ସକାଳ ୧୦ଟାରେ ନୂଆଦିଲ୍ଲୀକୁ ଏସି ଟ୍ରେନ୍‌, ‘ଆରୋଗ୍ୟ ସେତୁ’ ବାଧ୍ୟତାମୂଳକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମାର୍ଚ ୨୨ ତାରିଖରୁ ବନ୍ଦ ଥିବା ଭାରତୀୟ ରେଳ ମଙ୍ଗଳବାରଠାରୁ ସୀମିତ ଯାତ୍ରୀବାହୀ ସେବା ଆରମ୍ଭ କରିଛି।  ବୁଧବାର ସକାଳ ୧୦ଟାରେ  ଭୁବନେଶ୍ଵରରୁ ଏହାର ପ୍ରଥମ ଟ୍ରେନ୍‌ ଯାତ୍ରା କରିବ। ଏହା ନୂଆଦିଲ୍ଲୀ ଅଭିମୁଖେ ଯିବ ଏବଂ ସମ୍ପୂଣ୍ଣ ଶୀତତାପ ନିୟନ୍ତ୍ରିତ ଟ୍ରେନ୍‌ ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ଏଥିରେ ୧୭ଟି କୋଚ୍‌ ରହିବ। ପ୍ରତିଟି କୋଚ୍‌ ଶୀତତାପ ନିୟନ୍ତ୍ରିତ ହେବ। କିନ୍ତୁ କୌଣସି କମ୍ବଳ ବା ବେଡ୍‌ରୋଲ୍‌ ଟ୍ରେନ୍‌ ପକ୍ଷରୁ ମିଳିବ ନାହିଁ। ପୁଣି ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ଯଥା ସମ୍ଭବ କମ୍‌ ଜିନିଷପତ୍ର ନେବାକୁ କୁହାଯାଇଛି। କାରଣ ପ୍ଲାଟଫର୍ମରେ କୁଲି  ନ ମିଳିପାରନ୍ତି।

ପୂର୍ବତଟ ରେଳବାଇର ସୂଚନା ଅନୁସାରେ ଏହି ଟ୍ରେନ୍‌‌ ପ୍ଲାଟ୍‌ଫର୍ମ ୧ରୁ ଛାଡ଼ିବ। ପ୍ଲାଟ୍‌ଫର୍ମ ୬ ଦେଇ କୌଣସି ପ୍ରବେଶକୁ ବାରଣ କରାଯାଇଛି। ପୁଣି କୌଣସି ମିଡିଆ ପ୍ରଫେସନାଲ୍‌ଙ୍କୁ ଏ ଭିତରେ ପ୍ରବେଶ ପାଇଁ ମନା କରାଯାଇଛି। ସମସ୍ତ ଯାତ୍ରୀଙ୍କ ଥର୍ମାଲ୍‌ ସ୍କ୍ରିନିଂ ପରେ ଯିବାକୁ କୁହାଯାଇଛି।

ଏହି ଟ୍ରେନ୍‌ ବାଲେଶ୍ଵର, ହିଜିଲି, ଟାଟା ବୁକାରୋ ଷ୍ଟିଲ୍‌ ସିଟି, ଗୟା, ଦିଲଦୟାଲ୍‌ ଉପାଧ୍ୟାୟ ଜଙ୍କ୍‌ସନ୍‌ ଏବଂ କାନ୍‌ପୁର ସେଣ୍ଟ୍ରାଲ୍‌ରେ ରହଣୀ ପରେ ସିଧା ନୂଆଦିଲ୍ଲୀ ଷ୍ଟେସନ୍‌ରେ ପହଞ୍ଚିବ। ପୁଣି ଶୁକ୍ରବାର ସକାଳୁ ଏହା ନୂଆଦିଲ୍ଲୀରୁ ଭୁବନେଶ୍ଵର ଅଭିମୁଖେ ଆସିବ। ଯାତ୍ରା ଚାହୁଥିବା ବ୍ୟକ୍ତି ଆଗୁଆ ଟିକେଟ୍‌ କିଣିବାକୁ ବାଧ୍ୟ ହେବେ।

ଆପଣ ଯଦି ଯାତ୍ରା କରିବା ପାଇଁ ନିଶ୍ଚିତ ଟିକେଟ୍‌ ପାଇଛନ୍ତି ତେବେ ନିମ୍ନ ଜିନିଷଗୁଡ଼ିକୁ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ: 

  • ପ୍ରଥମେ ବେଡ୍‌ଶିଟ୍‌ ନିଶ୍ଚିତ ନିଅନ୍ତୁ। ପୁଣି ଘୋଡ଼ି ହେବା ପାଇଁ କମ୍ବଳ ବା ଆଉ ଏକ ଅତିରିକ୍ତ ବେଡ୍‌ଶିଟ୍‌। ନହେଲେ ଥଣ୍ଡାରେ ଆପଣଙ୍କ ଯାତ୍ରା କଷ୍ଟ ହୋଇପାରେ।
  • ଦ୍ଵିତୀୟରେ ଯାତ୍ରା ପାଇଁ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ ବାଧ୍ୟତାମୂଳକ। ଠିକଣା ଭାବେ ଏଥିରେ ନିଜର ତଥ୍ୟ ଭରନ୍ତୁ। ସବୁଜ ରହିଲେ ଆପଣଙ୍କୁ ଯାତ୍ରା ପାଇଁ ସୁଯୋଗ ମିଳିବ।
  • ସକାଳ ୧୦ଟାରୁ ଟ୍ରେନ୍‌ ଅଛି। କିନ୍ତୁ ଆପଣଙ୍କୁ ସକାଳ ୯ଟାରେ ପ୍ଲାଟଫର୍ମ ପହଞ୍ଚିବାକୁ ପଡ଼ିବ।
  • ପୁଣି ସବୁଠାରୁ ବଡ଼ କଥା ହେଲା ଆପଣ ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟ। ହାତରେ ସାନିଟାଇଜର୍‌ ଓ ସାବୁନ ନେବାକୁ ଭୁଲନ୍ତୁ ନାହିଁ।
  • ଦିଲ୍ଲୀ ବା ଭୁବନେଶ୍ଵରରେ ଓହ୍ଲାଇଲେ ଆପଣଙ୍କୁ ସମ୍ପୃକ୍ତ ରାଜ୍ୟର ସ୍ଵାସ୍ଥ୍ୟ ନିୟମାବଳୀକୁ ମାନିବାକୁ ହେବ।

Leave a Reply

Your email address will not be published. Required fields are marked *