ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନବାଡି କେନ୍ଦ୍ର

ବିଦ୍ୟାଳୟ ପରିସରରେ ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ରାଜ୍ୟକୁ କହିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ସଚିବ ରାକେଶ ଶ୍ରୀବାସ୍ତବ ଏହି ମର୍ମରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି। ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନବାଡି ନିର୍ମାଣ ହେଲେ ଛୋଟ ଛୋଟ ପିଲାମାନେ ସହଜରେ ବିଦ୍ୟାଳୟକୁ ଆସି ପ୍ରାଥମିକ ଶିକ୍ଷା ପାଇପାରିବେ।

କେନ୍ଦ୍ରୀୟ ସଚିବ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ କେନ୍ଦ୍ର ସରକାର ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟକୁ ୧୪ଲକ୍ଷ ଅଙ୍ଗନବାଡି କେନ୍ଦ୍ର ମଞ୍ଜୁର କରିଛନ୍ତି। ଏଥି ମଧ୍ୟରେ ୧୩ଲକ୍ଷ ୫୩ ହଜାର ଅଙ୍ଗନବାଡି ଆଜି ସୁଦ୍ଧା କାର୍ଯ୍ୟକ୍ଷମ ଅଛି। ଏହି କେନ୍ଦ୍ର ଗୁଡିକ ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‍) ଦ୍ୱାରା ଚଳାଯାଉଛି ଯାହାକି ବିଶ୍ୱରେ ସବୁଠାରୁ ବଡ ଶିଶୁ ଯତ୍ନକାରୀ ଯୋଜନା।

ଏହି ଯୋଜନାରେ ଶିଶୁଙ୍କ ସେବା ସହିତ ପୁଷ୍ଟିକର ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପ୍ରାଥମିକ ସ୍ତରରେ ଅଣଆନୁଷ୍ଠିକ ଶିକ୍ଷା ଯୋଗାଇ ଦିଆଯାଉଛି। ଏଭଳି ସ୍ଥିତିରେ ସାର୍ବଜନିନ ନାମଲେଖା ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରବାଲାଗି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ହାତ ମିଳାଇଛନ୍ତି। ତଦନୁଯାୟୀ କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏଥିପାଇଁ ଯୋଜନା ପ୍ରସ୍ତୁତ ହୋଉଛି।

ବର୍ତ୍ତମାନ ବହୁ ସଂଖ୍ୟାରେ ଅଙ୍ଗନବାଡି କେନ୍ଦ୍ର ଭଡାଘରେ ଓ ପ୍ରାଥବିଦ୍ୟାଳୟ ବିଦ୍ୟାଳୟ ଠାରୁ ବହୁ ଦୂରରେ ଚାଲୁଛି। ଏଥିଯୋଗୁଁ ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ସମନ୍ୱୟ ରହିପାରୁନାହିଁ। ତେଣୁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଯେଭଳି ପ୍ରାଥମିକ ବିଦ୍ୟାଳୟ ପରିସରରେ ରହିବ ସେଥିପାଇଁ ଯୋଜନା ପ୍ରସ୍ତୁତ ଲାଗି ରାଜ୍ୟ ସରକାରଙ୍କୁ କୁହାଯାଇଛି।

ବିଦ୍ୟାଳୟ ପରିସରରେ ଅଙ୍ଗନବାଡି ରହିଲେ ତାହା ପିଲାମାନଙ୍କୁ ବିଦ୍ୟାଳୟରେ ଭର୍ତ୍ତିଲାଗି ପ୍ରସ୍ତୁତ କରିବା ସହିତ ଆଇସିଡିସ୍‍ ଓ ସର୍ବଶିକ୍ଷା ଅଭିଯାନ ଭଳି ଫ୍ଲାଗସିପ୍‍ ଯୋଜନା କାର୍ଯ୍ୟକାରୀତାରେ ସହାୟକ ହେବ। ରାଜ୍ୟରେ ବର୍ତ୍ତମାନ ୭୨,୫୮୭ଟି ଅଙ୍ଗନବାଡି କାର୍ଯ୍ୟ କରୁଥିବାବେଳେ ସେଥି ମଧ୍ୟରେ ୩୪,୬୫୧ଟିର ନିଜସ୍ୱ ଭିତ୍ତିଭୂମି ନାହିଁ। କେତେକ ଅଙ୍ଗନବାଡି କେନ୍ଦ୍ର ଭଡାଘରେ ଏବଂ ଅଙ୍ଗନବାଡିକର୍ମୀଙ୍କ ଘରେ ଚାଲୁଛି।

ଗଞ୍ଜାମ ଜିଲ୍ଲାରେ ଥିବା ୨୯୬୪ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଭିତ୍ତିଭୂମି ନଥିବାବଳେ ବାଲଶ୍ୱରରେ ୨୮୫୪, କଟକରେ ୨୩୨୫, ଭଦ୍ରକର ୧୬୦୬ ଓ ବରଗଡରେ ଏହି ସଂଖ୍ୟା ୧୫୮୬ ରହିଛି। ୧୩,୫୬୬ ଅଙ୍ଗନବାଡି କେନ୍ଦ୍ରର କୋଠା ନିର୍ମାଣାଧିନ ଅବସ୍ଥାରେ ଥିବାବେଳେ ରାଜ୍ୟ ସରକାର ୧୨,୧୫୬ଟି କେନ୍ଦ୍ର ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।

କେନ୍ଦ୍ର ସରକାର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନବାଡି ସ୍ଥାପନ ପାଇଁ କହୁଥିବାବେଳେ ରାଜ୍ୟ ସରକାର ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଏ ସଂକ୍ରାନ୍ତୀୟ ରିପୋର୍ଟ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟକୁ ପଠାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published.