ଅମଙ୍ଗ ଅରୁଣ
ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ଦଳରେ ରାଜନୀତିକ ଉଷ୍ମତା କ୍ରମଶଃ କ୍ଲାଇମାକ୍ସ ଆଡ଼କୁ ଗତିକରୁଛି। ବିଶେଷକରି ଶାସକ ଦଳ ବିଜେଡିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ସର୍ବାଧିକ ଉଷ୍ମତା ପରିଲକ୍ଷିତ ହୋଇଛି।
ତେବେ ଏହି ସମୟରେ ଭିନ୍ନ ଏକ ଘଟଣା ରାଜନୀତିକ ବିଶାରଦ ଓ ଟିକେଟ୍ ଆଶାୟୀମାନଙ୍କୁ ଆଚମ୍ୱିତ କରିଛି। ଶାସକ ଦଳର ଅନ୍ଦର ମହଲରୁ ମିଳିଥିବା ତଥ୍ୟକୁ ବିଶ୍ୱାସକୁ ନିଆଗଲେ ବରିଷ୍ଠ ଆଇପିଏସ୍ ଅଫିସର୍ ଅରୁଣ କୁମାର ଷଢ଼ଙ୍ଗୀ ବିଜେଡି ପ୍ରାର୍ଥୀ ତାଲିକା କସରତରୁ ଦୂରେଇ ଯାଇଛନ୍ତି। ସିଧା ଅର୍ଥରେ କହିବାକୁ ଗଲେ ବିଜେଡିର ପ୍ରାର୍ଥୀ ତାଲିକା ପ୍ରକ୍ରିୟାରେ ସାମିଲ୍ ହେବାକୁ ଅମଙ୍ଗ ହୋଇଛନ୍ତି ଅରୁଣ।
ତଥ୍ୟାଭିଜ୍ଞ ମହଲରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୪ରେ ଶ୍ରୀ ଷଢ଼ଙ୍ଗୀଙ୍କ ସୂକ୍ଷ୍ମ ଅନୁଶୀଳନ, ରଣନୀତି ଓ ଇଣ୍ଟେଲିଜେନ୍ସ୍ ଇନ୍ପୁଟ୍ ଯୋଗୁଁ ବିଜେଡିକୁ ଆଶାତୀତ ସଫଳତା ମିଳିଥିଲା। କିନ୍ତୁ ଗତ ବର୍ଷେ ହେଲା ଶ୍ରୀ ଷଢ଼ଙ୍ଗୀ ଗୁଇନ୍ଦା ବିଭାଗରୁ ବିଜୁପଟ୍ଟନାୟକ ପୁଲିସ୍ ଏକାଡେମିକୁ ବଦଳି ହୋଇ ଯିବା ପରେ ସ୍ୱତଃ ଦୂରେଇ ରହିଥିଲେ। ୨୦୧୯ ନିର୍ବାଚନର ଅବ୍ୟବର୍ହିତ ପୂର୍ବରୁ ସାମ୍ପ୍ରତିକ ରାଜନୀତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ଷଢ଼ଙ୍ଗୀଙ୍କୁ ପୁଣିଥରେ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ସାମିଲ୍ ହେବାକୁ କୁହାଯାଇଥିଲା।
କିନ୍ତୁ ଗତ ୧ ବର୍ଷ ମଧ୍ୟରେ ଶାସକ ଦଳରେ ପରିସ୍ଥିତି ଗୋଳମାଳିଆ ଧରିଛି। ଏବେ କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛନ୍ତି। ପ୍ରତ୍ୟକ୍ଷ ନିର୍ବାଚନ କ୍ଷେତ୍ରରେ ଏକାଧିକ ନେତାଙ୍କୁ ଟିକେଟ୍ର ପ୍ରଲୋଭନ ଦେଖାଇ ଦଳରେ ବିଭାଜନ ସୃଷ୍ଟି କରିଛନ୍ତି। ୨୦୧୪ ନିର୍ବାଚନ ବେଳେ ପରିସ୍ଥିତି ଜଟିଳ ନଥିଲା। ତେଣୁ ଦଳରେ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳ, ବିଭାଜନ ଓ ଜଟିଳ ପରିସ୍ଥିତି ଯୋଗୁଁ ଶ୍ରୀ ଷଢ଼ଙ୍ଗୀ ଅମଙ୍ଗ ହୋଇ ଏହି ପ୍ରକ୍ରିୟାରୁ ଦୂରେଇ ଯାଇଥିବା ଚର୍ଚ୍ଚା ଏବେ ଜୋର୍ ଧରିଛି।