ଶହେ କୋଟି ଡଲାର ନିବେଶ କରିବ ଆମାଜନ୍‌

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଇ-ଣିଜ୍ୟ କମ୍ପାନୀ ଆମାଜନ୍ ଭାରତରେ ୧୦୦ କୋଟି ଡଲାର ବା ପ୍ରାୟ ୭ ହଜାର କୋଟି ନିବେଶ କରିବ। କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ (ଏସ୍‌ଏମ୍‌ବି) କ୍ଷେତ୍ରରେ ଉକ୍ତ ଅର୍ଥ ନିବେଶ କରିବାକୁ କମ୍ପାନୀ ଘୋଷଣା କରିଛି। ସମ୍ପ୍ରତି ଭାରତ ଗସ୍ତରେ ଆସିଥିବା ଆମାଜନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜେଫ୍ ବେଜୋସ୍ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏମ୍‌ଏସ୍‌ବି ବିଷୟକୁ ନେଇ ଆୟୋଜିତ ଆମାଜନ୍ ‘ସମ୍ଭବ’ ସମ୍ମିଳନୀକୁ ସମ୍ବୋଧିତ କରି ବେଜୋସ୍ କହିଛନ୍ତି ଯେ, ଆମାଜନ୍ ଭାରତ ଭଳି ରାଷ୍ଟ୍ର ସହ ଦୀର୍ଘ ସୂତ୍ରରେ ବ୍ୟବସାୟିକ ସମ୍ପର୍କ ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ। ସମଗ୍ର ବିଶ୍ୱରେ ଆମେରିକା ପରେ ଭାରତ ଆମାଜନ ପାଇଁ ସର୍ବବୃହତ ବ୍ୟବସାୟିକ କ୍ଷେତ୍ର  ଭାବେ ଉଭା ହୋଇଥିବା ବେଳେ ଏଠାରେ ବ୍ୟବସାୟ ଅଭିବୃଦ୍ଧି ପାଇଁ ଯଥେଷ୍ଟ ସୁଯୋଗ ରହିଛି। ଯେଉଁଥିପାଇଁ ପୂର୍ବରୁ ମଧ୍ୟ କମ୍ପାନୀ ଭାରତରେ ୫୫୦ କୋଟି ଡଲାର ନିବେଶ କରିବାକୁ ଘୋଷଣା କରିଛି। ତେବେ  ଭାରତର କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟିକ କ୍ଷେତ୍ରରେ ଅ।।ଗାମୀ ୫ ବର୍ଷ ମଧ୍ୟରେ ଆମାଜନ୍ ୧୦୦ କୋଟି ଡଲାର ନିବେଶ କରିବ ବୋଲି ଜେଫ୍ କହିଛନ୍ତି। ବିଶେଷକରି ଏହି କ୍ଷେତ୍ରରେ ଡିଜିଟାଲ କ୍ଷେତ୍ରରେ ରୂପାନ୍ତରିତ କରିବା ନେଇ ଏହି ପରିମାଣର ଅର୍ଥ ବ୍ୟୟ କରାଯବ ବୋଲି ସେ କହିଛନ୍ତି। ଏହାବ୍ୟତୀତ ୨୦୨୫ ସୁଦ୍ଧା ୧୦୦୦ କୋଟି ଡଲାର ମୂଲ୍ୟର ଭାରତ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିଦେଶକୁ ରପ୍ତାନି କରିବା ନେଇ ମଧ୍ୟ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ବୋଲି ଜେଫ୍ କହିଛନ୍ତି। ଅନ୍ତର୍ଜାତୀୟ ବଜାରରେ ନିଜ ଉପସ୍ଥିତି ଜରିଆରେ ‘ମେକ୍ ଇନ୍ ଇଣ୍ଡିଆ’ ଉତ୍ପାଦ ରପ୍ତାନି କରାଯିବ ବୋଲି ସେ କହିଛନ୍ତି। ଦୁଇଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ପ୍ରାଦ୍ୟୋଗିକୀ ପ୍ରତି କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟକୁ କିଭଳି ଜାଗ୍ରତ କରିହେବ, ସେନେଇ ଆଲୋଚନା କରାଯିବ। ଏହାସହିତ ଏକବିଂଶ ଶତାବ୍ଦୀରେ ଭାରତ ଏବଂ ଆମେରିକାର ବ୍ୟବସାୟିକ ସମ୍ପର୍କ ସବୁଠୁ ମହତ୍ତ୍ୱପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି। ଚଳିତ ସପ୍ତାହରେ ବେଜୋସ୍ ଭାରତ ଗସ୍ତରେ ରହିବା ସହିତ ବରିଷ୍ଠ ସରକାରୀ ଅଧିକାରୀ, ଉଦ୍ୟୋଗପତି ଏବଂ ଏସ୍‌ଏମ୍‌ବି ଉଦ୍ୟୋଗୀଙ୍କ ସହିତ ସାକ୍ଷାତ କରିବେ। ଏହା ପୂର୍ବରୁ ଆମାଜନ୍ ସିଇଓ ଦିଲ୍ଲୀସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ପହଞ୍ଚି ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ସମୟରେ ତାଙ୍କୁ ଭାରତୀୟ ବେଶଭୁଷାରେ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ମହାତ୍ମା ଗାନ୍ଧୀଙ୍କ ସମାଧିକୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଦେଖାଯାଇଛି। ଭିଡିଓ ସହିତ ବେଜୋସ୍ ଗାନ୍ଧୀଙ୍କର ଏକ ବକ୍ତବ୍ୟକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published.