ରେକର୍ଡ଼ ଭାଙ୍ଗିଲା ‘ଡ୍ରିମଗାର୍ଲ’
ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଥିଲା ‘ଡ୍ରିମଗାର୍ଲ’ । ଆୟୁଷ୍ମାନ୍ ଖୁରାନାଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍ ହେବାର ଅଳ୍ପ ଦିନ ଭିତରେ ଅନେକଗୁଡ଼ିଏ ରେକର୍ଡ଼ କରିସାରିଛି । ଆୟୁଷ୍ମାନଙ୍କ କ୍ୟାରିୟରର ଏହା ସବୁଠାରୁ ବଡ଼ ଓପନିଙ୍ଗ୍ ଫିଲ୍ମ ଭାବେ ରେକର୍ଡ଼ କରିଛି । ପ୍ରଥମ ଦିନ ଏହା ୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବକ୍ସଅଫିସ୍ କଲେକସନ୍ କରିଥିଲା । ଏହା ସହିତ ଚଳିତବର୍ଷର ସବୁଠାରୁ ବଡ଼ ଓପନିଙ୍ଗ୍ ତାଲିକାରେ ମଧ୍ୟ ସାମିଲ୍ ହୋଇଛି । ଚଳିତବର୍ଷର ମିଡିୟମ୍ ବଜେଟ୍ ଭିତ୍ତିକ ଫିଲ୍ମ ‘ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍’, ‘ଲୁକା ଛୁପି’ ଓ ‘ଛିଛୋରେ’ର ଫାଷ୍ଟ୍ ଡେ’ କଲେକସନକୁ କାଟି ‘ଡ୍ରିମଗାର୍ଲ’ ଆଗକୁ ବଢ଼ିଚାଲିଛି । ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ବିଜେତା ଆୟୁଷ୍ମାନଙ୍କ ଫିଲ୍ମ କ୍ୟାରିୟରକୁ ଲକ୍ଷ୍ୟ କଲେ ଜଣାପଡ଼ିବ ଯେ ସେ ବିଗତ କିଛି ଦିନ ହେଲା ନିଜର ଫିଲ୍ମ ଚଏସ୍ କରିବା କ୍ଷେତ୍ରରେ ପ୍ରଶଂସକଙ୍କୁ ସରପ୍ରାଇଜ୍ କରିଦେଉଛନ୍ତି । ପ୍ରତ୍ୟେକ ଫିଲ୍ମରେ ତାଙ୍କର ଏକ ଭିନ୍ନ ଲୁକ୍ ଦେଖିବାକୁ ମିଳୁଛି, ଯାହାକି ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରୁଛି ।
‘ଡ୍ରିମଗାର୍ଲ’ରେ ଆୟୁଷ୍ମାନ୍ ଜଣେ ମହିଳା ଭୂମିକାରେ ଅଭିନୟ କରିଥିଲେ ଏବଂ ନିଜେ ମହିଳାଙ୍କ ସ୍ୱରରେ ଡାଇଲଗ୍ କହିଥିଲେ । ‘ଡ୍ରିମଗାର୍ଲ’ର କାହାଣୀ ଜଣେ ବେକାର ଯୁବକଙ୍କ ଜୀବନ ସଂଘର୍ଷକୁ ନେଇ ଚରିତ । କାହାଣୀ ଅନୁଯାୟୀ ସେ ଗୋଟିଏ କଲ୍ ସେଣ୍ଟରରେ ଚାକିରି ପାଆନ୍ତି ଏବଂ ସେଠାରେ ତାଙ୍କୁ ମହିଳାଙ୍କ ସ୍ୱରରେ କହିବାକୁ ପଡ଼େ । ସେହି ମିଠାସ୍ୱର ପାଇଁ ଅନେକ ବ୍ୟକ୍ତି ତାଙ୍କର ପ୍ରଶଂସକ ପାଲଟିଯାଆନ୍ତି ଏବଂ ସେ ମହିଳାଙ୍କୁ କିଛି ଜଣ ଭଲ ପାଇ ବସନ୍ତି । ସେହିସବୁ ଲୋକମାନଙ୍କ ମଧ୍ୟରେ ଆୟୁଷ୍ମାନଙ୍କ ବାପା ଭୂମିକାରେ ଥିବା ଅନୁ କପୁର୍ ମଧ୍ୟ ଧୋକା ଖାଇଯାଆନ୍ତି । ତେବେ କାହାଣୀ ଆଗକୁ ଯେଉଁ ସବୁ ମୋଡ଼ ଦେଇ ଗତି କରୁଛି, ତାହା ବେଶ୍ ରୋମାଞ୍ଚକର । ହାଲକା କମେଡ଼ିଯୁକ୍ତ ଏହି ଫିଲ୍ମ ଦର୍ଶକ ଓ ଫିଲ୍ମ ସମୀକ୍ଷକଙ୍କୁ ବେଶ୍ ପସନ୍ଦ ଆସିଛି । ତେଣୁ ଆଗାମୀ ଦିନରେ ଏହା ଜବରଦସ୍ତ ବକ୍ସ ଅଫିସ୍ କଲେକସନ୍ କରିବ ବୋଲି ଆଶା କରାଯାଉଛି ।











