ଆଲମାରୀ ବଦଳାଇବ ଆପଣଙ୍କ ଭାଗ୍ୟ
ଘରର ପ୍ରତ୍ୟେକ ଜିନିଷ ସହ ବାସ୍ତୁଶାସ୍ତ୍ରର କିଛି ନା କିଛି ସମ୍ପର୍କ ରହିଛି । ଘର ପାଇଁ ମୁଖ୍ୟ ଆବଶ୍ୟକ ଜିନିଷ ମଧ୍ୟରେ ଆଲମାରୀ ବା ଘରେ ଥିବା ଥାକ ବହୁତ ମହତ୍ତ୍ୱପୂର୍ଣ୍ଣ । ଏହି ଆଲମାରୀ ମଧ୍ୟ ଆପଣଙ୍କ ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ ବୋଲି ବାସ୍ତୁଶାସ୍ତ୍ରଜ୍ଞମାନେ କହିଛନ୍ତି । ତେବେ ଆଲମାରୀ ଆପଣଙ୍କ ପାଇଁ କିଭଳି ଭାବେ ସୌଭାଗ୍ୟ ଆଣିଦେବ ଆସନ୍ତୁ ଜାଣିବା –
(୧)କପଡ଼ା ଥିବା ଆଲମାରୀ – ଏହା ମୁଖ୍ୟତଃ ଶୁକ୍ରଗ୍ରହ ସହିତ ସମ୍ବନ୍ଧ ଥାଏ ବୋଲି ବାସ୍ତୁଶାସ୍ତ୍ରଜ୍ଞମାନେ ମତ ଦେଇଛନ୍ତି। ତେଣୁ କପଡ଼ା ରଖିବା ଆଲମାରୀରେ ଟଙ୍କା, ଗହଣା, ଅଫିସ୍ର ଜରୁରୀ କାଗଜପତ୍ର କିମ୍ବା ଘର ଦଲିଲ୍ ଆଦି ରଖନ୍ତୁ ନାହିଁ । ଏହା ବ୍ୟତୀତ ଚିରା ପୋଷାକ ମଧ୍ୟ ଆଲମାରୀରେ ରଖନ୍ତୁ ନାହିଁ । ଏହା ସହିତ ଆଲମାରୀରେ ସବୁବେଳେ ପୋଷାକ ସଜାଡ଼ି ଓ ସୁବ୍ୟବସ୍ଥିତ ଢଙ୍ଗରେ ରଖନ୍ତୁ ।
(୨)ରୋଷେଇ ଘର ଆଲମାରୀ – ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଥିବା ଆଲମାରୀ ସୂର୍ଯ୍ୟଗ୍ରହ ସହିତ ଜଡ଼ିତ ଥାଏ । ରୋଷେଇ ଜିନିଷ ଓ ବାସନ ରହୁଥିବା ଏହି ଆଲମାରୀକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଉଚିତ୍ ନୁହେଁ । ଟିକେ ହଲ୍କା ଖୋଲା ରଖନ୍ତୁ । କାଚ ଓ ପିତଳ ବାସନକୁ ଏକାଠୀ ରଖିବା ଅଶୁଭ ବୋଲି ବିଚାର କରାଯାଏ । ପ୍ରତି ସପ୍ତାହରେ ରୋଷେଇ ଘର ଆଲମାରୀକୁ ସଫା କରିବା ଉଚିତ୍ ।
(୩)ଡ୍ରଇଂରୁମ୍ ଥାକ ବା ଆଲମାରୀ – ଡ୍ରଇଂରୁମରେ ଥିବା ଥାକରେ କେବେ ମଧ୍ୟ ସଜାଇବା ଜିନିଷ ଅଧିକ ରଖନ୍ତୁ ନାହିଁ। ମଉଳି ଯାଇଥିବା ଫୁଲକୁ ବଦଳାନ୍ତୁ । ଦର୍ପଣ ତିଆରି ଜିନିଷ ଡ୍ରଇଂରୁମ୍ ଥାକରେ ରଖନ୍ତୁ ନାହିଁ । ଏସବୁ ବ୍ୟତୀତ ପ୍ରତିଦିନ ଡ୍ରଇଂରୁମର ଥାକକୁ ସଫା କରନ୍ତୁ । ଡ୍ରଇଂରୁମ୍ ଥାକ ବା ଆଲମାରୀରେ ଧୁଳି ଜମିଲେ, ତାହା ବାସ୍ତୁଦୋଷ ସୃଷ୍ଟି କରିଥାଏ ବୋଲି ବିଶ୍ୱାସ ରହିଛି ।