ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ଦେବେ ଅମର ଶତପଥି
ଭୁବନେଶ୍ୱର(ଓଟି): ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅମର ଶତପଥିଙ୍କୁ କାମଚଳା ବାଚସ୍ପତି ତଥା ପ୍ରୋଟେମ୍ ସ୍ପିକର ଭାବେ ବଛାଯାଇଛି। ରାଜ୍ୟପାଳଙ୍କ ଆଦେଶ କ୍ରମେ ସେ ନବ ନିର୍ବାଚିତ ସଦସ୍ୟମାନଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା, ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଏଥିନେଇ ବିଧାନସଭାର ଗୃହ ଭିତରେ ସ୍ଵତନ୍ତ୍ର ଆୟୋଜନ କରାଯାଇଛି।
ବିଧାନସଭାର ସଚିବ ଏନେଇ ବିଧି ଅନୁସାରେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ୩୦ ଓ ୩୧ ତାରିଖ ଦୁଇଦିନ ଧରି ଏହି ଶପଥପାଠ ସମାବେଶ ହେବ। ଏହି ସମୟରେ ମୁଖ୍ୟମନ୍ତ୍ରୀର ଉପସ୍ଥିତ ରହିବେ। ସକାଳ ୧୦ଟାରୁ ଶପଥପାଠ ଆରମ୍ଭ ହେବ। ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ।
ଶପଥ ପାଠ ଶେଷ ଶେଷ ହେବାପର ଦିନ ବାଚସ୍ପତି ନିର୍ବାଚନ ହେବ। ଗୃହର ସଦସ୍ୟମାନେ ସେମାନଙ୍କ ଭିତରୁ ଜଣେ ବିଶିଷ୍ଟ ବିଧାୟକଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରିବେ। ଏଥିଲାଗି ସାମ୍ବିଧାନିକ ପରମ୍ପରାରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଯେହେତୁ ଶାସକ ଦଳ ସଂଖୃା ଗରିଷ୍ଠ ଥାଏ ସେହି ଦଳରୁ ମନୋନୀତ ପ୍ରାର୍ଥୀ ହିଁ ବାଚସ୍ପତି ହେବାର ପରମ୍ପରା ରହିଛି। ଏଥର ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ନାମ ଏହିକ୍ରମରେ ଆଗୁଆ ରହିଛି।
୧ ତାରିଖ ଦିନ ଏଥିନେଇ ଆବଶ୍ୟକ ମତ ତଥା ଭୋଟ୍ ଗ୍ରହଣ ହେବ।
ବାଚସ୍ପତି ନିର୍ବାଚନ ଶେଷ ହେବାପରେ କାମଚଳା ବାଚସ୍ପତି ନିଜ ଦାୟିତ୍ଵ ତାଙ୍କୁ ହସ୍ତାନ୍ତର କରିବେ। ଏହାପରେ ବାଚସ୍ପତି ବିଧାନସଭାର ପ୍ରଥମ ଅଧିବେଶନ ଡକାଇବେ।