ପ୍ରଡକ୍ସନ୍ ହାଉସ୍ ଖୋଲିବେ ଆଲିଆ
ଚୁଲ୍ବୁଲି ଅନ୍ଦାଜ୍ ପାଇଁ ଅଗଣିତ ସିନେପ୍ରେମୀଙ୍କ ହୃଦୟରେ ରାଜ୍ କରୁଥିବା ଆଲିଆ ଭଟ୍ଟ ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଦେଇ ଚାଲିଛନ୍ତି । ନିକଟ ଅତୀତରେ ରିଲିଜ୍ ହୋଇଥିବା ‘ଗଲିବୟ’ ମଧ୍ୟ ବକ୍ସ ଅଫିସ୍ରେ ଦମ୍ଦାର୍ ବ୍ୟବସାୟ କରିଥିଲା । ଅଭିନୟ କ୍ଷେତ୍ରରେ ଆଲିଆ ନିଜର ଦକ୍ଷତାର ପ୍ରମାଣ ଦେବା ପରେ ଆଗାମୀ ଦିନରେ ସେ ପ୍ରଯୋଜନା କ୍ଷେତ୍ରରେ ପାଦ ରଖିବେ ବୋଲି ଖବର ମିଳିଛି । ଆଲିଆ ନିଜେ ଏହି ଖବରରେ ମୋହର ମାରିଛନ୍ତି । ଆଲିଆଙ୍କ ନିଜସ୍ୱ ପ୍ରଡକସନ୍ ହାଉସ୍ର ନାଁ ହେଉଛି ‘ଇଟରନାଲ୍ ସନସାଇନ୍ ପ୍ରଡକସନସ’ । ଆଜିକାଲି ଏକ ଟିମ୍ ଏହାକୁ ନେଇ ଜୋର୍ସୋର୍ରେ କାମ କରୁଛନ୍ତି । ଆଲିଆଙ୍କ ପ୍ରଡକ୍ସନ୍ ହାଉସ୍ ପକ୍ଷରୁ କେଉଁଭଳି ଫିଲ୍ମ ପ୍ରଯୋଜନା କରାଯିବ, ସେ ସମ୍ପର୍କିତ କୌଣସି ପ୍ଲାନିଙ୍ଗ୍ ହୋଇନାହିଁ । କିନ୍ତୁ ଏ ସମ୍ପର୍କରେ ଆଲିଆ କହିଛନ୍ତି ଯେ ସେ ନିଜର ଓ ଦର୍ଶକଙ୍କ ପସନ୍ଦ ଅନୁଯାୟୀ ମନୋରଞ୍ଜନ ଧର୍ମୀ ଫିଲ୍ମ ନିର୍ମାଣ କରିବେ ।
ନିକଟରେ ଆଲିଆ ଏକ ସୁନ୍ଦର ଫ୍ଲାଟ୍ କିଣିଛନ୍ତ. ଯେଉଁଠି ତାଙ୍କର ଅଫିସ୍ ହେବ ବୋଲି ସୂଚନା ମିଳିଛି । ଅଭିନୟ ଭଳି ଫିଲ୍ମ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ଆଲିଆ ସଫଳ ହେବେ ବୋଲି ପ୍ରଶଂସକ ଆଶା କରିଛନ୍ତି ।