‘ଚେହେରା’ ପକ୍ଷରୁ ବିଗ୍ ବିଙ୍କ ସ୍ପେଶାଲ୍ ବାର୍ଥଡେ’
ଅକ୍ଟୋବର ୧୧ ତାରିଖରେ ବିଗ୍ ବି ୭୭ ତମ ଜନ୍ମଦିନ ପାଳନ କରିଥିଲେ । ଏହି ଖୁସିର ଅବସରରେ ଦେଶ ବିଦେଶରେ ଥିବା ଅଗଣିତ ପ୍ରଶଂସକ ନିଜ ନିଜର ଅନ୍ଦାଜରେ ବିଗ୍ ବି ଙ୍କୁ ଶୁଭକାମନା ଜଣାଇଥିଲେ । ୧୧ ତାରିଖ ଦିନ ସୋସିଆଲ୍ ମିଡିଆ କେବଳ ବିଗ୍ ବିଙ୍କ ଜନ୍ମଦିନର ଶୁଭେଚ୍ଛାରେ କଏଦ୍ ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ବଲିଉଡ୍ ତାରକାମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନଥିଲେ । ଏହି ଧାରାରେ ବିଗ୍ ବିଙ୍କ ଅପକମିଙ୍ଗ୍ ଫିଲ୍ମ ‘ଚେହେରା’ ଟିମ୍ ବେଶ୍ ନିଆରା ଢ଼ଙ୍ଗରେ ମହାନାୟକଙ୍କ ୭୭ତମ ଜନ୍ମଦିନ ପାଳନ କରିଥିଲେ । ଆଜିପର୍ଯ୍ୟନ୍ତ ବିଗ୍ ବି ଯେତେସବୁ ଫିଲ୍ମରେ ଅଭିନୟ କରିଛନ୍ତି, ସେସବୁ ମଧ୍ୟରୁ ବିଗ୍ ବିଙ୍କ ୫୦ ପ୍ରକାର ଭିନ୍ନ ଭୂମିକାର ଭିନ୍ନ ଚେହେରାର ଫଟୋକୁ ଯୋଡ଼ି ମହାନାୟକଙ୍କ ଏକ ବଡ଼ ଚେହେରାର ଭିଡିଓ ପ୍ରସ୍ତୁତ କରାଯାଇଛି । ଜନ୍ମଦିନର ଉପହାର ଭାବେ ଏହାକୁ ସୋସିଆଲ୍ ମିଡିଆରେ ସେୟାର୍ କରିବା ପରେ କେହି ମଧ୍ୟ ‘ଚେହେରା’ ଟିମର ପ୍ରଶଂସା ନକରି ରହିପାରିନାହାନ୍ତି ।
ବିଗ୍ ବି ମଧ୍ୟ ଏଭଳି ଏକ କଳାକୃତି ପାଇଁ ବିଶେଷ ଭାବେ ପ୍ରଶଂସା କରିବା ସହ ‘ଚେହେରା’ ଟିମକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଭିଡିଓ ଆନନ୍ଦ ମୋହନ ପଣ୍ଡିତ ମୋସନ୍ ପିକଚର୍ ପକ୍ଷରୁ ସେୟାର୍ ହୋଇଥିଲା । ଏଥିରେ ଲେଖାଥିଲା – ‘ଜମିନ୍ ଆସମାନ୍ ଉଜାଲେ ଅନେ୍ଧରେ ଜିନ୍ଦା ରହେଙ୍ଗେ, ଜିସମ୍ ଚଲେ ଜାୟେଙ୍ଗେ ଲେକିନ୍ ଚେହେରେ ଜିନ୍ଦା ରହେଙ୍ଗେ । ମହାନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା’ । ରୁମି ଜାଫରିଙ୍କ ନିର୍ଦ୍ଦେଶିତ ‘ଚେହେରା’ରେ ବିଗ୍ ବିଙ୍କ ସହିତ ଇମରାନ୍ ହାସମୀ, ଅନ୍ନୁ କପୁର୍, କୃତି ଖରବନ୍ଦା, ରିୟା ଚକ୍ରବର୍ତ୍ତି ଓ ରଘୁବୀର ଯାଦବ ପରଦା ଉପରକୁ ଆସିବେ । ଆସନ୍ତା ୨୦୨୦ ଫେବୃୟାରୀ ୨୧ ତାରିଖ ଦିନ ଏହାକୁ ରିଲିଜ୍ କରାଯିବାର ଯୋଜନା ରହିଛି ଏବଂ ଏଥିରେ ବିଗ୍ ବି ଜଣେ ଅବସରପ୍ରାପ୍ତ ଓକିଲ ଭୂମିକାରେ ନଜର ଆସିବେ ।