ଡାକ୍ତରଙ୍କ ସମେତ ୧୪ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ, ହସ୍ପିଟାଲ୍ ସିଲ୍
ନୂଆଦିଲ୍ଲୀ(ଓଟି): ଦେଶର ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ପୁଣି ଡାକ୍ତରଙ୍କ ସମେତ ୧୪ ସ୍ଵାସ୍ଥ୍ୟକର୍ମୀ ମାରାତ୍ମକ କରୋନା କବଳିତ ହୋଇଥିବା ଜଣାପଡ଼ିଛି। ଫଳରେ ଉକ୍ତ ହସ୍ପିଟାଲ୍କୁ ସିଲ୍ କରିଦିଆଯାଇଛି। ସେହିପରି କେବଳ ଉତ୍ତର ଦିଲ୍ଲୀର କଣ୍ଟେନ୍ମେଣ୍ଟ ଜୋନ୍ ହୋଇଥିବା ଜାହାଙ୍ଗୀରପୁରୀ ଅଞ୍ଚଳରେ ୪୬ ମାମଲା ଆସିବା ଫଳରେ ସାଧାରଣରେ ଭୟ ଖେଳି ଯାଇଛି।
ସୂଚନା ଅନୁସାରେ ବାବୁ ଜଗଜୀବନ ରାମ ମେଡିକାଲର ୧୪ ନୂଆ କରୋନା ମାମଲାରେ ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟକର୍ମୀ ସାମିଲ ଅଛନ୍ତି। ଏହା ପୂର୍ବରୁ ମଧ୍ୟ ସେଠାରେ ଡାକ୍ତର ଓ ଅନ୍ୟ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଅନ୍ୟପଟେ ଚନ୍ଦନ ହୋଲା ଗାଁରେ ରହୁଥିବା ଜଣେ ଏମ୍ସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କର୍ମଚାରୀ ରହୁଥିବା ଆପାର୍ଟମେଣ୍ଟ୍ରେ ଏମ୍ସର ପ୍ରାୟ ୧୦୦ କର୍ମଚାରୀ ରହୁଥିବା ଜଣାପଡ଼ିଛି। ତେଣୁ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀର କେବଳ ସମ୍ପୃକ୍ତ ଅଞ୍ଚଳରେ ୮୯ଟି କରୋନା ମାମଲା ଆସିବା ପରେ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।