ମୁଭି ରିଭ୍ୟୁ: ‘ସାୟେ ରା: ନରସିଂହା ରେଡ୍ଡି’
‘ୱାର୍’କୁ ଟକ୍କର ଦେଇ ରିଲିଜ୍ ହୋଇଛି ଆଉ ଗୋଟିଏ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସାୟେ ରା: ନରସିଂହା ରେଡ୍ଡି’ । ଏହି ଫିଲ୍ମ ପାଇଁ କେବଳ ବଲିଉଡ୍ ନୁହେଁ ଟଲିଉଡ୍ ଦର୍ଶକଙ୍କ କ୍ରେଜି ମଧ୍ୟ ଦେଖିବାକୁ ମିଳିଛି । କାରଣ ଏହାର ମୁଖ୍ୟ ଭୂମିକାରେ ଅଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପର ଡୁପର୍ ହିରୋ ଚିରଞ୍ଜିବୀ ଏବଂ ତାଙ୍କର ଗୁରୁ ଭୂମିକାରେ ପରଦା ଉପରକୁ ଆସିଛନ୍ତି ବଲିଉଡର ମହାନାୟକ ବିଗ୍ ବି । ତେଣୁ ‘ୱାର୍’ ଭଳି ‘ସାୟେ ରା: ନରସିଂହା ରେଡ୍ଡି’ରେ ମଧ୍ୟ ଦୁଇଜଣ ବଡ଼ ତାରକା ଏକାସାଙ୍ଗରେ ପରଦା ଉପରକୁ ଆସିଥିବାରୁ ସିନେପ୍ରେମୀ ଏହି ଫିଲ୍ମର ରିଲିଜ୍କୁ ଅପେକ୍ଷା କରି ବସିଥିଲେ । ଏହି ପିରିୟଡ୍ ଭିତ୍ତିକ ଫିଲ୍ମରେ ଜବରଦସ୍ତ ଆକ୍ସନ୍ ଦୃଶ୍ୟ ରହିଛି, ଯାହାକୁ ଦେଖିବା ପରେ ଦର୍ଶକଙ୍କ ମନରେ ‘ବାହୁବଳୀ’ର ଝଲକ ଆପେ ଚାଲିଆସିବ । ଫିଲ୍ମର ଟ୍ରେଲର୍ ରିଲିଜ୍ ହେବାପରେ ଦର୍ଶକ ଫିଲ୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।
ଫିଲ୍ମର କାହାଣୀ ନରସିଂହା ରେଡ୍ଡିଙ୍କ ସଂଗ୍ରାମ ଉପରେ ଆଧାରିତ । ଐତିହାସିକ ପୃଷ୍ଠାରେ ଲିପିବଦ୍ଧ ହୋଇଥିବା ନରସିଂହା ରେଡ୍ଡି ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ଇଂରେଜମାନଙ୍କ ସହିତ ପ୍ରଥମେ ଯୁଦ୍ଧ ଡାକରା ଦେଇଥିଲେ । ସମୟ କ୍ରମରେ ଆଜିର ଯୁବପିଢ଼ିଙ୍କ ପାଇଁ ସେ ଅଜଣା । ତେଣୁ ପୁଣିଥରେ ଯୁବପିଢ଼ିଙ୍କୁ ନରସିଂହା ରେଡ୍ଡିଙ୍କ ବିରତ୍ୱର ଗାଥା ମନେପକାଇ ଦେବା ହେଉଛି ଫିଲ୍ମର ମୁଖ୍ୟ ଲକ୍ଷ୍ୟ । ବିଗ୍ ବି ଓ ଚିରଞ୍ଜିବୀଙ୍କ ସହିତ କିଚ୍ଛା ସୁଦିପ୍, ବିଜୟ ସେତୁପତି, ଜଗପଥି ବାବୁ, ରବି କିସନ୍, ନୟନତାରା, ତମନ୍ନା ଓ ନିହାରିକା ଭଳି ଅନେକ ଦକ୍ଷ କଳାକାର ସ୍କ୍ରିନ୍ ସେୟାର୍ କରିଛନ୍ତି । ବଲିଉଡ୍ ଓ ଟଲିଉଡ୍ ଦର୍ଶକ ଏହି ଫିଲ୍ମ ପାଇଁ ଆକୃଷ୍ଟ ହୋଇଥିବାରୁ ବକ୍ସ ଅଫିସର ଫାଷ୍ଟ୍ ଡେ’ କଲେକସନ୍ ‘ୱାର୍’ ଠାରୁ ଅଧିକ ରହିପାରେ ବୋଲି ଫିଲ୍ମ ସମୀକ୍ଷକ ମତ ଦେଇଛନ୍ତି ।











