମନ୍ତ ଗତ ବିଧାନସଭା ନିର୍ବାଚନରେ କିଙ୍ଗମେକରର ଭୂମିକା ନେଇ ବିଜେପିକୁ କ୍ଷମତା ପ୍ରଦାନ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି, ମୁଖ୍ୟମନ୍ତ୍ରୀ ବନିଥିଲେ କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ି ଆସାମ ଫେରିଥିବା ସର୍ବାନନ୍ଦ ସୋନୱାଲ। ହିମନ୍ତ ସଫଳତା ହାସଲ କରି ସାରିଛନ୍ତି ରାଜନୈତିକ ମଞ୍ଚରେ। ବୈଜୟନ୍ତ ହାସଲ କରିପାରିବେ କି ସେପରି ସଫଳତା? ଏହାର ଉତ୍ତର ଜାଣିବା ଲାଗି ମେ’୨୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ।

Leave a Reply

Your email address will not be published. Required fields are marked *