ମ୍ୟାଡାମ୍ରୁ ଅପା ହେଲେଣି ଅପରାଜିତା
ଭୁବନେଶ୍ଵର, (ଓଟି): କେଉଁଠି ଲୋକଙ୍କ ବୋଝ ଉଠାଇ ଦେଇ ତ କେଉଁଠି କୁନି କୁନି ପିଲାଙ୍କ ସଙ୍ଗେ ସ୍କୁଲ ପରିସର ବୁଲି ଆଉ ପୁଣି କେଉଁଠି ବୁଢ଼ୀ ମାଉସୀଙ୍କୁ ଆଲିଙ୍ଗନ କରି ମ୍ୟାଡାମ୍ ଅପରାଜିତା ଏବେ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି। ପୁରୁଣା ଭୁବନେଶ୍ଵର ହେଉ ବା ଜଟଣୀ ଅବା ପୁଣି ମେଟ୍ରୋ ସହରର ସହୀଦ ନଗର ସବୁଠି ଏମିତି କିଛି ନଜରରେ ଦେଖିବାକୁ ମିଳୁଛି ପୂର୍ବତନ ବିଏମ୍ସି କମିଶନର ଏବଂ ଭାରତ ସରକାରଙ୍କ ଗ୍ରାମ ଉନ୍ନୟନ ବିଭାଗର ଯୁଗ୍ମ ସଚିବ ତଥା ବିଜେପିର ଭୁବନେଶ୍ଵର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ। ଅପରାଜିତାଙ୍କ ଏହି ରୂପ ଏବେ ବିଜେଡିର ଷ୍ଟ୍ରାଟେଜୀ ମେକର୍ଙ୍କୁ ଘାଇଲା କରିବାରେ ଲାଗିଲାଣି।

ଏଥିଯୋଗୁ ବିଜେଡିରୁ ଏଥର କିଏ ପ୍ରାର୍ଥୀ ହେବେ ତାହା ଚର୍ଚା ଭିତରେ ରହିଛି। ସାଂସଦ ପ୍ରସନ୍ନ ପାଟଶାଣୀଙ୍କୁ ଏଥର ପ୍ରାର୍ଥୀ କଲେ ଦଳ ଜିତିବ ବୋଲି ବି ଆସ୍ଥାବାଦୀ ହୋଇପାରୁ ନାହିଁ। ଏପରିକି ତାଙ୍କୁ ମଧ୍ୟ ଏଥର ବଦଳାଯାଇପାରେ ବୋଲି ଚର୍ଚା ହେଲାଣି। କେତେବେଳେ ପୂର୍ବତନ ଆଇପିଏସ୍ ତଥା ମୁମ୍ବାଇ ପୁଲିସ କମିଶନର ଅରୁପ ପଟ୍ଟନାୟକ ଚର୍ଚା ପେଡ଼ିକୁ ଆସୁଛନ୍ତି ତ ଆଉ କେତେବେଳେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଆସୁଛନ୍ତି ଚର୍ଚାକୁ।

ଅନନ୍ତ ଓରଫ୍ ବୁନୁ ଜେନା ଭୁବନେଶ୍ଵର ମେୟର ଥିବାବେଳେ ଅପରାଜିତା ଥିଲେ କମିଶନର। ଜଣେ ନେତା ହୋଇ ସେ ଯେତିକି ପରିଚିତ ହୋଇ ନଥଇଲେ ଅପରାଜିତା ତା’ଠୁ ଯଥେଷ୍ଟ ଲୋକପ୍ରିୟତା ପାଇଥିଲେ। ପୁଣି ଅନନ୍ତଙ୍କ ଭୁବନେଶ୍ଵର ବସ୍ତି ବାସିନ୍ଦା ଭୋଟ୍ବ୍ୟାଙ୍କ୍ ଠିକ୍ ଥିଲେ ବି ଭୁବନେଶ୍ଵର ବାହାରେ ତାଙ୍କ ପାଇଁ ସବୁ ପଡ଼ିଆ ପ୍ରାୟ। ଏଣୁ ମଞ୍ଜି ବୁଣି ଗଛ ବଢ଼ାଇବା ଆଉ ସେଥିରୁ ଫଳ ପାଇବା ଲାଗି ଅନନ୍ତଙ୍କ ପାଖରେ ସମୟ ନାହିଁ କହିଲେ ଚଳେ।

ଅପରପକ୍ଷେ ନିଜର ମଜଭୁତ ସଂଗଠନ ପାଇଁ ଦୃଢ଼ ବିଶ୍ଵାସୀ ଥିବା ବିଜେଡି ଏଯାଏ ପ୍ରାର୍ଥୀ ସ୍ଥିର ନକରିପାରିବା ଅନେକଙ୍କୁ ଶଙ୍କାରେ ପକାଇଛି। ସେପଟେ ଯଦି ବାବା ପାଟଶାଣୀଙ୍କୁ ପୁଣିଥରେ ପ୍ରାର୍ଥୀ କରାଯାଏ ତେବେ ମୁକାବିଲାର ରୂପ କିଛି ଭିନ୍ନ ହେବ ବୋଲି ଆଶା କରୁଛନ୍ତି ରାଜନୀତିକ ପଣ୍ଡିତ।