ଡ୍ରାଇଭର୍ଙ୍କ ଠାରୁ ଉଧାର ମାଗୁଛନ୍ତି ‘ଶଶୁରାଲ୍ ସିମର୍ କା’ର ଆଶିଷ ରାୟ
ଲୋକପ୍ରିୟ ଟେଲି ଶୋ’ ‘ଶଶୁରାଲ୍ ସିମର୍ କା’ରେ ଅଭିନୟ କରିଥିବା ଆଶିଷ ରାୟ ଏବେ ତାଙ୍କ ଡ୍ରାଇଭର୍ ଠାରୁ ଟଙ୍କା ଉଧାର ନେଇ ଚଳୁଛନ୍ତି ବୋଲି ଖବର ଆସିଛି । ଏଭଳି ଏକ ପରିସ୍ଥିତି ପଛରେ ଥିବା କାରଣ ହେଉଛି – ଗତ ଜାନୁୟାରୀ ୨୧ ତାରିଖରେ ଆଶିଷଙ୍କୁ ପାରାଲିସିସ୍ ଆଟାକ୍ ହୋଇଥିଲା । ଏଥିରେ ତାଙ୍କର ଡାହାଣ ହାତ ସମ୍ପୂର୍ଣ୍ଣ ଅକାମୀ ହୋଇପଡ଼ିଛି । ଫଳରେ ସେ ଏବେ ବ୍ୟାଙ୍କ୍ରୁ ଟଙ୍କା ଉଠାଇ ପାରୁନାହାନ୍ତି । ନିକଟରେ ମିଡିଆ ସହିତ ଏକ ସାକ୍ଷାତକାରରେ ଆଶିଷ ଏ ସମ୍ପର୍କରେ କହିଥିଲେ ଯେ – ସେ ଜାନୁୟାରୀ ୨୧ ତାରିଖ ଦିନ ସକାଳେ ‘ସିଆଇଡି’ର ସୁଟିଂକୁ ଯିବା ପାଇଁ ଶେଯରୁ ଉଠିବା ପରେ ତାଙ୍କ ଡାହାଣ ହାତ କିଛି କାମ କରୁନଥିବା ଭଳି ଅନୁଭବ ହୋଇଥିଲା । ସେ ତାଙ୍କ ଡ୍ରାଇଭର୍ଙ୍କ ସହିତ ହସ୍ପିଟାଲ୍ ଯାଇଥିଲେ । ଏହା ପାରାଲାସିସ୍ ଆଟାକ୍ ବୋଲି ତାଙ୍କୁ ଡାକ୍ତର କହିଥିଲେ ।
ଏହା ପରଠାରୁ ଆଶିଷ ଆଜିପର୍ଯ୍ୟନ୍ତ ହସ୍ପିଟାଲ୍ରେ ଅଛନ୍ତି । ଆଶିଷଙ୍କର ଡାହାଣ ହାତ କାମ କରୁନଥିବାରୁ ବ୍ୟାଙ୍କ୍ ଚେକ୍ରେ କରାଯାଇଥିବା ସାଇନ୍ ପୂର୍ବ ସାଇନ୍ ସହ ମିଶୁନାହିଁ । ତେଣୁ ବ୍ୟାଙ୍କ୍ରୁ ଟଙ୍କା ଉଠାଣ ହୋଇପାରୁନାହିଁ । ଏଭଳି ପରିସ୍ଥିତିରେ ଆଶିଷଙ୍କ ପାଖରେ ନକଦ ଟଙ୍କା କମ୍ ଅଛି, ଯେଉଁଥିରେ ଦୈନନ୍ଦିନ ଖର୍ଚ୍ଚ ହେଉଛି । ତେଣୁ ଆଶିଷ ବିଜୁଳି ବିଲ୍ ଭରିବା ପାଇଁ ତାଙ୍କ ଡ୍ରାଇଭର୍ଙ୍କ ଠାରୁ ୧୩୦୦ ଟଙ୍କା ଉଧାର ମାଗିଛନ୍ତି । ଏଭଳି ଆର୍ଥିକ ପରିସ୍ଥିତିରେ ଆଶିଷଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ‘ସିନେ ଆଣ୍ଡ୍ ଟେଲିଭିଜନ୍ ଆର୍ଟିଷ୍ଟ୍ ଆସୋସିଏସନ୍’ । ଏହି ସଂସ୍ଥା ପକ୍ଷରୁ ଆଶିଷଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହି ୫୦ ହଜାର ଟଙ୍କା ଆଶିଷଙ୍କର ହସ୍ପିଟାଲ୍ ଫି’ ବାବଦରେ ଖର୍ଚ୍ଚ ହୋଇଯାଇଛି । ବ୍ୟାଙ୍କ୍ରେ ଟଙ୍କା ଥାଇ ମଧ୍ୟ ଆର୍ଥିକ ସଙ୍କଟର ସାମନା କରୁଥିବାରୁ ଏହାର ତୁରନ୍ତ ସମାଧାନ ପାଇଁ ଆଶିଷ ସରକାରଙ୍କୁ ବାରମ୍ବାର ଗୁହାରି କରୁଛନ୍ତି ।