‘ବିକାଶ ପାଇଁ ଆମ ସଂକଳ୍ପବଦ୍ଧ, ପ୍ରତିଶ୍ରୁତିବଦ୍ଧ’
ନୂଆଦିଲ୍ଲୀ(ଓଟି): ରବିବାର ଶପଥ ନେଲେ। ସୋମବାର ଦାୟିତ୍ଵ। କ୍ରମାଗତ ତୃତୀୟଥର ଦିଲ୍ଲୀ ଆସନ ସମ୍ଭାଳିବାକୁ ଯାଉଥିବା ଆପ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ- ଦିଲ୍ଲୀର ବିକାଶ ତଥା ଦିଲ୍ଲୀବାସୀଙ୍କ ଉନ୍ନତି ପାଇଁ ଆମେ ସଂକଳବଦ୍ଧ ଓ ପ୍ରତିଶ୍ରୁତିବଦ୍ଧ। କଥା ଦେଇଥିଲୁ, କାମ କରି ଦେଖାଇବୁ। ଏଭଳି ଦୃଢ଼ତା ପ୍ରକାଶ କରିଛନ୍ତି ଶ୍ରୀ କେଜ୍ରିୱାଲ।
ଦିଲ୍ଲୀ ନିର୍ବାଚନରେ ଆପ୍କୁ ବହୁଜନାଦେଶ ମିଳିବା ପରେ ଗତ ରବିବାର ରାମଲୀଳା ମୈଦାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେହିପରି ଆଦି ବିଧିବଦ୍ଧ ଭାବେ ସେ ନିଜ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଏବଂ ମନ୍ତ୍ରୀ ମଣ୍ଡଳର ଅନ୍ୟ ୫ ଜଣ ସଦସ୍ୟ ମଧ୍ୟ ସେମାନଙ୍କ ଦାୟିତ୍ୱଭାର ଗ୍ରହଣ କରିଛନ୍ତି। ଏହିକ୍ରମରେ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ପାଣି ଓ ବିଦ୍ୟୁତରେ ଦିଲ୍ଲୀବାସୀଙ୍କୁ ଦିଆଯାଇଥିବା ରିହାତିକୁ ବଜାୟ ରଖିବା ପାଇଁ ପ୍ରସ୍ତାବ ଆଗତ ହୋଇଛି। ଅନ୍ୟପକ୍ଷରେ ମନ୍ତ୍ରୀମାନଙ୍କୁ କୌଣସି ବିଭାଗ ବଣ୍ଟନ ହୋଇନଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିସୋଦିଆ ସୂଚନା ଦେଇଛନ୍ତି। ନୂଆ ସରକାର ଆସନ୍ତା ୫ ବର୍ଷ ଯାଏଁ ଦିଲ୍ଲୀର ବିକାଶ ଦିଗରେ କାମ କରିବା ନେଇ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି।