ନିରଞ୍ଜନଙ୍କ ବିରୋଧରେ ଅସନ୍ତୋଷ ତେଜିଲା

କଂଗ୍ରେସ ନେତୃତ୍ୱ ଦଳରେ ସଂଗଠନ କରୁଥିବା ନେତାମାନଙ୍କୁ କୌଣସି ପ୍ରକାର ସୁଯୋଗ ଦେବାକୁ ଚାହୁଁନାହାନ୍ତି। ଯେଉଁମାନେ ବର୍ଷ ବର୍ଷ ଧରି ଦଳର କାର୍ଯ୍ୟକ୍ରମକୁ ହାତକୁ ନେଇ ସଂଗଠନ ବୃଦ୍ଧି କରୁଛନ୍ତି ସେମାନଙ୍କୁ ନିର୍ବାଚନରେ ଟିକଟ ମିଳୁନାହିଁ। ଏଠାରେ କେବଳ ବାପ ପୁଅଙ୍କ ରାଜନୀତି ଚାଲିଆସୁଛି।

ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶକୁନି ଭୂମିକାରେ କାର୍ଯ୍ୟକରି ଦଳକୁ ବୁଡ଼ାଇ ଦେଉଛନ୍ତି ବୋଲି ଟିକଟ ପାଇନଥିବା ଆଶାୟୀ ତଥା ଦଳରୁ ଇସ୍ତପା ଦେଇଥିବା ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଖୋଲାଖୋଲି ଅଭିଯୋଗ କରିଛନ୍ତି। ମହିଳା ସଭାନେତ୍ରୀ ସୁମିତ୍ରା ଜେନା, କୃଷକ ସେଲର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଓ ଯୁବନେତା ଲୋକନାଥ ମହାରଥୀ ଗଣମାଧ୍ୟମରେ ଏଭଳି ଅଭିଯୋଗ ଆଣି ଚଳିତ ନିର୍ବାଚନରେ କଂଗ୍ରେସକୁ ୫କିମ୍ୱା୬ଟି ଆସନରୁ ଅଧିକ ଲାଭ ମିଳିବ ନାହିଁ ବୋଲି ଖୋଲାଖୋଲି ଅଭିଯୋଗ କରିଛନ୍ତି।

ରାଜ୍ୟ କଂଗ୍ରେସ ନେତୃତ୍ୱକୁ ନିର୍ବାହ କରୁଥିବା ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ଏବେ ମନଇଛା ଟିକେଟ ବଣ୍ଟନ କରୁଛନ୍ତି। ସଂଗଠନ ସହିତ ସମ୍ପର୍କ ରଖିନଥିବା ବ୍ୟକ୍ତିମାନଙ୍କୁ ଟିକଟ ବଣ୍ଟାଯାଉଛି। ଅନେକ ଯୋଗ୍ୟା ମହିଳା ପ୍ରାର୍ଥୀ ଦଳରେ ରହିଥିବାବେଳେ ସେମାନଙ୍କୁ ଟିକଟ ମିଳିଲା ନାହିଁ। ବିଜୟ ସମ୍ଭାବନା ଥିଲେ ମଧ୍ୟ ପିସିସି ସଭାପତି ଏହା କରାଇଦେଲେନାହିଁ। ନିରଞ୍ଜନ କଂଗ୍ରେସ ଦଳରେ ଶକୁନି ଭୂମିକା ତୁଲାଇ ଦଳକୁ ନିଶ୍ଚିହ୍ନ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ମହିଳା ସଭାନେତ୍ରୀ ସୁମିତ୍ରା ଜେନା ଅଭିଯୋଗ କରିଛନ୍ତି।

କଂଗ୍ରେସ ଟିକଟ ବଣ୍ଟା ଅନିୟମିତତା କାରଣରୁ ତାଙ୍କୁ ମହାକାଳପଡ଼ା ଆସନରୁ ଟିକଟ ଦିଆଗଲା ନାହିଁ ବୋଲି ଯୁବ କଂଗ୍ରେସର ପୂର୍ବତନ ସଭାପତି ଲୋକନାଥ ମହାରଥୀ ଅଭିଯୋଗ ଆଣିଛନ୍ତି। ପିସିସି ସଭାପତି କଂଗ୍ରେସକୁ ଧ୍ୱଂସ କରିବା ପାଇଁ ପ୍ରତିପକ୍ଷଙ୍କ ସହ ଭିତିରି ବୁଝାମଣା କରିଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ପ୍ରତିପକ୍ଷଙ୍କୁ ବିଜୟୀ କରିବାକୁ ଭିତ୍ତିରି ବୁଝାମଣା କରାଯାଇଛି। ଦଳର ଯୁବ ଓ ମହିଳା ପ୍ରାର୍ଥୀମାନଙ୍କୁ ଯୋଗ୍ୟତା ଥାଇ ମଧ୍ୟ ଟିକଟ ମିଳିନାହିଁ। ଓଡ଼ିଶାରେ କଂଗ୍ରେସକୁ ନିଶ୍ଚିହ୍ନ କରିବା ପାଇଁ ପିସିସି ନେତୃତ୍ୱ ଏପରି କରିଛି ବୋଲି ମହାରଥୀ ଅଭିଯୋଗ କରିଛନ୍ତି।

ସେହିପରି କଂଗ୍ରେସ ଟିକଟ ବଣ୍ଟାରେ ପିସିସି ସଭାପତି ଗୁରୁତର ଅନିୟମିତତା କରିଥିବା ଅଭିଯୋଗ ଆଣିଛନ୍ତି ଦଳର କୃଷକସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ। ଅମୀୟ କହିଛନ୍ତି କଂଗ୍ରେସ ଦଳରେ ବିଜୟ ସମ୍ଭାବନା ଥିବା ଅନେକ ଯୋଗ୍ୟ ପ୍ରାର୍ଥୀ ଥିଲେ। ସେମାନେ ଟିକଟ ପାଇଁ ଆବେଦନ କରିଥିଲେ। ଉଦ୍ଦେଶ୍ୟ ମୂଳକ ଭାବେ ସେମାନଙ୍କ ଟିକଟ କଟାଯାଇ ହାରି ଯାଉଥିବା ବ୍ୟକ୍ତିଙ୍କୁ ପ୍ରାର୍ଥର୍ୀ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ୩ନେତାଙ୍କ ଅଭିଯୋଗ ଉପରେ ପିସିସି ପକ୍ଷରୁ ଏଯାଏଁ କେହି ପ୍ରତିକ୍ରିୟା ଦେଇନାହାନ୍ତି।

ଟିକେଟ ଫେରାଇଲେଣି ୭

ସୀତାକାନ୍ତ ମହାପାତ୍ର ଓ ସତ୍ୟବ୍ରତ ପାତ୍ରଙ୍କୁ ମିଶାଇ ଅଦ୍ୟାବଧି କଂଗ୍ରେସର ମୋଟ ୭ଜଣ ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଅନିଛାବ୍ୟକ୍ତ କରିସାରିଲେଣି। ସୀତାକାନ୍ତ ଅନିଛା ପ୍ରକାଶ କରିବା ପରେ ପରେ ନିମାପଡ଼ାରୁ ପ୍ରାର୍ଥୀ ହୋଇଥିବା ସତ୍ୟବ୍ରତ ପାତ୍ର ମଧ୍ୟ ନିର୍ବାଚନ ଲଢ଼ିବେ ନାହିଁ ବୋଲ ଘୋଷଣା କରିଛନ୍ତି। ଟିକେଟ ମିଳିବାରେ ବିଳମ୍ୱକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ କାରଣରୁ ମୁଁ ନିର୍ବାଚନ ଲଢ଼ିବି ନାହିଁ ବୋଲି କହିଛନ୍ତି ସତ୍ୟବ୍ରତ ।

ପୂର୍ବରୁ ବେଗୁନିଆ ଆସନରୁ ପୃଥ୍ୱୀବୀ ବଲ୍ଲଭ ପଟ୍ଟନାୟକ, ପିପିଲି ଆସନରୁ ଯୁଧିଷ୍ଟର ସାମନ୍ତରାୟ, ତିେର୍ତ୍ତାଲ ଆସନରୁ ବିଭୂ ପ୍ରସାଦ ତରାଇ, କବିସୂର୍ଯ୍ୟ ନଗର ଆସନରୁ ସୀତାରାମ ପାଣିଗ୍ରାହୀ, ରାଉରକେଲା ଆସନରୁ ମୁକ୍ତିକାନ୍ତ ମଣ୍ଡଳ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି। ସେମାନଙ୍କ ବଦଳରେ ଦଳ ଅନ୍ୟ ପ୍ରାର୍ଥୀ ଘୋଷଣା କରିସାରିଲାଣି।

ଦଳରୁ ୧୯ ବହିଷ୍କୃତ

ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଏବଂ ଅନ୍ୟତମ ପ୍ରଭାରୀ ଟି.ଏସ‌୍‍. ସିଂଦେଓଙ୍କ ଅନୁମୋଦନ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଚଳିତ ନିର୍ବାଚନରେ ଦଳବିରୋଧି କାର୍ଯ୍ୟରେ ଲିପ୍ତ ଥିବା ୧୯ ଜଣଙ୍କୁ କଂଗ୍ରେସ ଦଳରୁ ବହିଷ୍କୃତ କରିଛନ୍ତି। ବହିଷ୍କୃତ ହୋଇଥିବା ବ୍ୟକ୍ତିମାନେ ହେଲେ ସର୍ବଶ୍ରୀ ମକରନ୍ଦ ମୁଦୁଲି, ସାନ୍ଧୁ ଚରଣ ମାଝୀ, ଜୋସେଫ‌୍‍ ଭତ୍ରା, ଗଜେନ୍ଦ୍ର ନାୟକ, ଅମ୍ୱିକା ମାଝୀ, ନିଳକଣ୍ଠ ଝୋଡ଼ିଆ, ରୁଆଇ ମାଝୀ, ଡ. ତିରୁପତି ପାଣିଗ୍ରାହୀ, ଗଭାରା ତିରୁପତି ରାଓ, ଅଖିଳ କୁମାର ପାତ୍ର, କୃଷ୍ଣଚନ୍ଦ ଦୋରା, ସଶନାମ ବାଲାରାଜୁ, ମାଡ଼ପାଲା କ୍ରିଷ୍ଣା ରାଓ, ହିଂମାଶୁ ଲିମା, ଗଂଜୁ ଗମାଙ୍ଗୋ, କିଶୋର ଚନ୍ଦ୍ର ପ୍ରଧାନ, ଯୁଧିଷ୍ଠୀର ବଡ଼ମୁଣ୍ଡି, ଏସ‌୍‍. ଗଜପତି ରାଓ ଓ କୃଷ୍ଣଚନ୍ଦ୍ର ବେହେରା ବୋଲି ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ବିଶ୍ୱଜିତ‌୍‍ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

Leave a Reply

Your email address will not be published. Required fields are marked *