ବିଜେପି ନେତାଙ୍କୁ ଅଂହକାର ରୋଗ

ଭୁବନେଶ୍ୱର,(ଓଟି): ତୁଛାରେ ବଡ଼ିମା କରୁଥିବା ଲୋକମାନଙ୍କ ପାଇଁ ଓଡ଼ିଆରେ ଗୋଟିଏ ଢ଼ଗ ଅଛି, ତାହା ହେଲା ‘ ତୁଛାକୁ ଏତେ-ମୁଦି ନଥାଇ ଗୋଡ଼ କଚାଡ଼ୁ କେତେ?’। ଏହି ଢ଼ଗଟି ଏବେ ରାଜ୍ୟ ବିଜେପି ନେତାମାନଙ୍କ ପାଇଁ ପ୍ରଜୁଯ୍ୟ। କାରଣ କ୍ଷମତା ହାସଲ ପାଇଁ ରାଜ୍ୟର କିଛି ନେତା ଏବେ ପାଗଳ ହୋଇଉଠିଛନ୍ତି। ଦଳର ବଳ କୁହାଯାଉଥିବା କର୍ମୀ ଓ ପଦାଧିକାରୀମାନଙ୍କୁ ଏହି ନେତାମାନେ ଆଉ ଗୁରୁତ୍ୱ ଦେଉନାହାନ୍ତି। ଅର୍ଥବଳରେ ବଳିୟାନ ହୋଇଥିବା ଏହି ନେତାମାନେ ଟଙ୍କା ଦେଇ ଭୋଟ କିଣିବେ ବୋଲି ଚନ୍ତା କରି କର୍ମୀମାନଙ୍କୁ ଦଳ ଛାଡ଼ି ଚାଲିଯିବାକୁ କହିବାରେ ପଛଘୁଞ୍ଚା ଦେଉନାହାନ୍ତି।

ପ୍ରଥମେ ବିଜେପିରେ ସଦ୍ୟ ଯୋଗ ଦେଇଥିବା ବ୍ୟୁରୋକ୍ରାଟ ଅପରାଜିତା ଷଡ଼ଙ୍ଗୀ କହିଥିଲେ,‘ବାରବାର ହାରୁଛ ଲଜ୍ଜା ଲାଗୁନାହିଁ । ଆମେ ଦଳକୁ କେମିତି ଜିତାଇବା ତାହା ଦେଖିବାର ଅଛି । ଇଏ ତା’ର ଲୋକ,ସିଏ ତାର ଲୋକ ହେଉଛନ୍ତି। ଯେଉଁମାନେ ଏଭଳି କହୁଛନ୍ତି ସେମାନେ ଦଳ ଛାଡ଼ି ଦିଅନ୍ତୁ ।’ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ଏଭଳି ବିବୃତି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ସୋସିଆଲ ମିଡ଼ିଆରେ ଅପରାଜିତାଙ୍କ ମତକୁ ଯେତିକି ସମର୍ଥନ ମିଳିଥିଲା ସେତିକି ବିରୋଧ ମଧ୍ୟ ହୋଇଥିଲା ।

ତେବେ ଅପରାଜିତାଙ୍କ ଭାଷଣକୁ ନେଇ ଏବେବି ବିଜେପି ଅଳିନ୍ଦରେ ଚର୍ଚ୍ଚା ଚାଲିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଏବେ ଆହୁରି ଚର୍ଚ୍ଚା ସୃଷ୍ଟି କରିଛି । ଦଳୀୟ କର୍ମୀଙ୍କୁ ଧର୍ମେନ୍ଦ୍ର ରୋକଠୋକ ଭାବେ କହିଛନ୍ତି, ‘ଯିଏ ମୋ ନିଷ୍ପତ୍ତିରେ ଏକମତ ହେବନାହିଁ, ସେ ଦଳରୁ ବାହାରିଯାଉ।’ ଧର୍ମେନ୍ଦ୍ରଙ୍କ ଏଭଳି ବିବୃତି ବିଜେପିରେ ହଟଚମଟ ସୃଷ୍ଟି କରିଛି।

ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କ ଭଳି ନେତାମାନେ ଧର୍ମେନ୍ଦ୍ରଙ୍କ ପାଇଁ ଦଳ ଛାଡ଼ିଲେ ବୋଲି ସେମାନଙ୍କ ସମର୍ଥକମାନେ କହୁଥିବାବେଳେ ବୈଜୟନ୍ତ ପଣ୍ଡା ମଧ୍ୟ ଧର୍ମେନ୍ଦ୍ରଙ୍କ ପାଇଁ ବିଜେପିରେ ଯୋଗଦେଇପାରିନଥିବା ବୈଜୟନ୍ତଙ୍କ ସମର୍ଥକମାନେ କହିବାକୁ ପଛାଉନାହାନ୍ତି ।

ଏହି ପରିପ୍ରେକ୍ଷୀରେ ବଅଁରପାଳ ଗସ୍ତ କାଳରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଭିନ୍ନ ଦିଗକୁ ଇସାରା ଦେଉଛି । ବଅଁରପାଳରେ ଧର୍ମେନ୍ଦ୍ର ଦଳୀୟ ନେତାମାନଙ୍କ ସହ ଆଲୋଚନା କାଳରେ ଆଗାମୀ ନିର୍ବାଚନରେ କିଏ ପ୍ରାର୍ଥୀ ହେବ ସେନେଇ ସଂକେତ ଦେଇଥିଲେ। ଅନୁଗୁଳରୁ କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ପ୍ରତାପ ପ୍ରଧାନ ବିଜେପିରୁ ପ୍ରାର୍ଥୀ ହେବେବୋଲି ଧର୍ମେନ୍ଦ୍ର କହିଥିଲେ। ଗତ ନିର୍ବାଚନରେ ସେ ଅନୁଗୁଳରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ।

କିନ୍ତୁ ଧର୍ମେନ୍ଦ୍ରଙ୍କ କଥାରେ ଏକମତ ହୋଇପାରିନଥିଲେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଦିଲୀପ ପ୍ରଧାନ। ଏମିତିକି ସେ ଧର୍ମେନ୍ଦ୍ରଙ୍କୁ ମଧ୍ୟ ପାଲଟା ପ୍ରଶ୍ନ କରିଥିଲେ। ଜିଲ୍ଳାର ଦଳୀୟ ନେତାମାନଙ୍କୁ ନପଚାରି ମନେମନେ କିପରି ନିଷ୍ପତ୍ତି ନେଇଗଲେ ସେ ପଚାରିଥିଲେ। ଯାହାର ଉତ୍ତରରେ ଧର୍ମେନ୍ଦ୍ର କହିଥିଲେଯେ, ‘ତୁମେ ଦଳରେ ଥାଇ ଅଧିକ ବିଶୃଙ୍ଖଳା କରୁଛ। ଯିଏ ମୋ ନିଷ୍ପତ୍ତିରେ ଏକମତ ହେବନାହିଁ, ସେ ଦଳରୁ ବାହାରିଯାଉ’। କିନ୍ତୁ ଦିଲୀପ ବି ଦବିନଯାଇ ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଥିଲେ। ଦଳ କ’ଣ ତମ ପୈତୃକ ସମ୍ପତି ଯେ, ତୁମ କଥାରେ ଦଳ ଛାଡ଼ିଦେବୁ ବୋଲି କହିଥିଲେ। ଏଭଳି ଜବାବ ଆଶା କରି ନ ଥିବା ଧର୍ମେନ୍ଦ୍ରଙ୍କୁ ଏହା ଭୀଷଣ ଅପମାନିତ କରିଥିଲା। ରାଗ ତମ ତମ ହୋଇ ହେଲିକପ୍ଟରକୁ ପଳାଇ ଯାଇଥିଲେ।

