‘ମୁଁ ନୁହେଁ ଆତଙ୍କବାଦୀ’

ନୂଆଦିଲ୍ଲୀ(ଓଟି): ମୁଁ ଆତଙ୍କବାଦୀ ନୁହେଁ, ବରଂ ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ। ମଧୁମେହ ରୋଗାକ୍ରାନ୍ତ ଯୋଗୁ ଦିନକୁ ୪ଥର ଇନସ୍ୟୁଲିନ ନେଉଛି। ସ୍ଵାସ୍ଥ୍ୟଗତ କାରଣରୁ ଡାକ୍ତର ମୋତେ ରାଜନୀତିରୁ ଦୂର ରହିବାକୁ କହିଥିଲେ କିନ୍ତୁ ମୁଁ ଲୋକଙ୍କ ସେବା ଲାଗି ନିଜକୁ ଉତ୍ସର୍ଗ କରିଦେଇଛି। କେବେ ବି ମୋ ପରିବାର ପାଇଁ କିଛି ଆବଶ୍ୟକ କରିନି ବରଂ ମୋ ଚାକିରି ଛାଡ଼ି ଦେଇଛି। ଏପରିକି ବିଦେଶ ଲୋଭରେ ମଧ୍ୟ ପଡ଼ିନି। ଏଭଳି ସ୍ଥଳେ ମୁଁ ଆତଙ୍କବାଦୀ ହେଲି କିପରି? ଏଭଳି ମନ୍ତବ୍ୟ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍।

ସବୁକିଛି ତ୍ୟାଗ କରିବା ସହ ଜନତାଙ୍କ ସେବା କରିଲେ ଜଣେ ଆତ୍ମୀୟସ୍ଵଜନ ପରିଗଣିତ ହୁଏ ବରଂ ବିଜେପି ମୋତେ ଆତଙ୍କବାଦୀ କହିବା ପ୍ରସଙ୍ଗକୁ ଦିଲ୍ଲୀବାସୀ ନିଶ୍ଚିତ ବିଚାର କରିବେ ବୋଲି ମଧ୍ୟ କେଜ୍ରିୱାଲ କହିଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାଜନୀତିକ ଉଷ୍ମତା ବଢ଼ିଚାଲିଥିବାବେଳେ ଦୁଇଦଳର ନେତା-କର୍ମୀ ପରସ୍ପରକୁ ସମାଲୋଚନା କରିଚାଲିଛନ୍ତି। ଏପରିକି ବିଜେପିର ଜଣେ ନେତା କେଜ୍ରିୱାଲଙ୍କୁ ସମାଲୋଚନା କରିବାକୁ ଯାଇ ଆତଙ୍କବାଦୀ ବୋଲି ମତ ଦେଇଥିଲେ। ଏହାର ଜବାବରେ କେଜ୍ରିୱାଲ ଉପରୋକ୍ତ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *