ଅମୀର୍ ଓ କରିନା ଯୋଡ଼ିର ଲେଉଟାଣୀ
ପୁଣିଥରେ ଅମୀର୍ ଓ କରିନାଙ୍କ ଅନସ୍କ୍ରୀନ୍ କେମେଷ୍ଟ୍ରୀର ଜଲୱା ଦର୍ଶକ ଦେଖିବାକୁ ପାଇବେ । ବି ଟାଉନର ଅପକମିଙ୍ଗ୍ ଫିଲ୍ମ ‘ଲାଲ୍ ସିଂହ ଚଢ୍ଢା’ରେ ଅମୀରଙ୍କ ବିପକ୍ଷର ନାୟିକା ଭାବେ କରିନାଙ୍କୁ ସାଇନ୍ କରାଯାଇଛି । ଏଭଳି ଏକ ଜବରଦସ୍ତ ଖୁସି ଖବରକୁ ଫିଲ୍ମ କ୍ରିଟିକ୍ ତରଣ ଆଦର୍ଶ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି । ତୃତୀୟ ଥର ପାଇଁ ଏହି ଯୋଡ଼ି ଦର୍ଶକଙ୍କ ସମାନାକୁ ଆସିବେ । ଏହା ପୂର୍ବରୁ ‘ଥ୍ରି ଇଡିଅଟ୍ସ’ ଓ ‘’ତଲାସ୍’ରେ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିଥିଲା । ଅମୀର୍ ନିଜ ଜନ୍ମଦିନରେ ଏହି ଫିଲ୍ମର ଘୋଷଣା କରିଥିଲେ । କାହାଣୀ ଅନୁଯାୟୀ ନିଜକୁ ଫିଟ୍ ରଖିବା ପାଇଁ ଅମୀର୍ ୨୦ କିଲୋ ଓଜନ କମାଇବେ ବୋଲି ସୂଚନା ମିଳିଛି ।
ହଲିଉଡ୍ ଫିଲ୍ମ ‘ଫରେଷ୍ଟ୍ ଗପ୍’ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଉଛି । ଅଦ୍ୱତ ଚନ୍ଦନ ଏହାର ନିର୍ଦ୍ଦେଶନା ଦେଉଥିବାବେଳେ ନିଜେ ଅମୀର୍ ଏହାର ପ୍ରଯୋଜକ ଭାବେ ଅଛନ୍ତି । କାହାଣୀ ରଚନା କରିଛନ୍ତି ଅତୁଲ କୁଲକର୍ଣ୍ଣି । ଆଜିକାଲି କରିନା ଲଣ୍ଡନରେ ତାଙ୍କର ଆଗାମୀ ଫିଲ୍ମ ‘ଅଂଗ୍ରେଜି ମିଡିୟମ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାପରେ ସେ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ସିଜନ୍ ୭ରେ ଜଜ୍ ଭାବେ ନଜର ଆସିବେ । ଏହି ଦୁଇଟି ପ୍ରୋଜେକ୍ଟରୁ ସମୟ ବାହାର କରି କରିନା ‘ଲାଲ୍ ସିଂହ ଚଢ୍ଢା’ର ସୁଟିଂ ଆରମ୍ଭ କରିବେ ବୋଲି ଖବର ମିଳିଛି । ଅମୀର୍ ଓ କରିନାଙ୍କ ଯୋଡ଼ି ପୁଣିଥରେ ଆଉ ଏକ ସୁପରହିଟ୍ ଫିଲ୍ମ ଦେବ ବୋଲି ଚର୍ଚ୍ଚା ହେଉଛି ।