ଯାଜପୁର ଜିଲ୍ଲା ବିଜେପି କର୍ମୀଙ୍କ ଅନଶନ

କଥା ଏତିକିରେ ସରୁନାହିଁ। ଯାଜପୁର ଜିଲ୍ଲାରେ ନୂଆ-ପୁରୁଣା ବିବାଦ ଜଟିଳ ମୋଡ଼ ନେଇଛି। ପୁରୁଣା ନେତାଙ୍କୁ କୋଣଠେସା କରି ଆମଦାନୀ ନେତାଙ୍କୁ ଗୁରୁତ୍ୱ ଦିଆଯାଉଥିବାରୁ ବହୁ ଦିନରୁ ବିବାଦ ଚାଲିଛି। ଜିଲ୍ଲାରେ ବିଜେପି ଦୁଇଭାଗ ହୋଇ ରହିଛି। ବଡ଼ଚଣାରେ ଏହା ଅଧିକ ଜଟିଳ ହୋଇଛି। ଗତକାଲିଠାରୁ ବିବାଦ ଭୁବନେଶ୍ୱର ଚାଲି ଆସିଛି। ବିଜେପି ପାର୍ଟି ଅଫିସ ଆଗରେ ଅହୋରାତ୍ର ଧାରଣା ଦେଖିବାକୁ ମିଳିଛି। ଜିଲ୍ଲାରେ ନିର୍ବାଚିତ ହୋଇଥିବା ୨୯ ଜଣ ମଣ୍ଡଳ ସଭାପତିଙ୍କୁ ଅଗଣତାନ୍ତ୍ରିକ ଭାବେ ବିଦା କରିଦିଆଯାଇଥିବା ପ୍ରତିବାଦରେ ଦଳର ପୁରୁଣା ସଂଗଠକ ତଥା କର୍ମକର୍ତ୍ତାମାନେ ଏହି ଧାରଣାରେ ବସିଛନ୍ତି। ସେମାନଙ୍କର ମୁଖ୍ୟ ଟାର୍ଗେଟ୍ ରହିଛନ୍ତି ଧର୍ମେନ୍ଦ୍ର। ନ୍ୟାୟ ନ ମିଳିଲା ଯାଏଁ ସେମାନେ ଧାରଣାରେ ବସିବେ ଏବଂ ଆତ୍ମାହୂତି ଭଳି ଚରମ ପଦକ୍ଷେପ ନେବେ ବୋଲି ଧମକ ଦେଇଛନ୍ତି।

ପଟ୍ଟାମୁଣ୍ଡାଇରେ ବି ନୂଆ-ପୁରୁଣା ବିବାଦ


ଧର୍ମେନ୍ଦ୍ରଙ୍କ ସାମନାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବି ନୂଆ-ପୁରୁଣା ବିବାଦ ଉଗ୍ର ମୋଡ଼ ନେଇଥିଲା। ଧର୍ମେନ୍ଦ୍ର ସେଠାକୁ ଯାଇଥିବା ବେଳେ ନୂଆ-ପୁରୁଣା ନେତା ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ହୋଇ ପରିସ୍ଥିତି ଭୟଙ୍କର ହୋଇଥିଲା।

ବିଜେପିର ଏହି ନୂଆ-ପୁରୁଣା ସବୁ ଜିଲ୍ଲାରେ ଜଟିଳ ରୂପ ନେଉଥିବା ଖବର ମିଳିଛି । ଆଗକୁ ନିର୍ବାଚନ ଥିବାରୁ ଟିକେଟ ଆଶାୟୀମାନେ ତତ୍ପର ହୋଇଛନ୍ତି । ଦୁଇ ଗୋଷ୍ଠୀ ଛକାପଞ୍ଝା ଅବସ୍ଥାକୁ ଆସିଛନ୍ତି । ଏଭଳି ସ୍ଥିତି ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଗୋଷ୍ଠୀର ଚିନ୍ତା ବଢ଼ାଇ ଦେଇଛି ।

Leave a Reply

Your email address will not be published. Required fields are marked *