ଅନନ୍ତଙ୍କ ବିଧାୟକ ସ୍ୱପ୍ନ ଉପରେ ପୂର୍ଣ୍ଣଛେଦ

ବିଡିଏ ଅଧ୍ୟକ୍ଷ ହେଲେ ଅନନ୍ତ ନାରାୟଣ ଜେନା

ରାଜଧାନୀର ଭୁବନେଶ୍ୱର ମହାନଗର ନିଗମର ଦୁଇ ଦୁଇ ଥର ମେୟର ପଦ ସଫଳତାର ସହିତ ତୁଲାଇଥିବା ଅନନ୍ତ ନାରାୟଣ ଜେନାଙ୍କ ବିଧାୟକ ହେବା ସ୍ୱପ୍ନ ଉପରେ ଦଳ ପକ୍ଷରୁ ପୁର୍ଣ୍ଣଛେଦ ପକାଇ ଦିଆଯାଇଛି। ଆଗାମୀ ନିର୍ବାଚନରେ ଦଳ ପ୍ରାର୍ଥୀ କରୁନଥିବାରୁ ତାଙ୍କୁ ଆଗୁଆ ଥଇଥାନ କରାଯାଇଛି। ଏଥିପାଇଁ ତାଙ୍କୁ ଭୁବନେଶ୍ୱର ଡେ଼ଭଲପମେଣ୍ଟ ଅଥରିଟି (ବିଡ଼ିଏ)ର ଅଧ୍ୟକ୍ଷ ଭାବରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମେୟର ଅନନ୍ତ ଜେନା। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ୱ ସୂଚାରୁରୂପେ ନିର୍ବାହ କରିବେ। ଅନନ୍ତ ନାରାୟଣ ଜେନା ଦୁଇ ଦୁଇ ଥର ଭୁବନେଶ୍ୱରର ମେୟର ପଦରେ ଅବସ୍ଥାପିତ ହୋଇଛନ୍ତି।

ବିଏମସିର ପୂର୍ବତନ ମେୟର ତଥା ବିଜୁ ଜନତା ଦଳର ସମ୍ପାଦକ ଅନନ୍ତ ନାରାୟଣ ଜେନା ଆଗାମୀ ନିର୍ବାଚନରେ ଭୁବନେଶ୍ୱରର ମଧ୍ୟ କିମ୍ୱା ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ବୋଲି ତାଙ୍କ ନିକଟତମ ମହଲରେ ଆଲୋଚନା ହେଉଥିଲା। ଏପରି ଆଲୋଚନା ହେବା ପଛରେ ଯେଉଁ କରଣଟି ରହିଛି ତାହା ହେଲା ସେ ମୁଖ୍ୟମନ୍ତ୍ରୀଙ୍କର ଅତି ବିଶ୍ୱସ୍ତ। ତେଣୁ ତାଙ୍କୁ ବିଏମସିର ଦୁଇ ଦୁଇ ଥର ମେୟର ପଦରେ ଦଳ ବସାଇଥିଲା। ଏପରିକି ତାଙ୍କ ନାମରେ ଅନେକ ଜଘନ୍ୟ ଅଭିଯୋଗ ଆସିଥିଲେ ବି ଦଳ ତାଙ୍କୁ ଦୂରେଇ ଦେବା ପରିବର୍ତ୍ତେ ସୁରକ୍ଷା ଦେଇ ଆସିଥିଲା। ତେଣୁ ଆଗାମୀ ନିର୍ବାଚନରେ ତାଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବ ବୋଲି ସେ ଧରିନେଇଥିଲେ।

କିନ୍ତୁ ଆଜି ବିଡ଼ିଏ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିବାରୁ ତାଙ୍କୁ ଆଗାମୀ ନିର୍ବାଚନରେ ଦଳ ପ୍ରାର୍ଥୀ କରିବ ନାହିଁ ବୋଲି ସଂକେତ ଦେଇଥିବା ରାଜନୀତିକ ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *