ବିଜେପିରେ ମିଶିବେ ବୈଜୟନ୍ତ!
ସବୁ ପ୍ରତୀକ୍ଷାର ଅବସାନ ଘଟିବାକୁ ଯାଉଛି । କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କେଉଁ ଦଳକୁ ଯିବେ ସେନେଇ ନାନାଦି ଚର୍ଚ୍ଚା ହୋଇଆସୁଥିଲା । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବାର ସମ୍ଭାବନା ରହିଛି। ସୂତ୍ର ଅନୁସାରେ ନୂଆଦିଲ୍ଲୀରେ ଶ୍ରୀ ପଣ୍ଡା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି।
ଅଧିକାଂଶ ସମୟ ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିବାବେଳେ କିଛି ସମୟ ପାଇଁ କଂଗ୍ରେସରେ ମିଶିପାରନ୍ତି ବୋଲି କୁହାଯାଉଥିଲା । ଖାଲି ସେତିକି ନୁହେଁ ବୈଜୟନ୍ତ ବିଜେପି କିମ୍ବା କଂଗ୍ରେସକୁ ନଯାଇ ନିଜ ରାଜନୈତିକ ଭବିଷ୍ୟତକୁ ଲକ୍ଷ୍ୟ ରଖି ନୂଆ ଆଞ୍ଚଳିକ ଦଳ ଗଢିବେ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଥିଲା । ଦିନାକେତେ ଡାକ୍ତର ଦାମୋଦର ରାଉତ, ବିଜୟ ମହାପାତ୍ର, ବ୍ରଜ ତ୍ରିପାଠୀ, ଖାରବେଳ ସ୍ୱାଇଁଙ୍କ ସହ ମଧ୍ୟ ବୈଜୟନ୍ତଙ୍କ ଆଲୋଚନା ହେଉଥିବା ତାଙ୍କର ଅଳିନ୍ଦରୁ ଖବର ପ୍ରକାଶ ପାଉଥିଲା ।

ପରବର୍ତ୍ତୀ ସମୟରେ ବୈଜୟନ୍ତଙ୍କ ବନ୍ଧୁ ତଥା ହିନ୍ଦୋଳ ରାଜା ଓଡ଼ିଶା ଲୋକତନ୍ତ୍ର ଦଳ ନାମରେ ମଧ୍ୟ ଏକ ଦଳ ଗଢିଥିଲେ। ଯେଉଁଥିରେ ବୈଜୟନ୍ତଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଥିଲା । ତେବେ ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ଦଳକୁ ନିର୍ବାଚନର ସନ୍ଧିକ୍ଷଣରେ ଦୃଢଭାବରେ ଠିଆ କରିବା କଷ୍ଟକର ବ୍ୟାପାର ଥିଲା । ଯେଉଁଥିପାଇଁ ନୂତନ ଆଞ୍ଚଳିକ ଦଳ ଗଠନ ନେଇ ରାଜ୍ୟର ବଡ଼ ବଡ଼ ନେତାମାନେ ସେଭଳି ଠୋସ ପଦକ୍ଷେପ ନେଇ ପାରିନଥିଲେ । ତେବେ ସଦ୍ୟତମ ଚର୍ଚ୍ଚା ଅନୁଯାୟୀ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବେ ବୋଲି କୁହାଯାଉଛି ।