ଅଫିସର ଲଢ଼େଇ : ଅରୁପଙ୍କଠାରୁ ଅପରାଜିତା ଆଗରେ
କଇଁଛକୁ ହେୟଜ୍ଞାନ କରି ଠେକୁଆ ଦୌଡରେ ହାରିଯିବା କଥା ସମସ୍ତେ ଜାଣନ୍ତି। ପିଲାବେଳେ ବହିରେ ସମସ୍ତେ ନିଶ୍ଚୟ ପଢ଼ିଥିବେ, ନହେଲେ ଗପଟି କାହାଠୁ ଶୁଣିଥିବେ। ବର୍ତ୍ତମାନ ଏମିତି ଜଣେ ଚତୁର ଠେକୁଆକୁ ଦେଖିବାକୁ ମିଳିଛି ଓଡ଼ିଶା ରାଜନୀତିରେ। ତାହା ପୁଣି ରାଜଧାନୀର ସଂସଦୀୟ କ୍ଷେତ୍ରରେ।
ଇଏ ଜଣେ ହେଭିଓ୍ବେଟ ବୋଲି ରାଜନୀତିରେ କିଛି ସମୀକ୍ଷକ ତାଙ୍କୁ ଗଣୁଛନ୍ତି। ଏହି ଚତୁର ବ୍ୟକ୍ତିଙ୍କ ପ୍ରତିଦ୍ୱନ୍ଦ୍ୱୀ ବି ହେବେ ଜଣେ ହେଭିେୱଟ। ଉଭୟ ପ୍ରଶାସନିକ ଦକ୍ଷତା ନେଇ ରାଜନୀତିକୁ ଓହ୍ଲେଇଛନ୍ତି। ଜଣେ କାର୍ଯ୍ୟକାଳ ସାରିବା ପରେ ରାଜନୀତିକୁ ଆସିଥିଲାବେଳେ ଅନ୍ୟ ଜଣେ ରାଜନୀତି ସକାଶେ ସ୍ବେଛାକୃତ ଅବସର ନେଇଛନ୍ତି।
ଭୁବନେଶ୍ୱର ଲୋକସଭା ଗତ ୫ଟି ନିର୍ବାଚନରେ ବିଜେଡି ହାତରେ

ତେବେ ଉଭୟଙ୍କ ମଧ୍ୟରେ କଡା ଟକ୍ଟର ନିଶ୍ଚୟ ହେବ। ପ୍ରଥମତଃ ଭୁବନେଶ୍ୱର ଲୋକସଭା ଆସନ ଗତ ୫ଟି ନିର୍ବାଚନରେ ଶାସକ ଦଳ ବିଜେଡି ହାତରେ ରହିଛି। ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଗତ ୫ଟି ନିର୍ବାଚନରେ ବିପୁଳ ଭୋଟରେ ଜିତି ଲୋକସଭାକୁ ନିର୍ବାଚିତ ହେଉଥିଲେ।
୧୯୯୮ ମସିହାଠାରୁ ଏହି ଆସନରୁ ପ୍ରସନ୍ନ ପାଟ୍ଟଶାଣୀ ଲକ୍ଷାଧିକ ଭୋଟରେ ଜିତି ଆସିଛନ୍ତି। ବେଶଭୂଷାରେ ବାବା ପ୍ରସନ୍ନ, ଭାରି ସରଳ। ନିର୍ବାଚନରେ ବି ସେ ସରଳତା ଆପଣେଇ ଲକ୍ଷାଧିକ ଭୋଟ ବ୍ୟବଧାନରେ ଜିତି ଆସୁଥିଲେ। ବାବା ଟଙ୍କାଟିଏ ଖର୍ଚ୍ଚ କରନ୍ତିନି କି ପୋଷ୍ଟର ବ୍ୟାନର ମାରନ୍ତିନି। ଲୋକସଭା ଅଧିନରେ ଥିବା ବିଧାନସଭା ଆସନ ଗୁଡିକରେ ଠିଆ ହୋଇଥିବା ବିଧାୟକ ପ୍ରାଥିର୍ ବାବାଙ୍କ ପୋଷ୍ଟର ବ୍ୟାନର ମାରି ପ୍ରଚାର କରିଦିଅନ୍ତି। ବାବା ବି ବିଶେଷ ପ୍ରଚାର କରନ୍ତିନି, ହେଲେ ଲଗାତାର ୫ଥର ଲୋକସଭାକୁ ନିର୍ବାଚିତ ହେଇଛନ୍ତି।

ପ୍ରଶାସନିକ ସେବାରୁ ଅବସର ନେଇଥିବା ଅରୂପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥି କରିଛି। ଅରୂପ ମୁମ୍ୱାଇର ପୁଲିସ କମିଶନର ଥିଲେ, ସଫଳ ଭାବେ ଦାୟିତ୍ୱ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।
ଅନ୍ୟପଟେ ବିଜେପି ଛିଡା କରିଛି ପ୍ରଶାସନିକ ସେବାରୁ ସ୍ବେଛାକୃତ ଅବସର ନେଇଥିବା ଅପରାଜିତା ଷଡଙ୍ଗୀଙ୍କୁ। ଅପରାଜିତା ଓଡିଶାରେ ଶିକ୍ଷା ସଚିବ, ବିଏମସି କମିଶନର ଭାବେ ଦୀର୍ଘ ବର୍ଷ ଦାୟିତ୍ୱ ତୁଲାଇଛନ୍ତି। ଦୁଇ ପଦବୀରେ ଥିବା ବେଳେ ସ୍ୱତନ୍ତ୍ର ଢ଼ଙ୍ଗର କାମ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସାଧାରଣରେ ବି ଅପରାଜିତାଙ୍କ ପ୍ରତି ଲୋକଙ୍କର ଭଲପାଇବା ରହିଛି।
କଂଗ୍ରେସ ଭୁବନେଶ୍ୱରରେ ଧିରେ ଧିରେ ଲୋପ ପାଉଛି

ଆଉ କଂଗ୍ରେସ ଏଥର ନିଜେ ପ୍ରାର୍ଥି ନଦେଇ ମେଣ୍ଟ କରିଛି କମ୍ୟୁନିଷ୍ଟ ପାର୍ଟି ସାଙ୍ଗରେ। ବରିଷ୍ଠ ରାଜନେତା ଜନାର୍ଦ୍ଦନ ପତିଙ୍କୁ କଂଗ୍ରେସ ଦେଇଛି ସମର୍ଥନ। ହେଲେ ଏହି ଆସନରେ ଲଢ଼େଇ ଦ୍ୱିମୁଖୀ ହେବ। ଦୌଡରେ ରହିବେ ଦୁଇ ଅବସରପ୍ରାପ୍ତ ପ୍ରଶାସକ। କଂଗ୍ରେସ ଭୁବନେଶ୍ୱରରେ ଧିରେ ଧିରେ ସତା ହରାଉଛି। ଆଉ ବିଧାନସଭାରେ ଏଥର କଂଗ୍ରେସ ଦେଇଥିବା ପ୍ରାଥିର୍ଙ୍କୁ ନେଇ କର୍ମୀ ଆଉ ଲୋକେ ଉଭୟ ଖୁସି ନଥିବା ଦେଖିବାକୁ ମିଳିଛି।

ସେପଟେ ବିଜେପି ପ୍ରାର୍ଥୀ ଅପରାଜିତା ପ୍ରଚାର କାର୍ଯ୍ୟରେ ଜୋରଦାର ପରିଶ୍ରମ କରୁଛନ୍ତି। ସକାଳ ୬ଟାରୁ ରାତି ୧୧ଟା ଯାଏଁ ପ୍ରଚାର କାମରେ ସମୟ କାଟୁଛନ୍ତି। ବିଶେଷ କରି ଫୋକସ କରିଛନ୍ତି ବସ୍ତି ଭୋଟରଙ୍କୁ। କେବଳ ବିଜେପି ନୁହେଁ ସମସ୍ତେ ଘେରିଛନ୍ତି ବସ୍ତି ଭୋଟକୁ। ଘର ଘର ବୁଲି ପ୍ରତିଟି ଭୋଟର ସହ କଥା ହେଉଛନ୍ତି ଅପରାଜିତା। ଗତ କିଛିଦିନର ପ୍ର୍ରଚାରକୁ ଲକ୍ଷ କଲେ ଜଣାପଡୁଛି ଅରୂପ ପଛରେ ପଡିଯାଇଛନ୍ତି।
ପ୍ରଭାବହୀନ ଅରୂପଙ୍କ ପ୍ରଚାର

ଅରୂପ ନିଜ ବିଧାୟକ ପ୍ରାର୍ଥିଙ୍କ ସହ ବୁଲି ବୁଲି ପ୍ରଚାର କରୁଛନ୍ତି। ହେଲେ ତାଙ୍କ ପ୍ରଚାର ସାଧାରଣ ଲୋକଙ୍କୁ ପ୍ରଭାବିତ କଲା ଭଳି ଲାଗୁନି। ସାଧାରଣରେ ଅପରାଜିତାଙ୍କ ଯେମିତ ଲୋକପ୍ରିୟତା ରହିଛି, ଅରୂପଙ୍କୁ ବିଶେଷ ଲୋକ ଚିହ୍ନି ନାହାନ୍ତି।
ଅରୂପ ସାଧାରଣରେ ଅଚିହ୍ନା
ଚିହ୍ନମତରେ ବିଜେଡି ଆଗୁଆ ଥିଲେ ବି, ଅରୂପ ସାଧାରଣରେ ଅଚିହ୍ନା ରହିଛନ୍ତି। ପ୍ରତିଟି ବ୍ୟକ୍ତିଙ୍କ ସହ ଆଲୋଚନା ଓ ସବୁ ବର୍ଗ ନିକଟରେ ପହଞ୍ଚିପାରୁଥିବାରୁ ଅପରାଜିତା ବେଶ ଗ୍ରହଣୀୟ ହେବେ ବୋଲି ସାଧାରଣରେ ଶୁଣିବାକୁ ମିଳୁଛି। ଆଉ ଅରୂପ ସେମିତି କଡ୍ଡା ଟକ୍କର ଦେଲାଭଳି ପ୍ରଚାର କରୁଥିବାର ବି ଦେଖିବାକୁ ମିଳୁନି।
ତେବେ ପୂର୍ବ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ନୀତି ଯଦି ଅରୂପ ଅବଲମ୍ୱନ କରୁଥାନ୍ତି, ତେବେ ଧୋକ୍କା ଖାଇଯିବାଟା ସାରା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ସଂସଦୀୟ କ୍ଷେତ୍ର ଅଧିନରେ ଥିବା ବିଧାନସଭା ଆସନ ଗୁଡିକ ବିଜେଡି ହାତରେ ଥିବାରୁ ବିଧାୟକମାନେ ସାଂସଦ ପ୍ରାର୍ଥୀଙ୍କୁ ଜିତାଇ ଦେଉଥିଲେ। ହେଲେ ଏଥର ପ୍ରାଥିର୍ ବଦଳିଥିବାରୁ ବିଧାୟକଙ୍କୁ ଜିତିବା କଷ୍ଟକର ହୋଇଯିବ।
ସାଧାରଣରେ ଗ୍ରହଣୀୟ ହେଉଛନ୍ତି ଅପରାଜିତା

ସେପଟେ ଅପରାଜିତାଙ୍କ ହାୱାରେ ବିଜେପି ବିଧାୟକ ପ୍ରାର୍ଥି କିଛି ଭଲ ଭୋଟ ପାଇଯିବାର ସମ୍ଭାବନା ରହିଛି। ବାବା ପ୍ରସନ୍ନଙ୍କ ଭଳି ଫଳ ମିଳିବନି, ଅପରାଜିତା ସାଧାରଣରେ ଗ୍ରହଣୀୟ ହେଉଛନ୍ତି, ସାଧାରଣ ଲୋକଙ୍କ ନିକଟରେ ବସୁଛନ୍ତି ଗପୁଛନ୍ତି। କିନ୍ତୁ ଅରୂପଙ୍କ ନିକଟରେ ବାବୁ ଠାଣି ଗଲା ପରି ଲାଗୁନି। ଅନ୍ୟପଟେ ଅରୂପଙ୍କ ମୁହଁରୁ କୌଣସି ବିଶେଷ ପ୍ରତିଶ୍ରୁତି ଶୁଣିବାକୁ ମିଳୁନି।
ନାମାଙ୍କନ ଦିନ ଅରୂପ କହିଥିଲେ ଜିତିବା ପରେ ସେ ନିଜ ବିକାଶ ପ୍ରସଙ୍ଗ ସ୍ପଷ୍ଟ କରିବେ। ହେଲେ ଅପରାଜିତା ନିଜ କଥା ସ୍ପଷ୍ଟ କରିଛନ୍ତି। ସ୍ୱଳ୍ପ ରୋଜଗାର, ବେକାରୀ ଆଦି ଭୁବନେଶ୍ୱରର ପ୍ରମୁଖ ସମସ୍ୟା କଥା ସେ କହୁଛନ୍ତି। ଯାହା ଯୁବପୀଢ଼ିଙ୍କୁ ଆକୃଷ୍ଟ କରିଥିବା କଥା ଦେଖିବାକୁ ମିଳିଛି। ତେବେ ରାଜଧାନୀବାସୀ ଲୋକସଭାରେ ଅପରାଜିତାଙ୍କ ଆଡକୁ ସଂକେତ ଦେଇଛନ୍ତି। ବିଧାନସଭା ସ୍ପଷ୍ଟ ନହୋଇ ପାରିଲେ ବି ଅପରାଜିତା ଲୋକସଭାରେ କଡା ଟକ୍କର ଦେବେ।
ତେବେ ଅରୂପ ଯଦି ଅପରାଜିତାଙ୍କୁ କଇଁଛ ଭାବି ବାବା ପ୍ରସନ୍ନଙ୍କ ନୀତି ଆପଣେଇବେ ତେବେ ଏହା ତାଙ୍କ ପାଇଁ ମହଙ୍ଗା ପଡିପାରେ।