୧୬ରେ କେଜ୍ରିୱାଲଙ୍କ ହ୍ୟାଟ୍ରିକ୍ ଶପଥପାଠ
ନୂଆଦିଲ୍ଲୀ(ଓଟି): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ହୋହଲ୍ଲା ଆଉ ଉଷ୍ମତାରେ ଥଣ୍ଡା ପଡ଼ିଛି। ଦିଲ୍ଲୀ ନିର୍ବାଚନ ଗତ ଶନିବାର ସରିବା ସହ ମଙ୍ଗଳବାର ଫଳାଫଳ ମଧ୍ୟ ଆସିଯାଇଛି। ଆଉ ଏଥର ମଧ୍ୟ ରେକର୍ଡ ବିଜୟ କରିଛନ୍ତି ଆପ୍ ମୁଖିଆ ଅରବିନ୍ଦ କେଜ୍ରିୱାଲ। ୭୦ରୁ ୬୨ ଆସନରେ ଆପ୍ ବିଜୟୀ ହୋଇଥିବାବେଳେ ଅବଶିଷ୍ଟ ଆସନରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେପଟେ କଂଗ୍ରେସ ପାଇଁ କ୍ରମାଗତ ଦ୍ଵିତୀୟଥର ପାଇଁ ନିଜର ବିପର୍ଯ୍ୟୟକୁ ସ୍ଵୀକାର କରିବାକୁ ହୋଇଛି। ପୂର୍ବ ନିର୍ବାଚନ ଭଳି ଚଳିତଥର ମଧ୍ୟ କୌଣସି ଆସନ ମଧ୍ୟ ପାଇନାହିଁ ଦଳ। ଇତିମଧ୍ୟରେ ଆପ୍ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ହୋଇସାରିଛି। ଆସନ୍ତା ୧୬ ତାରିଖ ରାମଲୀଳା ମୈଦାନରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।
କ୍ରମାଗତ ତୃତୀୟ ଥର ଲାଗି କେଜ୍ରିଓ୍ଵାଲ୍ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବେ। ଏଥିଲାଗି ଦିଲ୍ଲୀର ଲେଫ୍ଟ୍ନାଣ୍ଟ୍ ଗଭର୍ଣ୍ଣର୍ ଅନୀଲ ବୈଜାଲ୍ଙ୍କୁ ଭେଟିବାକୁ ବୁଧବାର ପୂର୍ବାହ୍ଣରେ କେଜ୍ରିଓ୍ଵାଲ୍ ରାଜ ନିବାସରେ ପହଞ୍ଚିଥିଲେ। ଏଥିସହ ଦଳୀୟ ବିଧାୟକମାନେ କେଜ୍ରିଓ୍ଵାଲ୍ଙ୍କ ବାସଭବନରେ ଆୟୋଜିତ ହେବାକୁ ଥିବା ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ସୂଚନାଯୋଗ୍ୟ, ୭୦ ଆସନବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ‘ଆପ୍’ ୬୨ଟି ଆସନରେ ବିଜୟୀ ହୋଇଛି। ଏହି ଆସନଗୁଡ଼ିକରୁ ‘ଆପ୍’କୁ ୫୩. ୫୭% ଭୋଟ୍ ମିଳିଥିବା ବେଳେ ବାକି ୮ଟି ଆସନରେ ୩୮. ୫୧% ଭୋଟ୍ ପାଇ ବିଜେପି ବିଜୟ ହୋଇଛି। ୪. ୨୬% ଭୋଟ୍ ପାଇଥିବା କଂଗ୍ରେସ ଏଥିରେ କୌଣସି ଆସନ ପାଇ ନାହିଁ।
ସବୁଆଡୁ ଶୁଭେଚ୍ଛା
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ର ବିପୁଳ ବିଜୟ ହୋଇଛି। ଗତଥର ଅପେକ୍ଷା ଦଳ ୫ଟି ଆସନ ହରାଇଥିଲେ ମଧ୍ୟ ସଂଖ୍ୟାଗରିଷ୍ଠ ଆସନ ପାଇବା ପରେ ଦଳ ମୁଖିଆ ଅରବିନ୍ଦ କେଜରିୱାଲଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ଟ୍ୱିଟ କରି କେଜ୍ରିୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀରେ ଆପର ହ୍ୟାଟିକ୍ ବିଜୟ ଓ ଆଗାମୀ ଦିନରେ କାମନା କରି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡି, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଡିଏମ୍କେ ନେତା ଏମ୍କେ ଷ୍ଟାଲିନ୍ ପ୍ରମୁଖ ବିଭିନ୍ନ ଦଳର ନେତା କେଜରିୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆପ୍ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।











