ଅନୀଲଙ୍କୁ ଟାଣିଲା ଇଡି

ନୂଆଦିଲ୍ଲୀ (ଓଟି): ୟେସ୍ ବ୍ୟାଙ୍କ ମାମଲାରେ ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ୍ ଜାରି କରାଯାଇଛି। ବ୍ୟାଙ୍କର ପ୍ରବର୍ତ୍ତକ ରାଣା କପୁରଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଜାରି ହୋଇଥିବା ମନି ଲଣ୍ଡରିଂ ମାମଲାର ସମ୍ବନ୍ଧରେ ତାଙ୍କୁ ଯାଞ୍ଚ କରାଯିବା ପାଇଁ ଏଭଳି ସମନ କରାଯାଇଥିବା ଜଣାପଡ଼ିଛି। ୟେସ୍ ବ୍ୟାଙ୍କ ତରଫରୁ ନିଆଯାଇଥିବା ଋଣ ମଧ୍ୟରୁ ଯେଉଁ ଆକାଉଣ୍ଟଗୁଡ଼ିକ ଏନ୍‌ପିଏରେ ପରିବର୍ତ୍ତିତ ହୋଇଛି, ସେଗୁଡ଼ିକ ମଧ୍ୟରେ ଅନୀଲ ଅମ୍ବାନୀଙ୍କ କମ୍ପାନୀଗୁଡ଼ିକ ବୃହତ୍ ଋଣଗ୍ରହୀତା ରୂପେ ସାମିଲ ଅଛନ୍ତି। ଅନୀଲଙ୍କୁ ଇଡିର ମୁମ୍ବାଇସ୍ଥିତ କାର୍ଯ୍ୟାଳୟରେ ଉପସ୍ଥିତ ହେବା ଲାଗି କୁହାଯାଇଥିବେଳେ ବ୍ୟକ୍ତିଗତ କାରଣରୁ ସେ ଉପସ୍ଥିତ ହୋଇପାରିବେ ନାହିଁ କହିବା ସହ ନୂଆ ତାରିଖ ଦେବା ଲାଗି ଆବେଦନ କରିଥିଲେ।

ସୂଚନା ଅନୁସାରେ ଅନୀଲ ଅମ୍ବାନୀଙ୍କ କମ୍ପାନୀଗୁଡ଼ିକ ଦ୍ୱାରା ୟେସ୍ ବ୍ୟାଙ୍କରୁ ନିଆଯାଇଥିବା ଋଣ ମଧ୍ୟରୁ ପ୍ରାୟ ୧୨,୮୦୦ କୋଟି ଏନପିଏରେ ପରିବର୍ତ୍ତିତ ହୋଇଛି। ଅନୀଲଙ୍କ କମ୍ପାନୀ ସମୂହ, ଏସେଲ୍‌, ଆଇଏଲ୍‌ଏଫ୍‌ଏସ୍‌, ଡିଏଚ୍‌ଏଫ୍‌ଏଲ୍ ଏବଂ ଭୋଡାଫୋନ୍ ଆଦି କମ୍ପାନୀ ୟେସ୍ ବ୍ୟାଙ୍କରୁ ଋଣଗ୍ରହୀତା ମଧ୍ୟରେ ସାମିଲ ଅଛନ୍ତି ବୋଲି ଗତ ମାର୍ଚ୍ଚ ୬ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଥିଲେ। ତେଣୁ ଆବଶ୍ୟକ ଅନୁସାରେ ସମ୍ପୃକ୍ତ କମ୍ପାନୀର ପ୍ରବର୍ତ୍ତକମାନଙ୍କୁ ଡକାଯିବ ବୋଲି କୁହାଯାଇଛି।

ଏଥିସହ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅନ୍ତର୍ଗତ ଅନୀଲ ଅମ୍ବାନୀଙ୍କ ବୟାନ ରେକର୍ଡ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published.