ଘଣ୍ଟାକୁ ୧୬୦ କିଲୋମିଟର ପବନରେ ଆସୁଛି ଆମ୍ଫାନ୍
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ଫୋନିର ଏକ ବର୍ଷ ପରେ ଓଡ଼ିଶା ଉପକୂଳ ଆଉ ଏକ ବାତ୍ୟାକୁ ସମ୍ମୁଖୀନ ହେବାକୁ ଯାଉଛି। ଯଦିଓ ଏଯାଏ ବାତ୍ୟାର ଠିକଣା ଅବସ୍ଥିତି ଓ ରୂପରେଖ ଜଣାପଡ଼ି ନାହିଁ ତଥାପି ଏହା ଉତ୍ତର ଓଡ଼ିଶା ଉପକୂଳକୂ ପ୍ରଭାବିତ କରିପାରେ। ୧୯ ତାରିଖ ସନ୍ଧ୍ୟାରେ ଏହି ବାତ୍ୟା‘ ଆମ୍ଫାନ୍ ’ ଓଡ଼ିଶା ଉପକୂଳ ଦେଇ ଗତି କରିବ। ଏହି ସମୟରେ ପବନର ବେଗ ୧୪୦ରୁ ୧୬୦ କିଲୋମିଟର ରହିବ ବୋଲି ଆଶଙ୍କା କରାଯାଉଛି। ଏହା ଅତି ଭୟଙ୍କର ରୂପ ନେଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ।
ଭାରତ ପାଣିପାଗ ସୂଚନା ଅନୁସାରେ ଦିନ ୧୨ଟା ସୁଦ୍ଧା ବାତ୍ୟ ପାରାଦୀପଠାରୁ ଦକ୍ଷିଣ ଦିଗରେ ୧୦୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି। ଏହା ଘଣ୍ଟାକୁ ୫ କିଲୋମିଟର ବେଗରେ ଗତି କରୁଛି।
ଆଜି ରାତିସୁଦ୍ଧା ଏହି ଅବପାତ ତୀବ୍ରଗତିରେ ଘୁର୍ଣ୍ଣିଝଡର ରୂପ ନେବାସହ ମେ 17 ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତେବେ ମେ 20 ତାରିଖରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା ବେଳେ ଏହି ଘୁର୍ଣ୍ଣିଝଡ଼ର ଗତିପଥ ଉତ୍ତର -ଉତ୍ତର ପୂର୍ବ ଦିଗକୁ ରହିବ ବୋଲି ସୋଆ ବିଶ୍ଵବିଦ୍ୟାଳୟର ସିଇସି ଅଧ୍ୟକ୍ଷ ଡ. ସାହୁ କହିଛନ୍ତି।
ସେ କହିଛନ୍ତି ଏହା ମେ 19 ତାରିଖ ପର୍ଯ୍ୟନ୍ତ ପୂର୍ବ ଉପକୂଳ ଓ ଦକ୍ଷିଣ ଓଡିଶା ଉପକୂଳ ଆଡକୁ ମୁଁହାଇ ଥିବା ବେଳେ ଓଡିଶା ଉପକୂଳର ନିକଟବର୍ତ୍ତି ହେବା ସହ 19 ରାତିରେ ପୁରୀ ଓ ବାଲେଶ୍ୱର ମଧ୍ୟରେ ଏହାର ପ୍ରଭାବ ଦେଖାଯିବ । ଏହି ବାତ୍ୟା ଉତ୍ତର ଓଡିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳ ଛୁଇଁପରେ।
ଏହାର ପ୍ରଭାବରେ ମେ 18 ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ମଧ୍ୟମ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ମେ 19 ଏବଂ 20 ତାରିଖରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୁରଭଞ୍ଜ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏହି ସମୟ ମଧ୍ୟରେ ନୟାଗଡ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର ଓ ଅନୁଗୁଳରେ ମଧ୍ୟମ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିଵା ଡ଼ଃ ସାହୁ କହିଛନ୍ତି ।