ଅଶୋକଙ୍କ ପାଇଁ ଅଡ଼ୁଆ ଆକାଶ
ଆକାଶ ଦାସନାୟକଙ୍କୁ ଟିକଟ ନଦେଇ ଯେଉଁ ଗୋଟି ଖେଳିଛି ବିଜୁ ଜନତା ଦଳ, ଏବେ ତାହା ଦଳକୁ ମହଙ୍ଗା ପଡ଼ିପାରେ। ଯଦିଓ ଆକାଶଙ୍କୁ ବୁଝାଇବାରେ ଦଳ କିଛି ମାତ୍ରାରେ ସଫଳ ହୋଇଛି, ତଥାପି ଏହା ବିଜେଡି ପ୍ରାର୍ଥୀଙ୍କୁ ବଡ଼ ଅସୁବିଧାରେ ପକାଇବ ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରଣବ ପ୍ରକାଶ (ବବି) ଦାସଙ୍କ ବ୍ୟକ୍ତିଗତ କାରଣରୁ ଆକାଶଙ୍କୁ ଟିକଟ ମିଳିନଥିବା ଚର୍ଚ୍ଚା ଲାଗିଥିବା ବେଳେ ଏହା ବିଜେଡିର ଅଶୋକ ବଳଙ୍କ ପାଇଁ ଅଡ଼ୁଆ ପଡ଼ିପାରେ।

ଅଶୋକ ଜଣେ ଟ୍ରାନ୍ସପୋର୍ଟର। ଜିତୁ ବଳବନ୍ତରାୟଙ୍କ ସହ ତାଙ୍କ ଘନିଷ୍ଠ ସମ୍ପର୍କ ଯୋଗୁଁ ସେ ଟିକଟ ପାଇଛନ୍ତି ବୋଲି ଚର୍ଚ୍ଚା ଭିତରେ ବିଜେଡିର ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି ବିଜେପିର ବିଶ୍ୱଜିତ ନାୟକ ଏବଂ କଂଗ୍ରେସର ବନ୍ଦିତା ପରିଡ଼ା। ଏହି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ ଆକାଶଙ୍କର ଏକ ବଡ଼ ଭୂମିକା ରହିବାର ଅନୁମାନ କରାଯାଉଛି।
ଗତ ବିଧାନସଭା ନିର୍ବାଚନରେ କୋରେଇ ବିଧାନସଭା ଆସନରୁ ବିଜେଡିର ପ୍ରାର୍ଥୀ ଥିଲେ ଆକାଶ ଦାସନାୟକ। ସେ ୭୩,୯୬୬ଟି ଭୋଟ ପାଇଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ୱଜିତ ନାୟକ ୩୧୦୯୯, ବିଜେପିର ସଞ୍ଚିତା ମହାନ୍ତି ୧୫୭୬୧ ଭୋଟ ପାଇଥିଲେ। ଏଥର ଆକାଶ ଦାସନାୟକଙ୍କୁ ବିଜେଡି ପ୍ରାର୍ଥୀ କରି ନାହିଁ। ସେହିଭଳି ଗତଥର କଂଗ୍ରେସ ଟିକଟରୁ ନିର୍ବାଚନ ଲଢ଼ିଥିବା ବିଶ୍ୱଜିତ ନାୟକଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବ୍ୟାସନଗର ମ୍ୟୁନିସିପାଲିଟର ପୂର୍ବତନ ଅଧ୍ୟକ୍ଷା ବନ୍ଦିତା ପରିଡ଼ା କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି।
ଅଶୋକ ବଳଙ୍କୁ ପୂର୍ବତନ ନେତା କଳ୍ପତରୁ ଦାସଙ୍କ ଡାହାଣ ହାତ ବୋଲି କୁହାଯାଏ। ସେ ବଳବନ୍ତ ରାୟ ଟ୍ରାନ୍ସପୋର୍ଟର ଦେଖାରଖା ମଧ୍ୟ କରନ୍ତି। ୨୦୧୪ରେ ଅଶୋକ କୋରେଇରୁ ନିର୍ବାଚନ ଲଢ଼ିବାର ବଡ଼ ଆଶା ରଖିଥିଲେ। ମାତ୍ର ତାଙ୍କୁ ଟିକଟ ଦିଆଯାଇ ନଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ଅଶୋକ ୨୦୧୪ରେ ଦଳ ପାଇଁ ନିର୍ବାଚନ ପ୍ରଚାର କରି ନଥିଲେ। ପଞ୍ଚାୟତ ନିର୍ବାଚନ ପରେ ସେ ବିଜେପିରେ ସାମିଲ ହୋଇଥିଲେ। ଏହି ଦଳରେ ସେ ଗୋଟିଏ ବର୍ଷ ରହିଥିଲା ବେଳେ ବିଜେପିରୁ ମଧ୍ୟ ଟିକଟର ବଡ଼ ଦାବିଦାର ଥିଲେ। ମାତ୍ର ପରେ ଜିତୁ ବଳବନ୍ତରାୟଙ୍କ ଏହି ଘନିଷ୍ଠ ଅଶୋକ ଭିତିରି ବୁଝାମଣା ସହ ବିଜେଡିକୁ ଫେରିଆସିଛନ୍ତି। ଆଉ ଆକାଶଙ୍କ ବଦଳରେ ମିଳିଛି ତାଙ୍କୁ ଟିକଟ।
ଅନ୍ୟପଟେ ୨୦୧୪ରେ କଂଗ୍ରେସ ଟିକଟରୁ ଲଢ଼ିଥିବା ବିଶ୍ୱଜିତ ନିର୍ବାଚନର ବହୁ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ସେ ନିଜର କିଛି ସାଥୀଙ୍କୁ ଧରି ବିଜେପିରେ ସାମିଲ ହେବା ସହ ଟିକଟ ହାତେଇଛନ୍ତି। ପୂର୍ବରୁ ବିଜେପି ଟିକଟରେ ଲଢ଼ିଥିବା ସଞ୍ଚିତା ଏଥର ଟିକଟ ନପାଇ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କର କିଛି ସାଥୀ କଂଗ୍ରେସ ଏବଂ ବିଜେପିରେ ସାମିଲ ହୋଇଗଲେଣି।
ତେବେ ବର୍ତ୍ତମାନ ସ୍ଥିତିରେ ଏହି ନିର୍ବାଚନ ମଇଦାନରେ ଲଢ଼େଇ ଅଶୋକ ବନାମ ବିଶ୍ୱଜିତଙ୍କ ମଧ୍ୟରେ ଥିଲା ବେଳେ କଂଗ୍ରେସର ବନ୍ଦିତା ମଧ୍ୟ ଗେମ ଚେଞ୍ଜର ହୋଇପାରନ୍ତି। ବନ୍ଦିତା ପୂର୍ବରୁ ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷ ଥିଲାବେଳେ ଏହି ନିର୍ବାଚନମଣ୍ଡଳୀରେ କୋରେଇ ବ୍ଲକର ୨୮ଟି ପଞ୍ଚାୟତ ରହିଛି। ଏଠାକାର ଭୋଟର ସଂଖ୍ୟା ୩୬ ହଜାର। ଅଧ୍ୟକ୍ଷ ଥିବା ସମୟରେ ବନ୍ଦିତା ପଞ୍ଚାୟତର ଅନେକ କାମ କରିଥିବାରୁ ଏହି ଭୋଟରୁ ବଡ଼ ଭାଗ ବନ୍ଦିତାଙ୍କ ଆଡ଼କୁ ଯାଇପାରେ।
ବର୍ତ୍ତମାନ ରାଜ୍ୟରେ ଏକ ପରିବର୍ତ୍ତନର ସୁଅ ଦେଖିବାକୁ ମିଳୁଥିବାରୁ ଏହି ସୁଅରେ ଆଗେଇ ଯିବାର ଲକ୍ଷ୍ୟ ରଖିଛନ୍ତି ବିଜେପି ପ୍ରାର୍ଥୀ ବିଶ୍ୱଜିତ। ବିଜେଡି ମଧ୍ୟ ଏହି ବଦଳୁଥିବା ସ୍ଥିତିକୁ ନେଇ ବେଶ ଅବଗତ। ତେଣୁ ଅଶୋକ ବଳ ପରିସ୍ଥିତିକୁ ହୃଦୟଙ୍ଗମ କରି ପ୍ରଫୁଲ୍ଲ ଘଡ଼ାଇଙ୍କ ଶରଣାପନ୍ନ ହୋଇଥିବା ସୂଚନା ମିଳିଛି। ଘଡ଼ାଇଙ୍କ ଘର କୋରାଇରେ। ତାଙ୍କର ଏକ ନିଜସ୍ୱ ଭୋଟ ଅଛି ଏହି ନିର୍ବାଚନମଣ୍ଡଳୀରେ। ସୁକିନ୍ଦାରେ ଅଡ଼ୁଆରେ ପଡ଼ିଛନ୍ତି ଜୁନିଅର ଘଡ଼ାଇ। ଏହି କାରଣରୁ ସିନିଅର ଘଡ଼ାଇ ଅଶୋକ ବଳଙ୍କୁ ସମର୍ଥନ କରିବା ପାଇଁ ଆଗେଇ ଆସିବେ କି ନାହିଁ, ସେନେଇ ସନ୍ଦେହ ରହିଛି।
ଏଠାରେ ସୂଚନାଯୋଗ୍ୟ ଯେ, କୋରେଇ ଯେବେଠାରୁ ନିର୍ବାଚନମଣ୍ଡଳୀ ଭାବେ ପରିଚିତ ହେଲା, ସେବେଠାରୁ ବର୍ତ୍ତମାନ ସୁଦ୍ଧା ୧୦ ଥର ସାଧାରଣ ନିର୍ବାଚନ ହୋଇସାରିଲାଣି। ଏଥିମଧ୍ୟରୁ ୬ଥର ସ୍ୱର୍ଗତ ଅଶୋକ ଦାସ ନିର୍ବାଚିତ ହୋଇଥିଲା ବେଳେ କଂଗ୍ରେସରୁ ରାମଚନ୍ଦ୍ର ଖୁଣ୍ଟିଆ, ବିଜେପିରୁ ସଞ୍ଚିତା ମହାନ୍ତି, ବିଜେଡିରୁ ପ୍ରୀତିରଞ୍ଜନ ଘଡ଼ାଇ ଏବଂ ଆକାଶଦାସନାୟକ ନିର୍ବାଚିତ ହୋଇସାରିଛନ୍ତି।
ତେବେ ୨୦୧୪ର ପରିସ୍ଥିତି ୨୦୧୯ରେ ନାହିଁ। ଆକାଶଙ୍କୁ ଟିକଟ କାଟିବା ଏବଂ ଅଶୋକଙ୍କୁ ଟିକଟ ମିଳିବା ପରେ ପରିସ୍ଥିତି ଭିନ୍ନ ମୋଡ଼ ନେବାକୁ ଯାଉଛି। ଯଦିଓ ଦଳୀୟ ନେତା ଆକାଶଙ୍କୁ ବୁଝାଇବାର ଚେଷ୍ଟାରେ ଅଛନ୍ତି ଏବଂ ଆକାଶ ବୁଝିଗଲେଣି ବୋଲି କୁହାଯାଉଛି, ତେବେ ଆକାଶଙ୍କୁ ସମର୍ଥନ ଦେଉଥିବା କର୍ମୀ ଓ ସାଧାରଣ ଲୋକ କେଉଁଆଡେ଼ ଯିବେ, ତାହା ବଡ଼ ପ୍ରଶ୍ନବାଚୀ?
ତେଣୁ ଆକାଶଙ୍କର ଗତିବିଧି ଉପରେ ବିଜେଡି ପୁରା ନଜର ରଖିଛି। ନଚେତ ଫାଇଦା ବିଶ୍ୱଜିତ କିମ୍ୱା ବନ୍ଦିତା ନେଇଯିବେ, ଏଥିରେ କୌଣସି ସନ୍ଦେହ ନାହିଁ।