ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର ‘ମିଶନ ଶକ୍ତି’ର ସଫଳ ପରୀକ୍ଷଣ
ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ଭାରତର କ୍ଷମତା ହାସଲ
ଆଜି ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଓଡ଼ିଶାର ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର (ଆଣ୍ଟି ସାଟେଲାଇଟ୍ ମିଶାଇଲ) ମିଶନ ଶକ୍ତି ସଫଳ ପରୀକ୍ଷଣ କରିଛି। ଡିଆରଡିଓ ଦ୍ୱାରା ବିକଶିତ ବିଏମଡି (ବାଲିଷ୍ଟିକ ମିଶାଇଲ ଡିଫେନ୍ସ) ଇଣ୍ଟର ସେପ୍ଟର କ୍ଷେପଣାସ୍ତ୍ରକୁ ନିମ୍ନ ଭୂକକ୍ଷରେ ଅବସ୍ଥିତ ଏକ ଭାରତୀୟ ସାଟେଲାଇଟକୁ ଲକ୍ଷ୍ୟଭେଦ କରିବା ପାଇଁ ପ୍ରେରଣ କରାଯାଇଥିଲା। ଏହି ଇଂଟରସେପ୍ଟର କ୍ଷେପଣାସ୍ତ୍ର ଦୁଇଟି କଠିନ ରକେଟ ବୁଷ୍ଟର ଥିବା ଏକ ତ୍ରିସ୍ତରୀୟ କ୍ଷେପଣାସ୍ତ୍ର। ରେଞ୍ଜ ସେନସରର ଡାଟା ଅନୁଯାୟୀ ଏହି ମିଶନ ଏହାର ସମସ୍ତ ଲକ୍ଷ୍ୟକୁ ପୂରଣ କରିଛି।
ମହାକାଶରେ ଅବସ୍ଥିତ ସାଟେଲାଇଟକୁ ଲକ୍ଷ୍ୟଭେଦ କରିବାର କ୍ଷମତାକୁ ଏହି ପରୀକ୍ଷଣ ପ୍ରତିପାଦିତ କରିଛି। ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ଏହି କ୍ଷମତା ହାସଲ କରିଛି। ଡିଆରଡିଓ ବୈଜ୍ଞାନିକଙ୍କ ଏହି ପରୀକ୍ଷଣ ରାଷ୍ଟ୍ରର ଉନ୍ନତ ବୈଜ୍ଞାନିକ ଓ ପ୍ରଯୁକ୍ତି ଦକ୍ଷତାକୁ ପ୍ରମାଣ କରିଛି।
କ’ଣ ଏହି ମିଶନ ଶକ୍ତି
ଭାରତର ମିଶନ ଶକ୍ତିର ଲକ୍ଷ୍ୟ ହେଉଛି ମହାକାଶରେ ନିଜର ସମ୍ପଦ ଗୁଡିକର ରକ୍ଷା କରିବା । ଭାରତର ବୈଜ୍ଞାନିକମାନେ ଏହି ଶକ୍ତିକୁ ହାସଲ କରିବା ପାଇଁ ଅନେକ ପରିଶ୍ରମ ଏବଂ ପରୀକ୍ଷଣ ମଧ୍ୟ କରିଛନ୍ତି । ଅଗ୍ନୀ ୫ ମିଲାଇଲର ପରୀକ୍ଷଣ ସମୟରେ ହିଁ ଭାରତୀୟ ବୈଜ୍ଞାନିକ ମାନେ ଏନେଇ ଅଳ୍ପବହୁତ ସୂଚନା ଦେଇଥିଲେ ଯେ ଭାରତ ମହାକାଶରେ ଯୁଦ୍ଧ କରିବାର କ୍ଷମତା ରଖିଛି । କିନ୍ତୁ ସେହି ସମୟରେ ଏହାର ସରକାରୀ ପୁଷ୍ଟି ହୋଇନଥିଲା ।
୨୦୦୭ ମସିହାରେ ଯେତେବେଳ ଚୀନ ନିଜର ଏକ ଖରାପ ଉପଗ୍ରହକୁ ନଷ୍ଟ କରିଥିଲା ସେହି ସମୟରେ ଏହା ଭାରତ ଚିନ୍ତା ବଢାଇଥିଲା । ସେହି ସମୟରେ ଭାରତର ଦୁଇଟି ବଡ ଅନୁଷ୍ଠାନ ଭାରତୀୟ ଗବେଷଣା କେନ୍ଦ୍ର ଇସ୍ରୋ ଏବଂ ଡିଆରଡିଓ ଏହି ଦିଗରେ କାମ କରିବା ଆରମ୍ଭ କରିଥିଲେ । ଏହିପରି ମିସାଇଲକୁ ବିକଶିତ କରିବାରେ ଦିଗରେ କାମ କରିଥିଲେ ।
ଅନ୍ତରାଷ୍ଟ୍ରୀୟ ପ୍ରତିବନ୍ଧକ ଏବଂ ଦାୟିତ୍ୱବାନ ଦେଶ ହୋଇଥିବାରୁ ଭାରତ ଏହି କ୍ଷମତା ହାସଲ କରିବାନେଇ କୌଣସି ପୁଷ୍ଟି କରିନଥିଲା । କିନ୍ତୁ ବର୍ତ୍ତମାନ ବଢୁଥିବା ସାମରୀକ ବିପଦକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ଏହି ସଫଳ ପରୀକ୍ଷଣ ବିଷୟରେ ସୂଚନା ଦେବା ସହ ଏହି ବିଶେଷ କ୍ଲବରେ ଭାରତ ସାମିଲ ହୋଇଥିବାର ସୂଚନା ଦେଇଛନ୍ତି ।
ଦକ୍ଷିଣ ଚୀନ ମହାସାଗରରେ ଆମେରିକାର ବଢୁଥିବା ଶକ୍ତି ଏବଂ ନିଜର ସାମରିକ କ୍ଷମତା ବୃଦ୍ଧି କରିବା ପାଇଁ ୨୦୦୭ ମସିହାରେ ଚୀନ ଏହି କ୍ଷମତା ହାସଲ କରିଥିଲା । ଆମେରିକାର ଅଧିକାଂଶ ଯୋଗାଯୋଗ ଉପଗ୍ରହ ମାଧ୍ୟରେ ହୋଇଥିଏ।
ଅନ୍ତରୀକ୍ଷରେ ମହାଶକ୍ତି ହେଲା ଭାରତ : ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋନ୍ଧନ କରିଛନ୍ତି । ଏହି ସମୟରେ ମୋଦୀ ଭାରତର ମହାକାଶ ବିଜୟ ବିଷୟରେ କହିଛନ୍ତି । ମୋଦୀ କହିଛନ୍ତି, ଭାରତ ଏକ ଅଦ୍ଭୁତ ପୂର୍ବ ସିଦ୍ଧି ହାସଲ କରିଛି । ଭାରତ ଏବେ ନିଜ ନାମ ଅନ୍ତରୀକ୍ଷ ମହାଶକ୍ତି ଭାବରେ ସାମିଲ କରିଛି । ଏହି ମହାଶକ୍ତି ତାଲିକାରେ ଏପର୍ଯ୍ୟନ୍ତ ଦୁନିଆର ତିନୋଟି ରାଷ୍ଟ୍ର ଆମେରିକା, ଋଷ, ଚୀନ ସାମିଲ ଥିଲେ । କିନ୍ତୁ ଭାରତ ଏବେ ଚତୁର୍ଥ ରାଷ୍ଟ୍ର ଭାବେ ଏହି ସିଦ୍ଧି ହାସଲ କରିଛି । ପ୍ରତି ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ବିଷୟ । କିଛି ସମୟ ପୂର୍ବରୁ ଆମର ବୈଜ୍ଞାନିକ ଅନ୍ତରୀକ୍ଷରେ ୩୦୦ କିମି ଦୂର ଲୋ ଆର୍ଥ ଅର୍ବିଟରେ ଏକ ଲାୟୁ ସାଟେଲାଇଟକୁ ମାରି ତଳେ ଖସାଇଛି । ଏହା ଏକ ପୂର୍ବ ନିର୍ଦ୍ଧାରିତ ଲକ୍ଷ ଥିଲା । ତାହାକୁ ଏକ ଆଣ୍ଟି ସାଟେଲାଇଟ ମିଶାଇଲ ଦ୍ୱାରା ମାରି ତଳେ ଖସାଯାଇଛି । କେବଳ ତିନି ମିନିଟରେ ସଫଳତା ପୂର୍ବକ ଏହି ଅଫରେଶନ ପୂରଣ ହୋଇଛି । ଏହି ମିଶନର ନାମ ଥିଲା ମିଶନ ଶକ୍ତି । ଏଥିପାଇଁ ଅତ୍ୟାଧୁନିକ ଟେକନିକର ଆବଶ୍ୟକତା ଥିଲା । ଆମ ବୈଜ୍ଞାନିକଙ୍କ ଦ୍ୱାରା ଏହା ସଫଳ ହୋଇଛି । ଭାରତର ବିକ୍ଷିପ୍ତ ସାଟେଲାଇଟ ଦ୍ୱାରା ଏହା ସଫଳ ହୋଇଛି ।
ରାହୁଲଙ୍କ କଟାକ୍ଷ: କହିଲେ; ବିଶ୍ୱ ନାଟକ ଦିବସର ଶୁଭକାମନା
ଏହି ଖବରର ପ୍ରସାର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଉପାୟ ଆପଣାଇଥିଲେ, ତାକୁ ନେଇ ବିରୋଧି ଦଳ ସମାଲୋଚନା କରିବା ଆରମ୍ଭ କରି ସାରିଛି। ଏ ସବୁ ଦେଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ କଥା ଆଳରେ କଟାକ୍ଷ କରିଥିବା ଦେଖା ଯାଇଛି। ଡିଆର୍ଡିଓର ଟିମ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉପରେ ଗର୍ବିତ ବୋଲି ଲେଖିଥିଲେ ରାହୁଲ। ଏହା ସହ କଥା ଆଳରେ ସେ ମୋଦିଙ୍କୁ ବିଶ୍ୱ ନାଟକ ଦିବସର ଶୁଭେଚ୍ଛା ଜଣାଇଥିଲେ।
ମିଶନ ଶକ୍ତି ପାଇଁ କଂଗ୍ରେସ ଦେଇ ନଥିଲା ଅନୁମତି : ଜେଟଲୀ
କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ମିଶନ ଶକ୍ତି ପାଇଁ ଡିଆରଡିଓର ବୈଜ୍ଞାନିକଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ଜେଟଲୀ କଂଗ୍ରେସ ସରକାରଙ୍କୁ ମଧ୍ୟ ପାଲଟା ଆକ୍ରମଣ କରିଛନ୍ତି। ବୈଜ୍ଞାନିକମାନେ ଏକ ଦଶକ ଧରି ଏଥିପାଇଁ ପ୍ରସ୍ତୁତି କରି ଆସୁଥିଲେ କିନ୍ତୁ ୟୁପିଏ ସରକାର ଏଥିପାଇଁ ଅନୁମତି ଦେଇ ନଥିଲେ।
କଂଗ୍ରେସ ପ୍ରବକ୍ତା ରଣଦ୍ୱୀପ ସୁରେଜୱାଲା ଟ୍ୱିଟରରେ ଏହି ମିଶନର ଉପଲବ୍ଧିର ଶ୍ରେୟ କଂଗ୍ରେସ ସରକାରଙ୍କୁ ଦେଇଛନ୍ତି। ଏହା ଉପରେ ଜେଟଲୀ ଟାର୍ଗେଟ କରି କହିଛନ୍ତି କି, ବହୁ ସମୟ ପୂର୍ବରୁ ଏହା ଆମ ବୈଜ୍ଞାନିକଙ୍କ ଇଚ୍ଛା ଥିଲା। ତାଙ୍କ ନିକଟରେ ଏହି କ୍ଷମତା ମଧ୍ୟ ଥିଲା। କିନ୍ତୁ ଭାରତ ସରକାର ଏଥିପାଇଁ ଅନୁମତି ଦେଇ ନଥିଲେ। ଆଜି କିଛି କଂଗ୍ରେସ କର୍ମୀମାନେ ପିଠି ଥାପୁଡୋଉଛନ୍ତି। ୟୁପିଏ ସରକାର ଉପରେ ଟାର୍ଗେଟ କରି ଜେଟଲୀ କହିଛନ୍ତି, ଅଗ୍ନି ୫ ଲଞ୍ଚ ହୋଇଥିବା ସମୟରେ ମଧ୍ୟ ସରକାର ଅନୁମତି ଦେଇ ନଥିଲେ କିନ୍ତୁ ବୈଜ୍ଞାନିକଙ୍କର ଏଥିପାଇଁ ଇଚ୍ଛା ଥିଲା। ୨୦୧୪ରେ ପ୍ରଧାନମନ୍ତ୍ରୀ ଅନୁମତି ଦେବା ପରେ ଏହା ସଫଳ ହୋଇ ପାରିଥିଲା।