ସକାଳ ୭ରୁ ଭୋଟ୍‌, ୧୦ହଜାର୪୬୪ ବୁଥ ପ୍ରସ୍ତୁତ

ଭୁବନେଶ୍ଵର, (ଓଟି): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ରକୁମାରଙ୍କ ସୂଚନା ଅନୁସାରେ ରାଜ୍ୟର ୧୦ହଜାର ୪୬୪ ବୁଥରେ ଭୋଟରଙ୍କ ମତ ସଂଗ୍ରହ କରାଯିବ। ଏଥିଲାଗି ଆବଶ୍ୟକ ଇଭିଏମ୍‌ଏବଂ ଭିଭିପ୍ୟାଟ୍‌ ମସିନ୍‌ ସହ ପାଖାପାଖି ୫୯ ହଜାର ୫୦୦ ପୁଲିଂ କର୍ମଚାରୀ ମୁତ୍ତୟନ କରାଯାଇଛି। ଏହି ପର୍ଯ୍ୟାୟରେ ସମୁଦାୟ ଭୋଟରଙ୍କ ସଂଖ୍ୟା ରହିଛି ୯୨ ଲକ୍ଷ ୫୬ ହଜାର ୩୨୨। ଏଥିରୁ ୪୭ ଲକ୍ଷ ୯୯ହଜାର ୩୦ ଜଣ ପୁରୁଷ ହୋଇଥିବାବେଳେ ୪୪ ଲକ୍ଷ ୫୬ ହଜାର ୬୨୯ ଜଣ ହେଉଛନ୍ତି ମହିଳା। ଅନ୍ୟ ୧୧୬୩ ଜଣ ହେଉଛନ୍ତି କିନ୍ନର ବା ତୃତୀୟ ଲିଙ୍ଗୀ।

ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ସେଗୁଡ଼ିକ ହେଲା କଟକ, ପୁରୀ, ଭୁବନେଶ୍ଵର, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର। ଏହି ୬ ଲୋକସଭା ମଣ୍ଡଳୀରେ ଥିବା ୪୨ ବିଧାନସଭା ଆସନ ପାଇଁ ମଧ୍‌ୟ ଏକ ସଙ୍ଗେ ମତ ଗ୍ରହଣ କରାଯିବ। ଏଥିଲାଗି ସ୍ଵତନ୍ତ୍ର ଇଭିଏମ୍‌ରେ ଭୋଟରଙ୍କୁ ଭୋଟ୍‌ ଦେବାକୁ ହେବ। ସେମାନଙ୍‌କ ଭୋଟ୍‌ କାହାକୁ ଦେଲେ ତାହା ନିଶ୍ଚିତ କରିବା ଲାଗି ସ୍ଵତନ୍ତ୍ର ଭିଭିପ୍ୟାଟ୍‌ ମସିନ୍‌ର ବ୍ୟବସ୍ଥା କରାଯଇଛି ।

ସାରା ଦେଶରେ ୧୧୬ ଲୋକସଭା ଆସନ

ସମଗ୍ର ଦେଶରେ ୧୪ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୧୧୬ ଲୋକସଭା ଆସନ ପାଇଁ ଏହି ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବ। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସମୁଦାୟ ୧୮ କୋଟି ଭୋଟର ଏହି ପର୍ବରେ ସାମିଲ୍‌ ହେବେ। ୧୬୧୦ ଜଣ ପ୍ରାର୍ଥୀ ଏହି ୧୧୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ୨ଲକ୍ଷ ୧୦ ହଜାର ବୁଥରେ ଏଥିଲାଗି ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *