ଅର୍ଗସ ହେବ ସାଟେଲାଇଟ୍‌: ଖୋଲିବ ୨୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ଵର, (ଓଟି): ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଜନ୍ମ ନେଇଥିବା ‘ଅର୍ଗସ୍‌’ ସାଟେଲାଇଟ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ହେବାକୁ ଯାଉଛି। ମାର୍ଚ ମାସରେ ଏଥିନେଇ ଆବଶ୍ୟକ ଘୋଷଣା କରାଯି ଏବଂ ୨୦୨୦ ରଥଯାତ୍ରା ଦିନ ଏହାର ଶୁଭାରମ୍ଭ ହେବ। ଏହାଦ୍ଵାରା ଆବଶ୍ୟକ କର୍ମଚାରୀଙ୍କ ନିଯୁକ୍ତି ପାଇଁ ସୁଯୋଗ ବଢ଼ିବ। ପାଖାପାଖି ୨୦୦ ସାମ୍ବାଦିକ, ପ୍ରଡ୍ୟୁସର୍‌, ଆସିଷ୍ଟାଣ୍ଟ, ଟେକ୍ନିକାଲ୍‌ ପର୍ସନ ଏବଂ ଅନ୍ୟ ସହାୟକ ଏହାଦ୍ଵାରା ନିଯୁକ୍ତି ପାଇବେ। ଓଡ଼ିଶାଟାଇମ୍‌ ଡଟ୍‌କମ୍‌କୁ ଏକ ସ୍ଵତନ୍ତ୍ର ସାକ୍ଷାତକାରରେ ଅର୍ଗସର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ଏହି ସୂଚନା ଦେଇଛନ୍ତି। 

ମେ’ ୨୦୧୮ରେ ଆତ୍ମ ପ୍ରକାଶ କରିଥିବା ଅର୍ଗସ୍‌ ଇଣ୍ଟରନେଟ୍‌ ଟେଲିଭିଜନ୍‌ ଏବେ ୟୁଟ୍ୟୁବ୍‌ରେ ଏକ ପରିଚିତ ନାଁ। ପାଖାପାଖି ୩ଲକ୍ଷ ୨୨ ହଜାର ସବ୍‌ସ୍କ୍ରାଇବର୍‌ ଏହି ଚ୍ୟାନେଲ୍‌ ରହିଛନ୍ତି। ଏହି ଦେଢ଼ ବର୍ଷ ସମୟ ଭିତରେ ପାଖାପାଖି ୧୩ ହଜାର ୬୦୦ ଭିଡିଓ ଚ୍ୟାନେଲ୍‌ ପକ୍ଷରୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଇଣ୍ଟରନେଟ୍‌ରେ ଏକ ବିକଳ୍ପ ଟେଲିଭିଜନ୍‌ ମାଧ୍ୟମ ପାଲଟିଥିବା ଅର୍ଗସ୍‌, ସାଟେଲାଇଟ୍‌ ଟିଭି ଚ୍ୟାନେଲ୍‌ ହେଲେ ମଧ୍ୟ ଇଣ୍ଟରନେଟ୍‌ରେ ଲାଇଭ୍‌ ଷ୍ଟ୍ରିମଂ ଜାରି ରହିବ ବୋଲି ଶ୍ରୀ ଜେନା କହିଛନ୍ତି। 

କାହିଁକି ସାଟେଲାଇଟ୍‌କୁ ବାଛିଲେ?

ପ୍ରଥମେ ସାଟେଲାଇଟ୍‌କୁ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଅର୍ଗସର ପରିଚାଳନା କାହିଁକି ପୁଣିଥରେ ସାଟେଲାଇଟ୍‌ ପ୍ଲାଟ୍‌ଫର୍ମରେ ଯିବା ପାଇଁ ଚାହିଁଲେ  ବୋଲି ପଚାରିବାକୁ ଶ୍ରୀ ଜେନା କହିଛନ୍ତି, ଏହା କେବଳ ରାଜସ୍ଵ ତଥା ବଜେଟ୍‌ ପରିଚାଳନା ପାଇଁ। ଯଦିଓ ଆମେ ଇଣ୍ଟରନେଟ୍‌ରେ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିପାରୁଛୁ କିନ୍ତୁ ବଜାରକୁ ଆକର୍ଷଣ କରିପାରୁ ନାହୁଁ। ବଜାର ସେହି ପାରମ୍ପରିକ ସାଟେଲାଇଟ୍‌ ପ୍ଲାଟ୍‌ଫର୍ମରେ ରହିଛି। ଏଣୁ ବିଜ୍ଞାପନ ବଜାରକୁ ଆମ ଆଡ଼କୁ ଆକର୍ଷଣ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। 

ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ବଜାର ନାହିଁ?

ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ବଜାର ରହିଛି। କିନ୍ତୁ ଏହି ପ୍ଲାଟ୍‌ଫର୍ମରେ ଫାଇଦା ପାଉଛନ୍ତି ୟୁଟ୍ୟୁବ୍‌ ଏବଂ ଆଗ୍ରୀଗେଟରମାନେ। ଆମ ଭଳି କଣ୍ଟେଣ୍ଟ ପ୍ରଡ୍ୟୁସର୍‌ଙ୍କୁ ଏହି ପ୍ଲାଟ୍‌ଫର୍ମସବୁରୁ ରାଜସ୍ଵ ମିଳିଥାଏ। ତାହା ପୁଣି ଶେୟାରିଂ ଭିତ୍ତିରେ। ଅର୍ଥାତ୍‌ ଆମ ଭିଡିଓରେ ଯେଉଁ ଆୟ ହୁଏ ତାହାର ସିଂହଭାଗ ଏମାନେ ନେଇଥାଆନ୍ତି। ଏହାବାଦ୍‌ ଅନ୍‌ଲାଇନ୍‌ରେ ବିଜ୍ଞାପନ ସେତିକି ବିକଶିତ ହୋଇ ନାହିଁ। ଆମକୁ ବିଜ୍ଞାପନ ସଂସ୍ଥାମାନେ ସିଧାସଳଖ ବିଜ୍ଞାପନ ଦେଉ ନାହାନ୍ତି। 

ଏଭଳି ପରିସ୍ଥିତି କେତେ ଦିନ ଚାଲିବ?

ଏଭଳି ପରିସ୍ଥିତି ଆଉ ଦୁଇବର୍ଷ ରହିବ। ବିଜ୍ଞାପନ ସଂସ୍ଥାମାନେ ଆମକୁ ସିଧାସଳଖ ବିଜ୍ଞାପନ ଦେବା ଲାଗି ଆମକୁ ୫-ଜି ଟେକ୍ନୋଲୋଜିର ପ୍ରସାରକୁ ଅପେକ୍ଷା କରିବାକୁ ହେବ। ଭୁବନେଶ୍ଵର ଭଳି ସହରରେ ୨୦୨୦ରେ ୫-ଜି ଆରମ୍ଭ ହେବ ବୋଲି ଆଶା କରାଯାଉଛି। 

ସାଟେଲାଇଟ୍‌ ପ୍ଲାଟ୍‌ଫର୍ମରେ କ’ଣ ରାଜସ୍ଵ ଚିରନ୍ତନ ରହିବ?

ଯେପର୍ଯ୍ୟନ୍ତ ଇଣ୍ଟରନେଟ୍‌ର ପ୍ରସାର ହୋଇ ନାହିଁ ସେଯାଏ ଆଶା କରାଯାଇପାରେ। ଆଉ ୪-୫ ବର୍ଷ ବୋଲି କହିପାରନ୍ତି। କିନ୍ତୁ ବିଜ୍ଞାପନଦାତାମାନେ ସିଧାଳଖ ଏବେ ସାଟେଲାଇଟ୍‌କୁ ବିଜ୍ଞାପନ ଦେଉଛନ୍ତି। ତଥାପି ଏଠଶରେ ଭୟ ଅନେକ ରହିଛି। କାରଣ ଏଠାରେ ଯିଏ ଏକ ନମ୍ବର ଚ୍ୟାନେଲ୍‌ ତାହାର ହିଁ ବଜାର ରହିଛି। ଅନ୍ୟମାାନଙ୍କ ପାଖକୁ ବିଜ୍ଞାପନ ବଜାର ଯାଏ ନାହିଁ। ଏଣୁ ଅର୍ଗସ୍‌ ନ୍ୟୁଜ୍‌ ଏକନମ୍ବର ହେବାକୁ ଲକ୍ଷ୍ୟ ରଖିଛି। 

କେମିତି ଆକର୍ଷଣ କରିବେ, ଏହା କ’ଣ ଏଣ୍ଟରଟେନ୍‌ମେଣ୍ଟ କଣ୍ଟେଣ୍ଟ ଦେବ?

ଦେଖନ୍ତୁ ଓଡ଼ିଶାରେ ଖାଣ୍ଟି ନ୍ୟୁଜ୍‌ କେତେ ଚ୍ୟାନେଲ୍‌ ଦେଉଛନ୍ତି। ଆପଣ ଯଦି ଦେଖିବେ ଓଟିଭିର ପଲିଟିକାଲ୍‌ ସର୍କସ ବା କନକ ନ୍ୟୁଜ୍‌ର କଥା ଅସଲି ଲୋକ ନକଲିକୁ ଲୋକ ଦେଖୁଛନ୍ତି। ଏଠାରେ ଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ଅପେକ୍ଷା ବ୍ୟଙ୍ଗ ଭିତ୍ତିକ ଚାଲିଛି। ଆମେ କ’ଣ କଣ୍ଟେଣ୍ଟ ଦେବୁ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। କିନ୍ତୁ କଣ୍ଟେଣ୍ଟ ହିଁ ଆମର ଅଧିକ ଦର୍ଶକଙ୍କୁ ଆକର୍ଷିତ କରିବ ଏଥିରେ ସନ୍ଦେହ ନାହିଁ। ମୁଁ ଏହାକୁ ଏକ ଲୋକଙ୍କ ଚ୍ୟାନେଲ୍‌ ଭାବେ ଗଢ଼ି ତୋଳିବାକୁ ଚାହେଁ। ନ୍ୟୁଜ୍‌ କଣ୍ଟେଣ୍ଟରେ ଏହା ନମ୍ବର-୧ ହେବ। ଏତିକ ଜାଣନ୍ତୁ ଯେ, ଏହି ଜ୍ୟାନେଲ୍‌ ୨୪ଗ୭ ନ୍ୟୁଜ୍‌ ଚ୍ୟାନେଲ୍‌ ହିଁ ହେବ। 

Leave a Reply

Your email address will not be published. Required fields are marked *