କେନ୍ଦ୍ରାପଡ଼ା: ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଗଣେଶ୍ଵର ଓ ଅତନୁ ଦାଖଲ କଲେ ନାମାଙ୍କନପତ୍ର

କେନ୍ଦ୍ରାପଡ଼ା, ( ପ୍ରଦୀପ କୁମାର ଜେନା) :ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା ପାଇଁ କେନ୍ଦ୍ରାପଡ଼ା ଜିଲାରେ ଆଜି ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି। ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପଦ ପାଇଁ ଆଜି ୪ ଜଣ ପ୍ରତିଦ୍ୱନ୍ଦ୍ୱୀ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସଂରକ୍ଷିତ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏକ ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ମହାକଳପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦୀତା ପାଇଁ ବିଜେଡି ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ଅତନୁସବ୍ୟସାଚୀ ନାୟକ ଏକ ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଦୁଇ ମୁଖ୍ୟଦଳର ପ୍ରାର୍ଥୀମାନେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା କରିବାକୁ ଦଳ ପ୍ରାର୍ଥୀ କରିଥିବା ଦୁଇଜଣ ପ୍ରାର୍ଥୀଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ। କଂଗ୍ରେସ ଦଳର କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ସହ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦୀତା ପାଇଁ ଦଳ ଚୟନ କରିଥିବା ପ୍ରାର୍ଥୀ ଆଇନଜୀବୀ ଧରଣୀଧର ନାୟକ କେନ୍ଦ୍ରାପଡ଼ା ସହରର ମୁଖଶାଳା ତିନିମୁହାଁଣି ଛକ ଠାରୁ ଦଳୀୟ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।

ସେହିପରି ମହାକଳପଡ଼ା ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ପତିଦ୍ୱନ୍ଦିତା କରିବାକୁ ଦଳ ପ୍ରାର୍ଥୀ କରିଥିବା ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କ ସହ ତିନିମୁହାଁଣି ଛକରୁ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସେହିପରି ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦୀତା ପାଇଁ ଅଜୟ କୁମାର ବେହରା ସ୍ୱାଧୀନ ପ୍ରାର୍ଥୀ ଭାବେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ମହାକଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦୀତା କରିବାକୁ ପଦ୍ମନାଭ ପରିଡ଼ା ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Leave a Reply

Your email address will not be published. Required fields are marked *