ନବୀନଙ୍କ ପାଖେ ଭୋଜନ, ମଇଦାନରେ ଭାଷଣ

ଭୁବନେଶ୍ୱର (ଓଟି): ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଆଜି ଭୁବନେଶ୍ଵରରେ ଅଛନ୍ତି। ଏହି ଦୁଇଦିନିଆ ଗସ୍ତ କାଳରେ ଅନେକ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆଜି ପ୍ରଥମେ ଲୋକସେବା ଭବନରେ ପୂର୍ବାଞ୍ଚଳ କାଉନସିଲ ବୈଠକରେ ଶ୍ରୀ ଶାହ ଅଧ୍ୟକ୍ଷତା କରିଥିବାବେଳେ ମଧ୍ୟାହ୍ନ ଭୋଜନ ନବୀନ ନିବାସରେ କରିବେ ବୋଲି ଜଣାପଡ଼ିଛି। ଏହା ପରେ ଜନତା ମଇଦାନରେ ରହିଛି ସିଏଏ ସମର୍ଥନରେ ସ୍ଵତନ୍ତ୍ର ସଭା। ଅପରାହ୍ଣ ଅଢ଼େଇଟାରୁ ୪ଟା ଯାଏ ଶ୍ରୀ ଶାହ ଉକ୍ତ ସଭାରେ ରହିବେ ବୋଲି ସୂଚନା ମିଳିଛି।

ସ୍ଵରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହଙ୍କ ସମେତ ବିହାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ହାଇ ପ୍ରୋଫାଇଲ ବ୍ୟକ୍ତିବୃନ୍ଦ ବୈଠକରେ ସାମିଲ୍‌ ହୋଇଥିବାବେଳେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନରେ ଶ୍ରୀ ଶାହଙ୍କ ସମେତ ମୋଟ ୧୧ ଜଣ ଭିଭିଆଇପି ଅତିଥିଙ୍କ ପାଇଁ ପଞ୍ଚ ତାରକା ହୋଟେଲରୁ ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ମଧ୍ୟରେ ପ୍ଲେନ ରାଇସ୍, ଫ୍ରାଏଡ୍ ରାଇସ୍ ସହ ଶୁଦ୍ଧ ଓଡ଼ିଆ ଖାଦ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଚିକେନ୍, ମଟନ, ଚିଙ୍ଗୁଡ଼ି ସହ ପ୍ରାୟ ୫୦ ପ୍ରକାର ଖାଦ୍ୟ ପରଷା ଯିବ ବୋଲି ଜଣାପଡ଼ିଛି।

ସଭା ପରେ ପରେ…

ସନ୍ଧ୍ୟା ୬ଟାରୁ ବିଜେପିର ଶତାଧିକ ପ୍ରମୁଖ ନେତାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ କରିବେ ଶ୍ରୀ ଶାହ। ବୈଠକରେ ଦଳୀୟ ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ଦଳର ସାଂଗଠନିକ ସ୍ଥିତି ଓ ଆଗାମୀ ରଣନୀତି ସମ୍ପର୍କରେ ବିଶେଷ ଆଲୋଚନା ହେବାକୁ ଥିବାବେଳେ ଶନିବାର ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଶ୍ରୀ ଶାହ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।

Leave a Reply

Your email address will not be published. Required fields are marked *