ବିପିସିଏଲ୍‌ରେ ଅଂଶଧନ ବିକ୍ରିକୁ ମଞ୍ଜୁରି

ନୂଆଦିଲ୍ଲୀ(ଓଟି): ଦେଶର ଦ୍ୱିତୀୟ ସର୍ବବୃହତ୍ ତୈଳ ରିଫାଇନାରୀ କମ୍ପାନୀ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍‌) ର ଘରୋଇକରଣ ପାଇଁ ନିଲାମ ଦସ୍ତାବିଜ୍‌କୁ ଆନ୍ତଃମନ୍ତ୍ରଣାଳୟ ପକ୍ଷରୁ ସମୂହ ମଞ୍ଜୁରି ମିଳିଛି। ଏହା ପରେ ନିଲାମ ପ୍ରକ୍ରିୟା କରିବାକୁ ନେଇ ନୋଟିସ୍ ଜାରି କରାଯିବ। ଆନ୍ତଃ ମନ୍ତ୍ରଣାଳୟ (ଆଇଏମ୍‌ଜି)ରେ ଅର୍ଥ, ପେଟ୍ରୋଲିୟମ୍‌, ଆଇନ, କର୍ପୋରେଟ୍ କାର୍ଯ୍ୟ ଏବଂ ବିନିବେଶ ବିଭାଗର ପ୍ରତିନିଧି ସାମିଲ ରହିଛନ୍ତି। ଏହାସହ କମ୍ପାନୀ ପାଇଁ ରୂଚିପତ୍ର ଏବଂ ପ୍ରାରମ୍ଭିକ ସୂଚନା ଜ୍ଞାପନ (ପିଆଇଏମ୍‌)କୁ ମଧ୍ୟ ସମୂହ ମଞ୍ଜୁରୀ ଦେଇଛନ୍ତି । ସୂଚନା ଅନୁସାରେ, ଏହାକୁ ଚୂଡ଼ାନ୍ତ ମଞ୍ଜୁରି ପାଇଁ ବୈକଳ୍ପିକ ବ୍ୟବସ୍ଥାରେ ରଖାଯିବ। ପ୍ରମୁଖ କ୍ୟାବିନେଟ୍ ମନ୍ତ୍ରୀ ସମୂହଙ୍କ ମଞ୍ଜୁରି ମିଳିବା ପରେ କ୍ରେତାଙ୍କୁ ଆମନ୍ତ୍ରିତ ପାଇଁ ବିଜ୍ଞପ୍ତି ଜାରି କରାଯିବ।

ପ୍ରକାଶଯୋଗ୍ୟ ଯେ ବିପିସିଏଲ୍‌ରେ ସରକାର ସମ୍ପୂର୍ଣ୍ଣ ୫୩.୨୯% ଅଂଶଧନ ବିକ୍ରି କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା କ୍ରେତାମାନଙ୍କୁ ଦେଶର ୧୪% ତୈଳ ରିଫାଇନିଂ କ୍ଷମତା ତଥା ୨୦% ଇନ୍ଧନ ବଜାର ଅଂଶଧନ ପର୍ଯ୍ୟନ୍ତ ପହଞ୍ଚିପାରିବ। ତେବେ ନିଲାମ ପାଇଁ ଦୁଇ ସ୍ତରୀୟ ପ୍ରକ୍ରିୟାର ଅନୁକରଣ କରାଯିବ ବୋଲି କୁହାଯାଇଛି। ଏହା ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଅନୁରୋଧ ମୂଳକ ପ୍ରସ୍ତାବ (ଆର୍‌ଏଫ୍‌ପି) ଆମନ୍ତ୍ରିତ କରାଯିବ ଏବଂ ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ନିଲାମଦାତାଙ୍କ ଦ୍ୱାରା ଯାଞ୍ଚ ସହିତ ନିଲାମ ପ୍ରକ୍ରିୟା କରାଯିବ। ବିପିସିଏଲ୍‌ର ବଜାର ପୁଞ୍ଜିକରଣ ୧.୦୩ ଲକ୍ଷ କୋଟି ଟଙ୍କା ରହିଛି। ପ୍ରଚଳିତ ମୂଲ୍ୟରେ ସରକାରଙ୍କର ଅଂଶଧନ ପ୍ରାୟ ୫୪ ହଜାର କୋଟି ଟଙ୍କା ରହିଛି। ୨୦୨୦-୨୧ରେ ବିନିବେଶରୁ ସରକାର ୨.୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେଣୁ ବିପିସିଏଲ୍‌ର ଘରୋଇକରଣକୁ ବେଶ୍ ମହତ୍ତ୍ୱପୂର୍ଣ୍ଣ ମନେକରାଯାଉଛି। ମୁମ୍ବାଇ, କୋଚି, ବିନା (ମଧ୍ୟପ୍ରଦେଶ) ଏବଂ ନୁମାଲିଗଡ଼ (ଆସାମ)ରେ ବିପିସିଏଲ୍ ୪ଟି ବିଶୋଧନାଗାରର ପରିଚାଳନା କରୁଛି, ଯେଉଁମାନଙ୍କର ରିଫାଇନିଂ କ୍ଷମତା ସଂଯୁକ୍ତ ରୂପେ ୩.୮୩ କୋଟି ଟନ୍ ହେବ। ଏହା ଦେଶର ୨୪.୯୪ ଟନ୍ ରିଫାଇନିଂ କ୍ଷମତାର ୧୫% ହେବ। ତେବେ ନୁମାଲିଗଡ଼ ବିଶୋଧନାଗାରକୁ ବିପିସିଏଲ୍‌ଠାରୁ ଅଲଗା କରିଦିଆଯାଇଥିବାବେଳେ ଏପରି ସ୍ଥିତିରେ ବିପିସିଏଲ୍‌କୁ କିଣୁଥିବା ବ୍ୟକ୍ତିଙ୍କୁ ୩.୫୩ କୋଟି ଟନ୍‌ର ରିଫାଇନିଂ କ୍ଷମତା ପ୍ରାପ୍ତ ହେବ।

Leave a Reply

Your email address will not be published. Required fields are marked *