କଟକ ବାରବାଟୀ ଉପରେ ଅରିନ୍ଦମଙ୍କ ନଜର
କଟକ ବାରବାଟୀ ଆସନରେ ପ୍ରାଥିର୍ତ୍ୱକୁ ନେଇ ଏବେ ବିଜେଡ଼ିରେ ସସପେନ୍ସ ଲାଗିରହିଛି। ବିଧାୟକ ଦେବାଶୀଷ ସାମନ୍ତନ୍ତରାୟ ଏତେ ବିବାଦରେ ଛନ୍ଦି ହେଇଯାଇଛନ୍ତି ଯେ, ତାଙ୍କୁ ଆଗାମୀ ନିର୍ବାଚନରେ ପୁଣି ପ୍ରାଥିର୍ କରିବା ପାଇଁ ମୁଖିଆଙ୍କୁ ଭରସା ପାଉନାହିଁ। ତେଣୁ ଦେବାଶୀଷ ପାରଦୀପ ଉପରେ ଆଖି ପକେଇଛନ୍ତି।
କାରଣ ପାରଦୀପର ମହୁୁ ଝରୁଛି। ସେଥିପାଇଁ ସମସ୍ତେ ମିଶି ଦାମ ରାଉତଙ୍କୁ ଦଳରୁ ଆଗୁଆ ବିଦା କରିଦେଇଛନ୍ତି। ନା ଥିବ ବାଉଁଶ, ନା ବାଜିବ ବଇଁଶୀ ନ୍ୟାୟରେ ପାରାଦୀପରୁ ପ୍ରତିଦ୍ୱନ୍ଦ୍ୱୀ ହଟାଇ ଦେଇଛନ୍ତି । କିନ୍ତୁ ପାରାଦୀପରେ ଦେବାଶୀଷଙ୍କ ପରିଚୟ ହେଉଛି ସେ ଜଣେ ଠିକାଦାର। ପୁଣି ଦାମ ଯିବା ପରେ ପାରାଦୀପ ଦେବାଶୀଷଙ୍କ ଲାଗି ଏତେ ସହଜ ହେବନାହିଁ ।
ତେବେ ସେ ଯାହା ହେଉ ଗୋଳି ପାଣି ଦେଖି କଟକରେ ହଠାତ୍ ଅରିନ୍ଦମ ବୁଲିବା ଆରମ୍ଭ କରିଦେଇଛନ୍ତି। ସିନେମା ହିରୋ ଅରିନ୍ଦମ ହେଉଛନ୍ତି ବିଜେଡ଼ିର ପ୍ରଭାବଶାଳୀ ବିଧାୟକ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ଭିଣୋଇ। ବବି ତୃତୀୟ ମହଲାର ଅତ୍ୟନ୍ତ ବିଶ୍ୱସ୍ତ। ତେଣୁ ଅରିନ୍ଦମଙ୍କୁ ଟିକଟ ନିଶ୍ଚୟ ମିଳିବ ବୋଲି ତାଙ୍କ ନିଜ ଲୋକମାନେ କହିବା ଆରମ୍ଭ କଲେଣି।
ଏମିତି ଯଦି ହୁଏ ତେବେ ଦେବାଶୀଷଙ୍କ ଟିକଟ କଟିବା ଥୟ। ଆଗରୁ ସୁବାସ ସିଂହଙ୍କ ନା ଚର୍ଚ୍ଚାରେ ଥିଲା। ଏବେ ସେ ନିର୍ମାଣ ଶ୍ରମିକଙ୍କୁ ଧରି ଶଙ୍ଖ ପାର୍ଟିର ନିର୍ମାଣରେ ଲାଗିପଡିଚନ୍ତି। କଟକରେ ଏକଦା ତାଙ୍କର ମଜବୁତିଆ ସଂଗଠନ ଥିଲା। ଦା’ହାତୁଡି ଦଳରୁ ଆସି ବିଜେଡ଼ିରେ ଯୋଗ ଦେଇଛନ୍ତ ସୁବାସ। କିନ୍ତୁ ଅରିନ୍ଦମ ଆସିବା ପରେ ସୁବାସଙ୍କ ଚାନ୍ସ କେମିତି କମିଲା ଭଳି ଲାଗୁଛି।
ବବିଙ୍କ ଭିଣୋଇ ସମ୍ପର୍କ ଯୋଗୁ ଯଦି ଅରିନ୍ଦମ ବିଜେଡ଼ି ଟିକଟ ପାଆନ୍ତି, ତେବେ ମୂଳ ଶଙ୍ଖ କର୍ମୀ ଓ ନେତା ଏହାକୁ କେମିତି ଗ୍ରହଣ କରିବେ କେଜାଣି? ତେଣୁ ଆସନ୍ତା ନିର୍ବାଚନ ଶଙ୍ଖ ପାଇଁ କଟକରେ ଖୁବ ଅଡୁଆ ହେଇପାରେ। ତେବେ ଦେବାଶୀଷ ଅରିନ୍ଦମକୁ ଛାଡିବା ପାଇଁ ଆଉ କୁଆଡେ ଯିବେ କି? ତାଙ୍କୁ ଶେଷରେ ପାରାଦୀପ ମିଳିବ କି?