ପ୍ରବାସୀଙ୍କୁ ଫେରାଇନେବାକୁ ପଶ୍ଚିମବଙ୍ଗ ଅମଙ୍ଗ, ଚିଠିଲେଖିଲେ ସ୍ଵରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‌) : ପ୍ରବାସୀ ଶ୍ରମିକଙ୍କୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଆରମ୍ଭ ହୋଇଛି। ଫଳରେ ରାଜ୍ୟ- କେନ୍ଦ୍ର ଭିତରେ ଲାଗିଥିବା ରାଜନୀତିକ ଛକାପଞ୍ଝା ଉଗ୍ର ହୋଇଥିବା ଜଣାପଡ଼ିଛି।  କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତଶାହ ଅଭିଯୋଗ କରିଛନ୍ତି ଯେ, ପଶ୍ଚିମବଙ୍ଗ ରାଜ୍ୟ ସରକାର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ହେତୁ ଫଶିଥିବା ଶ୍ରମିକଙ୍କୁ ଶ୍ରମିକଙ୍କ ଫେରିବା ଲାଗି ସହଯୋଗ କରୁନାହାନ୍ତି। ଏଣୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖି ଆବଶ୍ୟକ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ।

ଶାହା ଲେଖିଛନ୍ତି ଯେ ଅନ୍ୟ ରାଜ୍ୟରେ ଅଟକି ରହିଥିବା ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ଲାଗି ଆଗ୍ରହୀ ଥିବାବେଳେ ରାଜ୍ୟ ସରକାର ଆବଶ୍ୟକ ବ୍ୟବସ୍ଥା କରୁନାହାନ୍ତି । ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବା ଲାଗି କେନ୍ଦ୍ର ସରକାର ଓ ସମ୍ପୃକ୍ତ ରାଜ୍ୟ ସରକାର ମିଳିତ ଭାବେ ବ୍ୟବସ୍ଥା କରୁଛନ୍ତି । କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ ଯୋଗେ ପଠାଇବା ଲାଗି ବ୍ୟବସ୍ଥା କରୁଥିବାବେଳେ ଏଥିରେ ରାଜ୍ୟ ସରକାରମାନେ ସହଯୋଗ କରୁଛନ୍ତି; ମାତ୍ର ପଶ୍ଚିମବଙ୍ଗ ପ୍ରବାସୀ ଶ୍ରମିକଙ୍କୁ ଫେରାଇବା କ୍ଷେତ୍ରରେ ମମତା ବାନାର୍ଜୀ ସରକାରଙ୍କ ଠାରୁ ଏପରି ସହଯୋଗ ମିଳୁନାହିଁ ।

ଏପରିକି ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟର ଶ୍ରମିକମାନଙ୍କୁ ଫେରାଇଆଣିବା ଦିଗରେ କୌଣସି ପ୍ରକାର ଆଗ୍ରହ ପ୍ରକାଶ କରୁନାହାନ୍ତି କି ସେମାନଙ୍କୁ ଫେରିବା ଲାଗି ଅନୁମତି ଦେଉ ନାହାନ୍ତି । ଏହାଦ୍ୱାରା ପ୍ରବାସୀ ଶ୍ରମିକଙ୍କ କ୍ଷେତ୍ରରେ ରାଜ୍ୟ ସରକାର ଅନ୍ୟାୟ କରୁଥିବା ଶାହା କହିଛନ୍ତି । ତେଣୁ ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକଙ୍କ ଫେରିବା ଦିଗରେ ରାଜ୍ୟ ସରକାର ଆବଶ୍ୟକ ସହଯୋଗ କରିବାକୁ ମମତାଙ୍କୁ ଶାହା ନିବେଦନ କରିଛନ୍ତି ।

ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ଆବଶ୍ୟକ ସହଯୋଗ କରିବାକୁ ରାଜ୍ୟ ସରକାରଗୁଡିକ ପକ୍ଷରୁ ବାରମ୍ବାର କେନ୍ଦ୍ର ସରକାର ଅନୁରୋଧ କରାଯାଉଛି । ମାତ୍ର ପଶ୍ଚିମବଙ୍ଗ ସରକାରଙ୍କ କ୍ଷେତ୍ରରେ ଏପରି କୌଣସି ଅନୁରୋଧ କରାଯାଉ ନାହିଁ କି କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା ପ୍ରତି ସହଯୋଗର ହାତ ବଢାଉ ନାହାନ୍ତି । ଲକଡାଉନ ଯୋଗୁଁ ପ୍ରବାସୀ ଶ୍ରମିକମାନେ କାମଧନ୍ଦା ଅଭାବରେ ଆନ୍ଦୋଳିତ ହେଉଥିବାବେଳେ ଘରକୁ ଫେରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ସେମାନେ ଘରେ ପହଞ୍ଚିବାରେ ବିଳମ୍ବକୁ ନେଇ ନିରାଶ ହୋଇପଡୁଛନ୍ତି ।

କରୋନା ମହାମାରୀ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଲଢେଇ ଜାରି ରଖିଥିବାବେଳେ ପଶ୍ଚିମବଙ୍ଗ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଇଆସୁଛି । ପୂର୍ବରୁ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ସରକାରଙ୍କ ଲକଡାଉନ ନିୟମକୁ କଡାକଡି ପାଳନ ନ କରିବା ନେଇ ଦୁଇ ସରକାର ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ନିରୀକ୍ଷଣକାରୀ ଦଳ ପଶ୍ଚିମବଙ୍ଗ ଯାଇଥିବାବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କେନ୍ଦ୍ର ସରକାରଙ୍କ ଟିମ୍‍କୁ ଆବଶ୍ୟକ ଅନୁଧ୍ୟାନ କରିବା କ୍ଷେତ୍ରରେ ରାଜ୍ୟ ସରକାର ସହଯୋଗ କରି ନଥିଲେ । ଯଦ୍ୱାରା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ କଡା ଚେତାବନୀ ଦେଇଥିଲେ । ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଇଚାଲିଛି । ପଶ୍ଚିମବଙ୍ଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭୮ ପହଞ୍ଚିଥିବାବେଳେ ମୃତସଂଖ୍ୟା ୧୬୦ରେ ପହଞ୍ଚିଲାଣି ।

Leave a Reply

Your email address will not be published.