ଗୁରୁବାର ଫେରିବ ଶ୍ରୀମନ୍ଦିର ଟଙ୍କା
ପୁରୀ,ଭୁବନେଶ୍ଵର (ଓଟି): ୟେସ୍ ବ୍ୟାଙ୍କରେ ରହିଥିବା ଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା ଗୁରୁବାର ଫେରିବ। ଏଭଳି ସକରାତ୍ମକ ସୂଚନା ପାଇବା ପରେ ରାଜ୍ୟରେ ଖୁସି ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ସଂସ୍କୃତିରେ ଗୁରୁବାରକୁ ଦେବୀ ମା’ ଲକ୍ଷ୍ମୀଙ୍କ ବାର ଭାବେ ବିବେଚନା କରାଯାଏ ଏବଂ ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ଗୁରୁବାର ପୂଜାର୍ଚ୍ଚନା କରାଯାଇଥାଏ। ତେଣୁ ବିବାଦରେ ରହିଥିବା ଘରୋଇ ୟେସ୍ ବ୍ୟାଙ୍କରୁ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଗୁରୁବାର ଫେରିବ ବୋଲି କୁହାଯିବା ପରେ ଶ୍ରଦ୍ଧାଳୁଙ୍କ ମନରେ ବଡ଼ ଆନନ୍ଦ ଦେଖାଦେଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ କହିବା ଅନୁଯାୟୀ ଇ-ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଫେରିବ ଓ ସେହି ଅର୍ଥ ଜାତୀୟକରଣ ବ୍ୟାଙ୍କରେ ରଖାଯିବ।
ସୂଚନା ଅନୁସାରେ ବୁଧବାର ପୁନଃ କାର୍ଯ୍ୟକ୍ଷମ ହେଉଛି ୟେସ୍ ବ୍ୟାଙ୍କ। ଗତବର୍ଷ ମାର୍ଚ୍ଚ ୧୯ରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ସେହି ଅନୁସାରେ ଗୁରୁବାର ଏହାର ମାଚ୍ୟୁରିଟି ହେଉଛି।